କୀଟନାଶକ ପକାଇଲେ ମରିବନି କରୋନା । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଚେତାବନୀ, ରାସ୍ତାଘାଟ, ବଜାରରେ ରାସାୟନିକ ସିଞ୍ଚନ କଲେ ମଣିଷ ଉପରେ ପଡିବ କୁପ୍ରଭାବ ।

635

କନକ ବ୍ୟୁରୋ : ମହାମାରୀ କରୋନା ଭୂତାଣୁର ମୁକାବିଲା ପାଇଁ ରାସ୍ତା ଘାଟଠୁ ଆରମ୍ଭ କରି ଦୋକାନ ବଜାର, ଏପରିକି ଘର ଦ୍ୱାର ସବୁଠି କୀଟନାଶକ ପ୍ରୟୋଗ କରିବା ପାଇଁ ଉପଦେଶ ଦେଇଛନ୍ତି ଅନେକ ବୈଜ୍ଞାନିକ । ହେଲେ ଏହି କୀଟନାଶକ କରୋନା ଭୂତାଣୁକୁ ନିପାତ କରିବନି ବରଂ ସାଧାରଣ ଲୋକଙ୍କୁ ହାନି ପହଞ୍ଚାଇବ । ଏପରି କିଛି ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଚେତାବନୀ । କୀଟନାଶକ ପକାଇଲେ ମରିବନି କରୋନା । ମହାମାରୀ କରୋନା ସଂକଟ ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ପୁଣି ଏକ ଚେତାବନୀ ଦିଆଯାଇଛି । ଡବ୍ଲ୍ୟୁଏଚଓ କହିଛି ଖୋଲାସ୍ଥାନରେ କୀଟନାଶକ ପ୍ରୟୋଗ କଲେ କରୋନା ଭୂତାଣୁ ମରିବନି ବରଂ ଏହା ଆଖ ପାଖରେ ଥିବା ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ । କରୋନା ଭୂତାଣୁ କିମ୍ବା ଅନ୍ୟ ମାରାତ୍ମକ ଭୂତାଣୁକୁ ନିପାତ କରିବା ପାଇଁ ଖୋଲା ସ୍ଥାନରେ ଯେପରି ରାସ୍ତା, ବଜାର-ହାଟ ଆଦି ସ୍ଥାନରେ କୀଟନାଶକ ସିଂଚନ ଅବା ଧୂଆଁର ପ୍ରୟୋଗ କରିବା ପାଇଁ ଉପଦେଶ ଦେବା ଅନୁଚିତ । କାରଣ କୀଟନାଶକ ନାଳ ନର୍ଦ୍ଦମାରେ ନିଷ୍କ୍ରିୟ ହୋଇଯାଏ । ଆଉ ଏଥିରେ କରୋନା ଭୂତାଣୁର ନିପାତ ସମ୍ଭବ ନୁହେଁ ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କହିବା କଥା, ରାସ୍ତାରେ କି ଫୁଟପାଥରେ କରୋନା ଭୂତାଣୁ ସଂକ୍ରମଣ ହୋଇ ନଥାଏ । ତେଣୁ ଖୋଲାସ୍ଥାନରେ କୀଟନାଶକ ସିଂଚନ ପ୍ରଭାବ ବିହିନ ଏବଂ ଏହା ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ସାବ୍ୟସ୍ତ ହୋଇପାରେ ।

ଲୋକଙ୍କ ଉପରେ କ୍ଲୋରିନ୍ ଅଥବା ଅନ୍ୟ ରସାୟନିକ ଦ୍ରବ୍ୟ ସିଂଚନ କଲେ ଆଖି କିମ୍ବା ଚର୍ମରେ ଜଳାପୋଡା ହୋଇଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏନେଇ ଏକ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରଦାନ କରାଯାଇଛି । ଯେଉଁଥିରେ ଖୋଲା ସ୍ଥାନରେ କୀଟନାଶକ ପ୍ରୟୋଗ କ୍ଷତିକାରକ ବୋଲି ଦର୍ଶା ଯାଇଛି । ତେବେ କୌଣସି ସ୍ଥାନକୁ କୀଟାଣୁମୁକ୍ତ କରିବା ପାଇଁ ସେଠାରେ କୀଟନାଶକର ସିଂଚନ ପରିବର୍ତ୍ତେ କପଡାରେ ବୁଡାଇ ପୋଛିବାକୁ ଉପଦେଶ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।

ମାରାତ୍ମକ କରୋନା ଭୂତାଣୁରେ ସାରା ବିଶ୍ୱରେ ୪ ଲକ୍ଷ ୭୦ ହଜାରରୁ ଅଧିକ ଆକ୍ରାନ୍ତ ହୋଇ ସାରିଥିବାବେଳେ ମୃତ୍ୟୁ ସଂଖ୍ୟା ୩ଲକ୍ଷ ଟପି ସାରିଲାଣି । ଏପରି ସମୟରେ ସବୁ ବଡ ବଡ ଦେଶ କରୋନା ଚିକିତ୍ସା ପାଇଁ ଔଷଧ ଓ ଟୀକା ପ୍ରସ୍ତୁତିରେ ଲାଗି ପଡିଛନ୍ତି । ତେବେ ନିଜେ ସଚେତନ ଏବଂ ସତର୍କ ରହିବାକୁ ଡବ୍ଲୁଏଚଓ ପକ୍ଷରୁ ବାରମ୍ବାର ପରାମର୍ଶ ଦିଆଯାଉଛି ।