ଏଣିକି ସମୁଦ୍ର ପଥରେ ଭାରତ ବିରୋଧରେ ହେଉଥିବା ଷଡଯନ୍ତ୍ରକୁ ପଣ୍ଡ କରିବ ବାୟୁସେନା । ଦକ୍ଷିଣ ଭାରତ ପଟୁ ଭାରତକୁ ଆକ୍ରମଣ କରିବାକୁ ଯୋଜନା କରୁଥିବା ଶତ୍ରୁଙ୍କୁ ମାତ ଦେବ ସୁଖୋଇ ଯୁଦ୍ଧ ବିମାନ । ଦେଶର ପ୍ରଥମ ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାବତ ଓ ବାୟୁସେନାର ଏୟାର ଚିଫ ମାର୍ଶାଲ ଆରକେଏସ ଭଦୋରିଆ ଆଜି ତାମିଲନାଡୁର ତାଞ୍ଜାଭୁର ଏୟାରବେସରେ ଯୁଦ୍ଧବିମାନ ସୁଖୋଇ-୩୦ଏମକେଆଇକୁ ସାମିଲ କରିଛ।

Advertisment

ଏହି ଅଵସରରେ ଡିଆରଡିଓର ଅଧ୍ୟକ୍ଷ ଜି.ସତୀଶ ରେଡ୍ଡୀ ମଧ୍ୟ ଉପସ୍ଥିତ ଥିଲେ। ଏହା ଦକ୍ଷିଣ ଭାରତର ପ୍ରଥମ ଲଢୁଆ ବିମାନ ସ୍କ୍ୱାଡ଼ରନ ହେବ ଯାହାକି ସମୁଦ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ।  ସୁଖୋଇ-୩୦ଏମକେଆଇରେ ବ୍ରହ୍ମୋସ ସୁପରସୋନିକ ମିସାଇଲ ଲଗାଯାଇଛି ଯାହାକି ୩୦୦ କିଲୋମିଟର ଦୂରରୁ ମଧ୍ୟ ଲକ୍ଷ୍ୟଭେଦ କରିପାରିବ ।

ତେବେ ନୂଆ ନାମ ଟାଇଗର ସାର୍କ ନାମରେ ପରିଚିତ ଏହି ଯୁଦ୍ଧ ବିମାନ ନିଜ ସହ ୨.୫ ଟନ ଓଜନର ସୁପରସୋନିକ ବ୍ରହ୍ମୋସ ମିସାଇଲ ରଖିପାରିବ।  ବାୟୁସେନାର ଏୟାର ଚିଫ ମାର୍ଶାଲ ଆରକେଏସ ଭଦୋରିଆ ଏହି ଅବସରରେ କହିଛନ୍ତି ଯେ ଏହି ଯୁଦ୍ଧ ବିମାନ ଦକ୍ଷିଣ ଭାରତରେ ଆମର ଶକ୍ତିକୁ ବୃଦ୍ଧି କରିବ । ବିଶେଷ କରି ସମୁଦ୍ର ଉପରେ ଶତ୍ରୁଙ୍କ ଉପରେ ନଜର ରଖିବାକୁ ଏହା କାର୍ଯ୍ୟ କରିବ। ଆଜି ଏହି ଯୁଦ୍ଧ ବିମାନ ସାମିଲ ହେବା ଅବସରରେ ୱାଟର ସାଲ୍ୟୁଟ ଦେଇ ସ୍ୱାଗତ କରାଯାଇଥିଲା।