କନକ ବ୍ୟୁରୋ: କୋଟା, ରାଜସ୍ଥାନର ଏହି ସହର କୋଚିଂ ହବ୍ ଭାବେ ସାରା ଦେଶରେ ପରିଚିତ । ପ୍ରତିବର୍ଷ ଏହି ସହରକୁ ଦେଶର କୋଣ ଅନୁକୋଣରୁ ୨ରୁ ୩ଲକ୍ଷ ଛାତ୍ରଛାତ୍ରୀ କୋଚିଂ କରିବା ପାଇଁ ଆସନ୍ତି । କାହାର ଡାକ୍ତର ହେବାର ସ୍ୱପ୍ନ ଥାଏ, ତ ଆଉ କାହାର ଇଞ୍ଜିନିୟର ହେବାକୁ ଚାହୁଁଥାଏ । ନିଟ୍-ୟୁଜି ଏବଂ ଆଇଆଇଟି ଜେଇ କୋଚିଂ ପାଇଁ ଆସୁଥିବା ଏହି ଛାତ୍ରଛାତ୍ରୀମାନେ ସହରର ବିଭିନ୍ନ ହୋଷ୍ଟଲ ଓ ପିଜିରେ ରୁହନ୍ତି । ଏହି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏବେ ହୋଷ୍ଟେଲ ଗୁଡ଼ିକରେ ଲାଗୁଛି ସ୍ପ୍ରିଙ୍ଗ୍ ଫ୍ୟାନ୍ । କାରଣ, ଚଳିତ ବର୍ଷ ପାଠପଢ଼ା ଚାପ ଭିତରେ ୨୨ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

Advertisment

ଫ୍ୟାନରେ ସ୍ପ୍ରିଙ୍ଗ ଖଂଜି ଦିଆଯିବ । ଫଳରେ ଫ୍ୟାନରେ କୌଣସି ଓଜନିଆ ଜିନିଷ ଝୁଲିଲେ, ଫ୍ୟାନଟି ତଳକୁ ଓହଳି ଯିବ । ଦୈବାତ୍ ଯଦି କେହି ଆତ୍ମହତ୍ୟା ଉଦ୍ୟମ ପାଇଁ ଫ୍ୟାନର ବ୍ୟବହାର କରନ୍ତି, ତାହେଲେ ନିଜ ଉଦ୍ୟମରେ ବିଫଳ ହେବେ । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ଏଭଳି ଏକ ନିଷ୍ପତି ନେଇଛି କୋଟା ହୋଷ୍ଟେଲ ସଂଘ ।

ବଡ଼ କଥା ହେଉଛି- ରାଜସ୍ଥାନ କୋଟାରେ ବଢୁଛି ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା । ମାନସିକ ଚାପରୁ ଅନେକ ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଥିବା ଖବର ସବୁବେଳେ ଆସୁଛି । ଗତ ୮ ମାସରେ ୨୨ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । କୋଟା ସହରରେ ରହି ଏମାନେ କୋଚିଂ ନେଉଥିଲେ । ଗତ ବର୍ଷ ୧୫ରୁ ଅଧିକ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ । ଗତ ୮ ବର୍ଷ ମଧ୍ୟରେ ୧୧୦ରୁ ଅଧିକ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ସୂଚନା ରହିଛି । ଏପଟେ ମନସ୍ତତ୍ୱବିତଙ୍କ ମତ ଅନୁସାରେ, ମାନସିକ ବିସାଦ ଆତ୍ମହତ୍ୟାର ପ୍ରମୁଖ କାରଣ । ତେଣୁ ଏଭଳି ନିଷ୍ପତିକୁ ସ୍ୱାଗତ କରିବା ଆବଶ୍ୟକ ।

ନିଟ୍ ଓ ଜେଇ କୋଚିଂ ପାଇଁ ସାରା ଦେଶରେ ଖ୍ୟାତି ଅର୍ଜନ କରିଥିବା କୋଟା ସହର ମୁଣ୍ଡରେ ଏବେ ଆଉ ଏକ ଅପବାଦ ଯୋଡ଼ି ହୋଇଯାଇଛି । ଛାତ୍ର ମୃତ୍ୟୁର ସଂଖ୍ୟା କୋଟା ସହର ପାଇଁ ଅପବାଦ ଆଣି ଦେଇଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, କୋଟାକୁ କୋଚିଂ ନେବାକୁ ଆସୁଥିବା ଛାତ୍ରଛାତ୍ରୀ ମଧ୍ୟରେ ମାତ୍ର ୧୦% ଛାତ୍ରଛାତ୍ରୀ ହିଁ ସଫଳ ହୋଇଥାନ୍ତି ।