କନକ ବ୍ୟୁରୋ : ଦକ୍ଷିଣ ଆଣ୍ଡାମାନ ସାଗରରେ ଘୁର୍ଣ୍ଣିବଳୟ ସକ୍ରିୟ ଥିବାରୁ ଆସନ୍ତାକାଲି ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟିନେଇ ପରିବେଶ ଅନୁକୂଳ ରହିଛି । ଏହାପରେ ଲଘୁଚାପ କ୍ଷେତ୍ର ଘନିଭୂତ ହେବା ପାଇଁ ବି ପାଗ ବେଶ ଅନୁକୂଳ ରହୁଥିବା ଜଣାପଡୁଛି । ତେବେ ଓଡିଶା ଉପରେ ଏହାର ପ୍ରଭାବ କଣ ପଡିବ ତାହା ସ୍ପଷ୍ଟ ହୋଇ ନଥିଲେ ବି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ସରକାର । ସ୍ପେଶାଲ ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି, ଯଦି ବି ବାତ୍ୟା ଆସେ, ତାହାଲେ ଏହା ଏକ ଗ୍ରୀଷ୍ମକାଳୀନ ବାତ୍ୟା ହେବ, ଯେଉଁଥିରେ ବନ୍ୟା ହେବାର ସମ୍ଭାବନା ବହୁତ କମ୍ । ତେଣୁ ଲୋକମାନେ ଅତ୍ୟାବଶକୀୟ ସାମଗ୍ରୀ କିଣି ଘରେ ଠୁଳ କରନ୍ତୁ ନାହିଁ ।

Advertisment

ଆସନ୍ତାକାଲି ବାତ୍ୟାକୁ ନେଇ ସବିଶେଷ ତଥ୍ୟ ଆସିପାରେ । ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ଏ ସଂକ୍ରାନ୍ତରେ ୧୮ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିରେ ଆଲୋଚନା କରିଛନ୍ତି ଏସଆରସି । ଜିଲ୍ଲାପାଳଙ୍କୁ ବାତ୍ୟା ମୁକାବିଲା ପାଇଁ ତଥ୍ୟ ମାଗିଛନ୍ତି । ଆସନ୍ତାକାଲି ଜିଲ୍ଲାପାଳମାନେ ରିପୋର୍ଟ ଦେବା ପରେ ଏହାକୁ ଅନୁଧ୍ୟାନ କରାଯିବ । ସେହିପରି ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଏନଡିଆରଏଫ, ଓଡ୍ରାଫ ଟିମ ସହ ଏସଆରସି ରିଭ୍ୟୁ ମିଟିଂ କରିଛନ୍ତି । ବାତ୍ୟା ମୁକାବିଲା ପାଇଁ ୧୭ଟି ଏନଡିଆରଏଫ, ୨୦ଟି ଓଡ୍ରାଫ ଟିମ୍ ଓଡିଶା ସରକାର ପାଖରେ ରହିଛି । ଯାହାକୁ ଯଥାକ୍ରମେ ୬୦ଟି ଏନଡିଆରଏଫ ଓ ୧୨୦ ଓଡ୍ରାଫ ଟିମକୁ ବିଭକ୍ତ କରାଯାଇ ପାରିବ ।

ଦକ୍ଷିଣ ଆଣ୍ଡାମାନ ସାଗରର କିଭଳି ଚିତ୍ର ପଠାଇଛି ଭାରତୀୟ ଉପଗ୍ରହ ଏବଂ ପରବର୍ତୀ ସ୍ଥିତି ନେଇ କଣ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଉପଗ୍ରହ ମାଧ୍ୟମରେ ଉଠାଯାଇଥିବା ଏହି ଫଟୋ ସମୁଦ୍ର ଭିତରର ସ୍ଥିତିକୁ ବୟାନ କରୁଛି । ଫଟୋରୁ ଜଣାପଡୁଛି ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ସମୁଦ୍ର ଭିତରେ ହଲଚଲ ଆରମ୍ଭ ହୋଇଯାଇଛି । ଆସନ୍ତାକାଲି ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ପରେ ଉତ୍ତର ପଶ୍ଚିମ ଦିଗକୁ ଗତି କରି ୮ ତାରିଖରେ ଅବପାତରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବିଶିଷ୍ଟ ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ତଥା ଆକ୍ୟୁ ୱେଦରରେ କାମ କରୁଥିବା ଜାସନ ନିକୋଲାସ୍ କହୁଛନ୍ତି ଯେ, ଏହାର ପ୍ରଭାବ ଓଡ଼ିଶା ଉପରେ ସେତେ ପ୍ରଭାବ ପଡ଼ି ନପାରେ । ପଶ୍ଚିମବଂଗ ଉପକୂଳ ଦେଇ ବାତ୍ୟା ବାଂଲାଦେଶ ମୁହାଁ ହୋଇପାରେ ବୋଲି ସେ ଆକଳନ କରିଛନ୍ତି ।

ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ନେଇ ଏସଆରସିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ହୋଇଛି । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନସିଂରେ ଆଲୋଚନା କରିଛନ୍ତି ଏସଆରସି । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବା ସହ ବିପଦ ଆଶଙ୍କା ଥିବା ଅଂଚଳରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନ ଓ ବାତ୍ୟା ଆଶ୍ରୟସ୍ଥଳକୁ ପ୍ରାଥମିକତା ଭିତ୍ତିରେ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି । ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ରାଜ୍ୟରେ ପର୍ଯ୍ୟାପ୍ତ ଖାଦ୍ୟ ସାମଗ୍ରୀ ମହଜୁଦ୍ ଅଛି । ତେଣୁ ଲୋକେ ଭୟଭୀତ ନହେବାକୁ କହିଛନ୍ତି ମନ୍ତ୍ରୀ ।