ସାରାରାଜ୍ୟର ସହରାଂଚଳରେ ଶନିବାର ଓ ରବିବାର ସଟଡାଉନ : ଆସନ୍ତା ୨୪ରୁ ଲାଗୁ ହେବ ନିଷ୍ପତ୍ତି; ମେ ୧୫ ଯାଏଁ ବଳବତର ରହିବ ଆଦେଶ

338

କନକ ବ୍ୟୁରୋ : ରାଜ୍ୟରେ ସଂକ୍ରମଣ ବଢୁଥିବାରୁ କରୋନା ଚେନ ଭାଙ୍ଗିବାକୁ ସପ୍ତାହାନ୍ତ ସଟଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ସବୁ ସହରାଂଚଳରେ ସପ୍ତାହର ଶନିବାର ଓ ରବିବାର ସଟଡାଉନ ରହିବ । ଏହି କଟକଣା ଆସନ୍ତା ୨୪ ତାରିଖରୁ ମେ ୧୫ ତାରିଖ ଯାଏଁ ଲାଗୁ ହେବ ବୋଲି ସୂଚନା ଦେଇଛନ୍ତି ଏସଆରସି ।

ଏହି ସପ୍ତାହାନ୍ତ ସଟଡାଉନ୍ ସମୟରେ ହସ୍ପିଟାଲ, କ୍ଲିନିକ, ନର୍ସିଂ ହୋମ, ମେଡିସିନ ଷ୍ଟୋର ଖୋଲା ରହିବ । ଜରୁରୀକାଳୀନ ସମସ୍ତ ସେବା ଜାରି ରହିବ । ଜିଲ୍ଲା ଓ ମହାନଗର ନିଗମ କାର୍ଯ୍ୟାଳୟ , ପୁଲିସ ଓ ଅଗ୍ନିଶମବାହିନୀ କାର୍ଯ୍ୟାଳୟ ଚାଲିପାରିବ । ଟେଲିକମ ସର୍ଭିସ, ପେଟ୍ରୋଲ ପମ୍ପ, ଏଲପିଜି ଡିଷ୍ଟ୍ରିବୁସନ, ରନ୍ଧର ଗ୍ୟାସର ହୋମ ଡେଲିଭରି ଜାରି ରହିବ ସଟଡାଉନ ସମୟରେ ।

ସେହିପରି ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଯିବା ଆସିବା ପାଇଁ ଅନୁମତି ଦିଆଯାଇଛି । ଏଟିଏମ୍ ଖୋଲା ରହିବ । ଅନ୍ୟପଟେ ସ୍ଥାନୀୟ ପ୍ରଶାସନ ଅନୁମତି ନେଇ ବିବାହ ଓ ଅନ୍ତେଷ୍ଟିକ୍ରିୟା ମଧ୍ୟ କରାଇ ପାରିବ । ଜାତୀୟ ରାଜପଥରେ ଥିବା ଢାବା ଖୋଲିପାରିବ, ଦୁଗ୍ଧ ଦୋକାନ ଖୋଲିବାକୁ ଅନୁମତି ରହିଛି । ତେଜରାତି ଖବର କାଗଜ ବଂଟନ ପାଇଁ ନ୍ୟୁଜ ହକରଙ୍କୁ ସକାଳ ୫ଟାରୁ ସକାଳ ୮ଟା ଯାଏଁ ଯାତାୟାତ କରବାକୁ ଅନୁମତି ଦେଇଛନ୍ତି ସରକାର ।

ତେବେ ସଟଡାଉନ ସମୟରେ ଯାତାୟତ ପାଇଁ କୌଣସି ପାସ ଜାରି କରାଯିବ ନାହିଁ । ନିଜ ସଂସ୍ଥା ପକ୍ଷରୁ ଦିଆଯାଇଥିବା ପରିଚୟ ପତ୍ର ଦେଖାଇ ଯାଇପାରିବେ । ଟିକଟ ଦେଖାଇ ବିମାନ, ରେଳ ଓ ବସରେ ଯାତ୍ରା କରିପାରିବେ । ଜମାଟୋ, ସ୍ୱିଗି, ରିଲିୟାନ୍ସ ଫ୍ରେସ୍ ଭଳି ସଂସ୍ଥାରୁ ଖାଦ୍ୟ, ପନିପରିବା, ଗ୍ରୋସରୀ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ମଗାଇ ପାରିବେ ।