ପ୍ରେମିକାଙ୍କ ସହ ସାମ୍ନାକୁ ଆସିଲେ ଦୂତୀ ଚାନ୍ଦ । ପତ୍ରିକାର କଭର ପେଜ୍ ପାଇଁ ଏକାଠି ସୁଟିଂ କଲେ ଦୂତୀ-ମୋନାଲିସା ।

1,870

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ଦୌଡରାଣୀ ଦୂତୀ ଚାନ୍ଦଙ୍କ ପ୍ରେମ କାହାଣୀ । ପାରିବାରିକ ପତ୍ରିକା କାଦମ୍ବିନୀର କଭର ପେଜ୍ ପାଇଁ ଫଟୋସୁଟ୍ ବେଳେ ତାଙ୍କ ଯୁବତୀ ବାନ୍ଧବୀଙ୍କ ସହ ସମ୍ପର୍କକୁ ନେଇ ଖୋଲାଖୋଲି ମତ ରଖିଛନ୍ତି ଦୂତୀ । ପତ୍ରିକାର ସମ୍ପାଦିକାଙ୍କ ଆଗରେ ବଖାଣିଲେ କେମିତି ହେଲା ଉଭୟଙ୍କ ମଧ୍ୟରେ ପ୍ରେମ, ଆଗକୁ ରହିବେ ଏକାଠି ।

ଅନ୍ତର୍ଜାତୀୟ ଧାବିକା ଦୂତୀଙ୍କ ଏହି ଫଟୋସୁଟ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରଥମ ଥର ପାଇଁ ସର୍ବସମ୍ମୁଖରେ ନିଜ ପ୍ରେମିକାଙ୍କ ସହ ନଜର ଆସିଛନ୍ତି ଦୂତୀ ଚାନ୍ଦ । ପ୍ରତିଷ୍ଠିତ ପାରିବାରିକ ପତ୍ରିକା କାଦମ୍ବିନୀର କଭର ପେଜ୍ ପାଇଁ ସେ ନିଜ ପାର୍ଟନର ସହ ଫଟୋ ସୁଟ୍ କରିଛନ୍ତି । ଅନ୍ତରଙ୍ଗ ଭାବେ ଦୁହିଁଙ୍କ ଫଟୋସୁଟ୍ ସାମ୍ନାକୁ ଆସିବା ପରେ ପୁଣି ଦୂତୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିବା ଦୂତି ଚାନ୍ଦ ଯେ ସାର୍ବଜନୀନ ଭାବେ ଫଟୋସୁଟ୍ କରିଛନ୍ତି ତା ନୁହେଁ, ପ୍ରେମ ସମ୍ପର୍କକୁ ମଧ୍ୟ ଖୋଲାଖୋଲି ସ୍ୱୀକାର କରିଛନ୍ତି ।

ପତ୍ରିକା ପାଇଁ ଦୂତୀ ଓ ତାଙ୍କ ପ୍ରେମିକାଙ୍କ ଫଟୋସୁଟ୍ ଅବସରରେ ଦୁଇ ଜଣଙ୍କ ସମ୍ପର୍କକୁ ନେଇ ଆଲୋଚନା କରିଥିଲେ କାଦମ୍ବିନୀର ସମ୍ପାଦିକା । ଏହି ଅବସରରେ ଦୂତୀ ପ୍ରଥମ ସାକ୍ଷାତ ଓ ଏହାପରେ ମୋନାଲିସାଙ୍କ ସହ କେମିତି ସମ୍ପର୍କରେ ନିବିଡତା ଆସିଥିଲା ତାହା ବଖାଣିଛନ୍ତି । ୨୦୧୭ରେ ଗାଁରେ ଖୁଦୁରୁକୁଣୀ ପୂଜାବେଳେ ମୋନାଲିସାଙ୍କୁ ଦେଖିଥିଲେ ଦୂତୀ । ଏହାପରେ ସମ୍ପର୍କ ଆଗକୁ ବଢିଲା ଦୁହେଁ ଦୁହିଁଙ୍କୁ ସାଥୀ ଭାବେ ବାଛି ନେଇଥିଲେ ବୋଲି କାଦମ୍ବିନୀ ସମ୍ପାଦିକାଙ୍କୁ କହିଛନ୍ତି ।

କାଦମ୍ବିନୀ ସମ୍ପାଦିକାଙ୍କ ସହ ଆଲୋଚନା ବେଳେ ମୋନାଲିସା ଖୋଲାଖୋଲି ସ୍ୱୀକାର କରିଛନ୍ତି, ଦୂତୀ ତାଙ୍କୁ ଉପହାର ଦିଅନ୍ତି ଏବଂ ଉଭୟେ ଏକାଠି ଭାଲେଣ୍ଟାଇନ୍ସ ଡେ ପାଳନ କରନ୍ତି । ସେପଟେ ଦୂତୀ ଚାନ୍ଦ କହିଛନ୍ତି ଏବେ ଦୁହେଁ ଏକାଠି ରହୁଛନ୍ତି, ଆଗକୁ ମଧ୍ୟ ମୋନାଲିସାଙ୍କ ସହ ରହିବେ ।