ପୁଣି ଚର୍ଚ୍ଚାରେ ଟିମ୍ ଇଣ୍ତିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଅଭିଷେକ ଶର୍ମା । ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ୍ ପରିଚିତ ଅଭିଷେକ । ଚଳିତ ଆଇପିଏଲ୍ରେ ମଧ୍ୟ କରିଛନ୍ତି ଦମଦାର ବ୍ୟାଟିଂ । ତେବେ ତାଙ୍କର ଏହି ପ୍ରଦର୍ଶନ ପଛରେ ରହିଛି ବଡ଼ ରହସ୍ୟ । ଖରାପ ଅଭ୍ୟାସ ଛାଡ଼ିବା ପରେ ମିଳିଛି ଏହି ସଫଳତା । ତାଙ୍କୁ ସୁଧାରିବା ପଛରେ ରହିଛି ଯୁବରାଜ ସିଂଙ୍କ ବଡ଼ ହାତ । ଏନେଇ ବଡ଼ ଖୁଲାସା କରିଛନ୍ତି ଯୁବରାଜଙ୍କ ବାପା ଯୋଗରାଜ ସିଂ ।
ବାପାଙ୍କ କଣ୍ଟ୍ରୋଲରେ ନଥିଲେ ଅଭିଷେକ । ଲେଟ୍ ନାଇଟ୍ ପାର୍ଟି ଆଉ ଗାର୍ଲଫ୍ରେଣ୍ତଙ୍କ ସହ ବୁଲିବାରେ ଥିଲେ ମସଗୁଲ । ଏହି ଖରାପ ଅଭ୍ୟାସରେ ବ୍ରେକ୍ ଲଗାଇଲେ ଟିମ୍ ଇଣ୍ତିଆର ପୂର୍ବତନ ଷ୍ଟାର କ୍ରିକେଟର ଯୁବରାଜ ସିଂ । ନିଜର ଜୀବନଶୈଳୀ ବଦଳାଇବାକୁ କଲେ ତାଗିଦ । ଯୁବରାଜଙ୍କ ପିତା ଯୋଗରାଜ ସିଂ ଏକ ସାକ୍ଷାତକାରରେ ଏହି ବଡ଼ ଖୁଲାସା କରିଛନ୍ତି ।
ଯୋଗରାଜ କହିଛନ୍ତି, ଅଭିଷେକଙ୍କ ବାପା ପୁଅର କ୍ରିକେଟିଂ କ୍ୟାରିୟରକୁ ନେଇ ବେଶ୍ ଚିନ୍ତିତ ଥିଲେ । ଏମିତି ଅଭିଷେକ ନିଜ ପିତାଙ୍କ କଣ୍ଟ୍ରୋଲରେ ନଥିବା ଯୁବରାଜଙ୍କୁ ଜଣାଇଥିଲେ । ଯୁବରାଜ ଅଭିଷେକଙ୍କୁ ଫୋନ୍ କରି ତାଗିଦ କରିଥିଲେ । କହିଥିଲେ କି ରାତି ୯ଟା ସୁଦ୍ଧା ଶୋଇ ସକାଳ 5ଟାରେ ଉଠି ଅଭ୍ୟାସ କରିବେ । ଏହାଛଡ଼ା ଲେଟ୍ ନାଇଟ୍ ପାର୍ଟି ଓ ଗାର୍ଲଫ୍ରେଣ୍ତ ସହ ବୁଲିବା ଉପରେ ରୋକ୍ ଲଗାଇଥିଲେ । ଯୁବରାଜଙ୍କ ତାଗିଦ୍ ଓ କୋଚିଂ ବଳରେ ଅଭିଷେକ ଆଜି ଟି-ଟ୍ୱେଣ୍ଟି ଫର୍ମାଟରେ ଟିମ୍ ଇଣ୍ତିଆର ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ହୋଇପାରିଛନ୍ତି ।
କେବଳ ଅଭିଷେକ ନୁହନ୍ତି ବରଂ ଶୁବମନ ଗିଲ୍ଙ୍କ ଭବିଷ୍ୟତ ସଜାଡ଼ିବାରେ ବି ଯୁବରାଜଙ୍କ ବଡ଼ ଭୂମିକା ରହିଛି । ଯୁବରାଜଙ୍କ ସହ ଅଭ୍ୟାସ କରି ଶୁବମନ ନିଜକୁ ଆନ୍ତର୍ଜାତୀୟ ସ୍ତରରେ ପ୍ରମାଣିତ କରିପାରିଛନ୍ତି । ପୃଥିବୀ ସ’ ଓ କାମ୍ୱଲିଙ୍କୁ ଟାର୍ଗେଟ କରି ଯୋଗରାଜ କହିଛନ୍ତି, ଆଜିକାଲି ଅନେକ ପ୍ରତିଭାବାନ ଖେଳାଳି ନିଜ ଖରାପ ଅଭ୍ୟାସ ପାଇଁ କ୍ରିକେଟ ଦୁନିଆରୁ ହଜିଯାଉଛନ୍ତି । ଯଦି ଗୋଟେ ହୀରା ଆଉ ଜଣେ ହୀରାଙ୍କ ହାତକୁ ଯାଆନ୍ତି, ତେବେ ତାହା କୋହିନୁର ପାଲଟି ଯାଆନ୍ତି । ଯେପରିକି ଅଭିଷେକ ଓ ଶୁବମନ୍ ଆଜି ଟିମ୍ ଇଣ୍ତିଆର ଷ୍ଟାର୍ କ୍ରିକେଟର ।
୨୦୧୮ U-19 ବିଶ୍ୱକପ୍ ବିଜୟୀ ଦଳରେ ଉଭୟ ଶୁବମନ ଓ ଅଭିଷେକ ରହିଥିଲେ । କିନ୍ତୁ ଶୁବମନ୍ ନିଜର ଭଲ ପ୍ରଦର୍ଶନ ବଳରେ ଶୀଘ୍ର ଟିମ୍ ଇଣ୍ତିଆରେ ସ୍ଥାନ ପକ୍କା କରିଥିବା ବେଳେ ଅଭିଷେକ ନିକଟରେ ହିଁ ଡେବ୍ୟୁ କରିଛନ୍ତି । କିନ୍ତୁ ଅଭିଷେକ ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି । ଉଭୟ ଆନ୍ତର୍ଜାତୀୟ ଓ ଆଇପିଏଲ୍ରେ ନିଜ ଜଲୱା ଦେଖାଇଛନ୍ତି ଅଭିଷେକ । ଯାହା ଫଳରେ ପ୍ରଥମଥର ପାଇଁ ବିସିସିଆଇ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ସ୍ଥାନ ପାଇଛନ୍ତି ଅଭିଷେକ ।