କନକ ବ୍ୟୁରୋ : ୭୩ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଦାନ କରାଯାଇଛି ବୀରତା ପୁରସ୍କାର । ଆଉ ଏହି ବୀରତା ପୁରସ୍କାର ପାଇଥିବା ବୀରଙ୍କ ମଧ୍ୟରେ ରହିଛନ୍ତି ବାୟୁସେନାର ସ୍କ୍ୱାଡ୍ରନ ଲିର୍ଡର ମିଂଟି ଅଗ୍ରୱାଲ । ତାଙ୍କୁ ଯୁଦ୍ଧ ସେବା ମେଡାଲରେ ସମ୍ମାନିତ କରାଯାଇଛି । ବାଲାକୋଟ୍ ଆକ୍ରମଣ ପରଦିନ ପାକିସ୍ତାନ ଯୁଦ୍ଧ ବିମାନ ଭାରତ ଭିତରକୁ ପଶି ଆସିବା ପରେ ଏହାକୁ ଘଉଡାଇବାରେ ମିଂଟିଙ୍କର ରହିଥିଲା ପ୍ରମୁଖ ଯୋଗଦାନ । ସେଥିପାଇଁ ତାଙ୍କୁ ଏହି ବୀରତା ସମ୍ମାନରେ ସମ୍ମାନିତ କରିଛନ୍ତି ଭାରତ ସରକାର ।

Advertisment

ଭାରତୀୟ ବାୟୁସେନାର ଲଢୁଆ ଝିଅ । ସ୍କ୍ୱାଡ୍ରନ ଲିଡର ମିଣ୍ଟି ଅଗ୍ରୱାଲ । ଭାରତୀୟ ବାୟୁ ସେନାର ଏହି ଲଢ଼ୁଆ ଝିଅର କାହାଣୀ ଶୁଣିଲେ, ଆପଣଙ୍କ ମନରେ ବି ଅଦ୍ୟମ ସାହସ ସୃଷ୍ଟି ହେବ । ଏହି ମହିଳା ଅଫିସରଙ୍କ ଅବଦାନ ସଂପର୍କରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତମାନ ଯେତେବେଳେ ପାକିସ୍ତାନ ଫାଇଟର୍ ଜେଟ୍ ସହ ଡଗଫାଇଟରେ ବ୍ୟସ୍ତ ଥିଲେ, ସେତେବେଳେ ତାଙ୍କୁ ଗାଇଡ୍ କରୁଥିଲେ ବାୟୁସେନାର ମହିଳା କଂଟ୍ରୋଲର ମିଂଟି ଅଗ୍ରୱାଲ । କେବଳ ସେତିକି ନୁହେଁ ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ସମୟରେ ମଧ୍ୟ ମିଂଟିଙ୍କର ରହିଥିଲା ଗୁରୁତ୍ୱପୁର୍ଣ୍ଣ ଭୂମିକା ।

publive-image

ଫେବ୍ରୁଆରୀ ୨୭, ୨୦୧୯ । ବାଲାକୋଟ୍ ଏୟାରଷ୍ଟ୍ରାଇକର ପରଦିନ । ପୁଲୱାମା ଆକ୍ରମଣର ପ୍ରତିଶୋଧ ନେବା ପାଇଁ ପାକିସ୍ତାନ ବାଲାକୋଟରେ ଥିବା ଆତଙ୍କୀ ଶିବିର ଉପରେ ଭାରତ କରିଥିଲା ସର୍ଜିକାଲ ଷ୍ଟ୍ରାଇକ୍ । ଫେବ୍ରୁଆରୀ ୨୬ ତାରିଖ ରାତିରେ ସଫଳତାର ସହ ଏୟାରଷ୍ଟ୍ରାଇକ୍ କରି ଫେରି ଆସିଥିଲା ଭାରତୀୟ ବାୟୁସେନା । ଆଉ ତା’ ପରଦିନ ସକାଳେ ଏଫ୍-୧୬ ଲଢ଼ୁଆ ବିମାନ ଧରି ଭାରତୀୟ ସୀମା ଭିତରକୁ ଧସେଇ ପଶିବାର ଦୁଃସାହସ ଦେଖାଇଥିଲା ପାକିସ୍ତାନ । ତେବେ ଏଭଳି ଆକ୍ରମଣର ଆଶଙ୍କା କରି ପୂର୍ବରୁ ସଜାଗ ରହିଥିଲା ଭାରତୀୟ ବାୟୁସେନା ।

ପାକିସ୍ତାନ ବାୟୁସେନାର ଲଢୁଆ ବିମାନକୁ, ଭାରତୀୟ ସୀମା ଭିତରୁ ତଡ଼ି ଦେବା ପାଇଁ ମିଗ୍-୨୧-ବାଇସନ୍ ବିମାନ ଧରି ଆକାଶର ଛାତି ଚିରି ଉଡି ଯାଇଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ । ଆଉ କଂଟ୍ରୋଲ ରୁମରୁ ତାଙ୍କୁ ଗାଇଡ୍ କରୁଥିଲେ ସ୍କ୍ୱାଡ୍ରନ୍ ଲିଡର ମିଂଟି ଅଗ୍ରୱାଲ । ମଝି ଆକାଶରେ ଅଭିନନ୍ଦନ ଡଗଫାଇଟ୍ କରୁଥିଲେ, ଆଉ କଂଟ୍ରୋଲ ରୁମରେ ତାଙ୍କୁ ଗାଇଡ୍ କରୁଥିଲେ ମିଂଟି । ଅଭିନନ୍ଦନଙ୍କ ଗତିବିଧିକୁ ଅନୁସରଣ କରି ସଠିକ୍ ମାର୍ଗ ଦେଖାଉଥିଲେ ଏହି ମହିଳା ଅଫିସର । ତାଙ୍କର ୭ ଜଣିଆ ଟିମ୍ ପୂରା ଅପରେସନର ଗାଇଡ୍ କରୁଥିଲେ । ଆଉ ଏହି ଲଢ଼େଇରେ ପାକ୍ ଫାଇଟର୍ ପ୍ଲେନର ଗତିରୋଧ କରିବା ସହ ଏଫ୍-୧୬ ଭଳି ଆଧୁନିକ ଲଢ଼ୁଆ ବିମାନକୁ ଖସାଇ ଦେଇଥିଲେ ଅଭିନନ୍ଦନ ।

ଏହି ଅତୁଳନୀୟ ଅବଦାନ ପାଇଁ ସ୍କ୍ୱାଡ୍ରନ ଲିଡର ମିଂଟି ଅଗ୍ରୱାଲଙ୍କୁ ଯୁଦ୍ଧ ସେବା ମେଡାଲ୍ ସମ୍ମାନରେ ସମ୍ମାନିତ କରାଯାଇଛି । ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ତମାନଙ୍କୁ ମିଳିଛି ବୀର ଚକ୍ର । ସ୍ୱାଧୀନତା ଦିବସ ଅବସରରେ ମୋଟ ୧୩୨ ଜଣ ବୀର ଯବାନଙ୍କୁ ମିଳିଛି ସେନା ସମ୍ମାନ ।