ଆସନ୍ତା ୨୦ ଯାଏ ରାଜ୍ୟରେ ମେଘୁଆ‌ ପାଗ ଓ ବର୍ଷା ! ଆଜି ୯ଟି ଜିଲ୍ଲାରେ ବର୍ଷା ସମ୍ଭାବନା

1,461

କନକ ବ୍ୟୁରୋ : ଗତକାଲି ଉତ୍ତର ଆଣ୍ଡାମାନ ସାଗରରେ ରହିଥିବା ଲଘୁଚାପ କ୍ଷେତ୍ର ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ରହିଛି । ଏହା ଆହୁରି ପଶ୍ଚିମକୁ ଗତି କରିବ ଓ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବ । ୧୮ ତାରିଖ ବେଳକୁ ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ଉତ୍ତର ତାମିଲନାଡ଼ୁ ଅଞ୍ଚଳ ଉପରେ ରହିବ ବୋଲି ଆକଳନ କରାଯାଉଛି । ଏହା ପ୍ରଭାବରେ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ପାଣିପାଗ କେନ୍ଦ୍ର କହିଛି, ଆଜି ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ ଓ ପୁରୀ‌ରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ । ସେହିପରି ୧୮ତାରିଖ ଆଡ଼କୁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଧା, ଜଗତସିଂହପୁର ଓ କନ୍ଧମାଳ ଆଦି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ୧୯ ତାରିଖ ଦିନ ଦକ୍ଷିଣ ଉପକୂଳ ଓଡ଼ିଶାର ସମସ୍ତ ସ୍ଥାନ ସମେତ ମାଲକାନଗିରି, କୋରାପୁଟ, ରାୟଗଡ଼ାର କିଛି କିଛି ସ୍ଥାନରେ ଅପେକ୍ଷାକୃତ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ୨୦ ତାରିଖ ଦିନ କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।

ଏବେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୨ ଡିଗ୍ରି ଅଧିକ ରହିଛି । ଆସନ୍ତା ୩ରୁ ୪ ଦିନ ମଧ୍ୟରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ଭୁବନେଶ୍ବର ଓ କଟକରେ ଏବେ ପାଗ ମେଘୁଆ ରହିଛି । ସର୍ବନିମ୍ନ ତାପମାତ୍ରା ୨୧ଡିଗ୍ରି ପାଖାପିଖି ରହିଛି । ଆଗକୁ ୨ଦିନ ପର୍ଯ୍ୟନ୍ତ ମଧ୍ୟ ଏହି ପାଗ ଜାରି ରହିବ ବୋଲି କେନ୍ଦ୍ର କହିଛି ।