କନକ ବ୍ୟୁରୋ: ୭୦, ୮୦ ଦଶକରେ କ୍ରିକେଟ୍ ଜଗତରେ ୱେଷ୍ଟଇଣ୍ଡିଜ୍ ଦଳର ନାଁ ଶୁଣିଲେ, ପ୍ରତିପକ୍ଷ ଶିବିରରେ ଚିନ୍ତା ବଢୁଥିଲା । ବିଶ୍ୱ କ୍ରିକେଟର ସବୁଠାରୁ ଶକ୍ତିଶାଳୀ ଦଳ ଥିଲା ୱେଷ୍ଟଇଣ୍ଡିଜ୍ । ଭିଭିଆନ୍ ରିଚାର୍ଡ୍ସ, ବ୍ରାଏନ ଲାରା, ହୋଲ୍ଡିଂ, ମାର୍ଶାଲ, ଆମ୍ବ୍ରୋସଙ୍କ ଭଳି ଖେଳାଳି କ୍ରିକେଟ ଦୁନିଆରେ ରାଜ୍ କରୁଥିଲେ । ୧୯୭୫, ୧୯୭୯ରେ ବିଶ୍ୱବିଜେତା ବନିଥିଲା ୱେଷ୍ଟଇଣ୍ଡିଜ୍ । ୧୯୮୩ରେ ଭାରତଠୁ ହାରି ରନର୍ସଅପ୍ ହୋଇଥିଲା । ଏବେ କିନ୍ତୁ କ୍ରିକେଟରେ ୱେଷ୍ଟଇଣ୍ଡିଜ୍ ପାଇଁ ଆରମ୍ଭ ହୋଇଛି ଲଜ୍ଜ୍ୟାଜନକ ଅଧ୍ୟାୟ । 

Advertisment

କ୍ରିକେଟ୍ ଦୁନିଆରୁ ହଜିଯିବ କି ୱେଷ୍ଟଇଣ୍ଡିଜ୍? ଶୋଚନୀୟ ପ୍ରଦର୍ଶନ ପରେ ଏବେ ସବୁଠି ବଢୁଛି ଚର୍ଚ୍ଚା । ବିଶ୍ୱକପ୍ ଯୋଗ୍ୟତା ପାଇବାରୁ ମଧ୍ୟ ବାଦ୍ ପଡ଼ିଥିଲା ୱେଷ୍ଟଇଣ୍ଡିଜ୍ । ଆଗକୁ କ୍ରିକେଟରେ ୱେଷ୍ଟଇଣ୍ଡିଜକୁ ଆଉ ଦେଖିବାକୁ ମିଳିବନି କି? ଏପ୍ରଶ୍ନ ଏଥିପାଇଁ ଉଠୁଛି, ଯେତେବେଳେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚରେ ଅତ୍ୟନ୍ତ ଦୟନୀୟ ପ୍ରଦର୍ଶନ କରି ମାତ୍ର ୨୭ ରନରେ ଅଲଆଉଟ୍ ହୋଇଛି କାରିବିଆନ୍ ଟିମ୍ । ସବୁଠୁ ବଡ଼ କଥା ହେଉଛି ଦଳର ୭ଜଣ ଖେଳାଳି ଖାତା ବି ଖୋଲିପାରିନାହାନ୍ତି । ଆଉ ଟେଷ୍ଟ କ୍ରିକେଟରେ ଏଭଳି ଲଜ୍ଜ୍ୟାଜନକ ପରାଜୟ ପରେ ଦଳକୁ ସମାଲୋଚନା କରିଛନ୍ତି ଅନେକ ପୂର୍ବତନ କ୍ରିକେଟର । ଟେଷ୍ଟରେ ସର୍ବନିମ୍ନ ସ୍କୋରର ଅଲୋଡା ରେକର୍ଡ ନ୍ୟୁଜିଲାଣ୍ଡ ନାଁରେ ରହିଛି । ୧୯୫୫ରେ ଇଂଲଣ୍ଡ ବିପକ୍ଷରେ ମାତ୍ର ୨୬ ରନରେ ଅଲଆଉଟ୍ ହୋଇଥିଲା ନ୍ୟୁଜିଲାଣ୍ଡ । 

ଟେଷ୍ଟ କ୍ରିକେଟରେ ଦ୍ୱିତୀୟ ସର୍ବନିମ୍ନ ସ୍କୋରର ଅଲୋଡ଼ା ରେକର୍ଡ କରିଛି ୱେଷ୍ଟଇଣ୍ଡିଜ୍ । ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ୨୦୪ ରନର ଲକ୍ଷ୍ୟକୁ ପିଛା କରି ମାତ୍ର ୨୭  ରନରେ ଅଲଆଉଟ୍ ହୋଇଛି ଦଳ । ବାମହାତୀ ଦ୍ରୁତ ବୋଲର ମିଚେଲ୍ ଷ୍ଟାର୍କଙ୍କ ରେକର୍ଡ ୬ୱିକେଟ୍ ସଫଳତା ଓ ସ୍କଟ୍ ବୋଲାଣ୍ଡଙ୍କ ହ୍ୟାଟ୍ରିକ୍ ଯୋଗୁଁ ଅଷ୍ଟ୍ରେଲିଆ ଏହି ମ୍ୟାଚକୁ ୧୭୬ରନରେ ଜିତିବା ସହ ଟେଷ୍ଟ ସିରିଜକୁ ୩-୦ରେ କ୍ଲିନସୁଇପ୍ କରିଛି । 

ଯଦିଓ ଟି-୨୦ରେ ୱେଷ୍ଟଇଣ୍ଡିଜ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଟେଷ୍ଟରେ କ୍ରମାଗତ ଭାବେ ଜାରି ରହିଛି ଖରାପ ପଦର୍ଶନ । ତେବେ ପ୍ରଶ୍ନ ଉଠିବା ସ୍ୱଭାବିକ ଯେ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଟିମକୁ ଲାଗିଛି କାହାର ନଜ? ଦିନେ ବିଶ୍ୱ କ୍ରିକେଟରେ ରାଜ୍ କରୁଥିବା ଟିମ୍ ଆଜି କାହିଁକି କରୁଛି ସଂଘର୍ଷ । ଟି-୨୦ ମ୍ୟାଚ ଅଧିକ ଖେଳିବା, ଖେଳାଳିଙ୍କୁ ପ୍ରୋତ୍ସାହନ ନମିଳିବା, ଘରୋଇ ଲିଗ୍ ଖେଳିବା ପାଇଁ ଖେଳାଳିଙ୍କ ଅଧିକ ଆଗ୍ରହ ଯୋଗୁଁ ଦଳର ଏଭଳି ଅବସ୍ଥା ବୋଲି ମତ ରଖିଛନ୍ତି ଅନେକ କ୍ରିକେଟ୍ ବିଶେଷଜ୍ଞ । 

ଇଟାଲୀ, ଆୟର୍ଲାଣ୍ଡ, ନେଦରଲାଣ୍ଡସ ଭଳି ଛୋଟ ଛୋଟ ଟିମ୍ କ୍ରିକେଟରେ ବଡ଼ ବଡ଼ ଦେଶକୁ ହରାଇ କମାଲ କରୁଥିବାବେଳେ, ୱେଷ୍ଟଇଣ୍ଡିଜ ନାଁରେ ଯୋଡିହୋଇ ଚାଲିଛି ଗୋଟିଏ ପରେ ଗୋଟିଏ ଅଲୋଡ଼ା ରେକର୍ଡ । ଏପରିକି ୨୦୨୩ ଦିନିକିଆ ବିଶ୍ୱକପ୍ ପାଇଁ ଯୋଗ୍ୟତା ହାସଲ କରିବାରେ ମଧ୍ୟ ବିଫଳ ହୋଇଥିଲା ୱେଷ୍ଟଇଣ୍ଡିଜ୍ । ଆଗକୁ ଦଳର ପ୍ରଦର୍ଶନ କେମିତି ରହିବ, ଏବେ ତା’ ଉପରେ ଏବେ ସମସ୍ତଙ୍କ ନଜର ।