ବଢ଼ିବନି ଦେବୀ ମୂର୍ତି ଉଚ୍ଚତା, ବଳବତର ରହିବ ପାର୍ବଣ କଟକଣା । ଜାଣନ୍ତୁ କେମିତି ପାଳିତ ହେବ ଦୁର୍ଗାପୂଜା?

144

କନକ ବ୍ୟୁରୋ : ସରକାର ଓ ଶାନ୍ତି କମିଟି ମଧ୍ୟରେ ଆଲୋଚନା ପରେ ଅନୁମାନ କରାଯାଉଥିଲା ଆସନ୍ତା ଦୁର୍ଗା ପୂଜା ପାଇଁ କଟକଣାରେ କିଛିଟା କୋହଳ କରିପାରନ୍ତି ସରକାର । ହେଲେ, ସେଭଳି କିଛି ହୋଇନାହିଁ । ଅଗଷ୍ଟ ମାସରେ ଜାରି କରାଯାଇଥିବା କୋଭିଡ୍ କଟକଣାକୁ ବଳବତ୍ତର ରଖିବାକୁ ଘୋଷଣା କରିଛନ୍ତିି ସ୍ୱତନ୍ତ୍ର ରିଲିଫ୍ କମିଶନର ।

ଗତବର୍ଷ ଭଳି ଚଳିତ ବର୍ଷ ବି ବିନା ଭକ୍ତରେ ପାଳିତ ହେବ ପାର୍ବଣ । ବିଭିନ୍ନ ଆଡୁ ଦାବି ସତ୍ତେ୍ୱ, ପାର୍ବଣ ପାଇଁ ଅଗଷ୍ଟ ୯ରେ ଜାରି ହୋଇଥିବା କୋଭିଡ୍ ଗାଇଡଲାଇନ ବଳବତ୍ତର ରଖିବାକୁ ପୁଣି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅର୍ଥାତ, ବିନା ଭକ୍ତରେ କେବଳ ବିଧି ମୁତାବକ ପୂଜା ସମ୍ପନ୍ନ ହେବ । ମୂର୍ତ୍ତିର ଉଚ୍ଚତା ୪ ଫୁଟ ଭିତରେ ସୀମିତ ରହିବ । ପୂଜା ମଣ୍ଡପକୁ ତିନିପଟୁ ପରଦା ଟାଙ୍ଗି ପୂଜା କରିବାକୁ ପଡିବ । ପୂଜା ସମୟରେ କେବଳ ୭ ଜଣ ଉପସ୍ଥିତ ରହି ପାରିବେ । ଠାକୁରଙ୍କ ଦର୍ଶନ କରିପାରିବେ ନାହିଁ ସାଧାରଣ ଲୋକ । ଭସାଣି ଶୋଭାଯାତ୍ରା ହେବ ନାହିଁ । ମେଲୋଡି କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ନାହିଁ ।

ଓନାମ ଓ କୁମ୍ଭମେଳାର ପରବର୍ତି ପରିସ୍ଥିତିର ଉଦାହରଣ ଦେଇ ସତର୍କ କରିଛନ୍ତି ଏସଆରସି । କହିଛନ୍ତିି, ଅବହେଳା ଯୋଗୁଁ ସେଠାରେ କେମିତି ସଂକ୍ରମଣ ବୃଦ୍ଧି ପାଇଥିଲା, ସେଥିରୁ ଆମକୁ ଅନେକ କିଛି ଶିଖିବାର ଅଛି । ତେଣୁ ଓଡିଶାବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ନିରାଡମ୍ବର ଭାବରେ ଚଳିତ ବର୍ଷ ପୂଜା ପାଳିବାକୁ ପଡିବ । ଏଥିପାଇଁ ମୁମ୍ବାଇ ଓ ଦିଲ୍ଲୀର ଉଦାହରଣ ଦିଆଯାଇଛି । ଯେଉଁଠି ସୀମିତ ଉଚ୍ଚତାର ମୂର୍ତି ପୂଜା ପାଉଛି ।

ମୂର୍ତି ଉଚ୍ଚତାକୁ ନେଇ ପ୍ରତିବାଦ ହେବା ପରେ ଦୁଇ ଦିନ ତଳେ , ମହାନଗର ଶାନ୍ତି କମିଟି ସଦସ୍ୟଙ୍କୁ ଡାକି ଆଲୋଚନା କରିଥିଲେ ମୁଖ୍ୟ ଶାସନ ସଚିବ । ଆଲୋଚନା ପରେ ମୂର୍ତି ବଢ଼ିବା ନେଇ ସଂକେତ ଦେଇଥିଲେ ଶାନ୍ତି କମିଟି ମୁଖ୍ୟ । ହେଲେ ଆଜି ପୂର୍ବ ଗାଇଡଲାଇନକୁ ବଳବତ୍ତର ରଖିଛନ୍ତି ସରକାର । ହଲ, ମଲ, ଖୋଲି୍ଥିବାବେଳେ, ନିର୍ବାଚନୀ ସଭାକୁ ଅନୁମତି ଦିଆଯାଇଥିବାବେଳେ ପାର୍ବଣ ଉପରେ କାହିଁକି କଟକଣା ଲଗାଯାଇଛି, ସେନେଇ ପ୍ରଶ୍ନ ଉଠାଇ ଆସୁଛନ୍ତି କଟକର ବିଭିନ୍ନ ପୂଜା କମିଟି ।