କନକ ବ୍ୟୁରୋ : ଇସ୍ପାତନଗରୀ ରାଉରକେଲାରେ ଏବେ ସାଂଘାତିକ ହେଲାଣି ଝାଡାବାନ୍ତି । ଡାଇରିଆରେ ଦୁଇଦିନରେ ୪ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ରାଉରକେଲା ସରକାରୀ ହସପିଟାଲରେ ୧୦୨ ଜଣ ରୋଗୀ ଭର୍ତ୍ତି ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ପାନପୋଷ. ଛେଣ୍ଡ କଲୋନୀ ସହ ବିଭିନ୍ନ ବସ୍ତି ଅଂଚଳ ତଥା ସେକ୍ଟରର ଅଧିକାଂଶ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । କେଉଁ କାରଣରୁ ଡାଇରିଆ ବ୍ୟାପିଲା ତାହା ଜଣାପଡିନାହିଁ । କାରଣ ଜାଣିବାକୁ ନମୁନାକୁ ପରୀକ୍ଷା ପାଇଁ ପଠାଯାଇଛି । ରୋଗୀ ବଢୁଥିବାରୁ ବେଡ ସଂଖ୍ୟା ବଢାଇବାକୁ ପଦକ୍ଷେପ ନିଆଯାଇଛି ।
ରାଉରକେଲାରୁ ଝାଡାବାନ୍ତିରେ ୪ ଜଣଙ୍କ ମୃତ୍ୟୁ ଖବର ଆସିବା ପରେ ସରକାର ବି ସତର୍କ ହୋଇଛନ୍ତି । ଭୁବନେଶ୍ୱରରୁ ୨ ଜଣିଆ ଡାକ୍ତରୀ ଟିମ୍ ସଂପୃକ୍ତ ଅଂଚଳକୁ ପଠାଯାଇଛି ।
-୨ରୁ ୪ ମୋବାଇଲ ହେଲ୍ଥ ଦଳ ନିୟୋଜିତ ଅଛନ୍ତି
-ଆହୁରି ୫୦ ବେଡ ସଂରକ୍ଷିତ କରି ରଖିବାକୁ ନିର୍ଦ୍ଦେଶ
-ବରିଷ୍ଠ ଡାକ୍ତର ନୋଡାଲ ଅଫିସର ଭାବେ କାମ କରିବେ
-ଜଳ ବିଶୋଧନ କରିବାକୁ ନିର୍ଦ୍ଦେଶ
ରାଉରକେଲାର ଡାଇରିଆ ସ୍ଥିତି ଉପରେ ସତର୍କ ନଜର ରଖାଯାଇ ଆବଶ୍ୟକ ପଦ କ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।
କିଛିଦିନ ତଳେ ରାଉରକେଲାରେ ଅଦିନିଆ ବର୍ଷା ହୋଇଥିଲା । ଆଉ ଦୂଷିତ ପାଣି ପିଇ ଏହି ରୋଗ ବ୍ୟାପିଥିବା ଚର୍ଚ୍ଚା ହେଉଛି । ତେବେ ନମୁନା ରିପୋର୍ଟ ଆସିବା ପରେ ହିଁ ଝାଡାବାନ୍ତିର ପ୍ରକୃତ କାରଣ ସ୍ପଷ୍ଟ ହେବ ।