ଟେଷ୍ଟ ଓ ଟି-ଟ୍ୱେଣ୍ଟି କ୍ରିକେଟକୁ ଅଲବିଦା କହିସାରିଥିବା କ୍ୟାପ୍ଟେନ୍ ରୋହିତ ଶର୍ମାଙ୍କୁ ୨୦୨୭ ବିଶ୍ୱକପ୍ରେ ଅଧିନାୟକତ୍ୱ କରୁଥିବାର ଦେଖିବାକୁ ମିଳିପାରେ । ଆଇସିସିର ପୋଷ୍ଟର ରିଲିଜ୍ ପରେ ବଢ଼ିଲା ହଲଚଲ । ଦିନିକିଆ କ୍ରିକେଟକୁ ରୋହିତ ଅଲବିଦା କରିଦେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏଥିରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡ଼ିଛି । ଟିମ୍ ଇଣ୍ତିଆ ଅକ୍ଟୋବରରେ ୩ ଟିକିଆ ଦିନିକିଆ ସିରିଜ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବ । ଆଉ ଏହି ଟିମ୍ରେ ରୋହିତ ବି ନଜର ଆସିପାରନ୍ତି ।
ପୁଣି କ୍ୟାପ୍ଟେନ ଅନ୍ଦାଜରେ ଧମାଲ ମଚାଇପାରନ୍ତି ରୋହିତ ଶର୍ମା । ଆଇସିସିର ପୋଷ୍ଟର ଆଉ ବଢ଼ିଲା ଚର୍ଚ୍ଚା । ଯାହା ଫ୍ୟାନ୍ସଙ୍କ ମନରେ ଉତ୍ସାହ ବଢ଼ାଇଦେଇଛି । ୨୦୨୬ ଭାରତ-ଇଂଲଣ୍ତ ଦିନିକିଆ ସିରିଜ୍ ପାଇଁ ଖେଳସୂଚୀ ଜାରି କରାଯାଇଛି । ଯେଉଁ ପୋଷ୍ଟରରେ ହ୍ୟାରି ବ୍ରୁକ୍ଙ୍କ ସହ ରୋହିତ ଶର୍ମା ନଜର ଆସିଛନ୍ତି । ବର୍ତ୍ତମାନ ରୋହିତ ଟିମ୍ ଇଣ୍ତିଆ ଦିନିକିଆ କ୍ୟାପ୍ଟେନ ଥିବା ବେଳେ ହ୍ୟାରି ବ୍ରୁକ୍ ଇଂଲଣ୍ତର କ୍ୟାପ୍ଚେନ ରହିଛନ୍ତି ।
ଆଇସିସିର ପୋଷ୍ଟର ଫ୍ୟାନ୍ସଙ୍କ ମନରେ ଫ୍ୟାନ୍ସଙ୍କ ମନରେ ଉତ୍ସାହ ଭରିଦେଇଛି । ଫ୍ୟାନ୍ସଙ୍କୁ ଭାବିବା ପାଇଁ ବାଧ୍ୟ କରିଛି ଯେ ରୋହିତ ପୁଣି ଥରେ ବିଶ୍ୱକପ୍ରେ ଟିମ୍ ଇଣ୍ତିଆକୁ ଲିଡ୍ କରିବେ । ଆଶ୍ଚର୍ଯ୍ୟର କଥା ହେଲା ଆଇସିସି ଏହି ଫଟୋ ପୋଷ୍ଟ କରିବାର କିଛି ସମୟ ମଧ୍ୟରେ ଏହାକୁ ହଟାଇ ଦେଇଛି । କିନ୍ତୁ ଆଇସିସିର ଏହି ପୋଷ୍ଟର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ରୋହିତଙ୍କ ଖେଳିବା ନେଇ ବିସିସିଆଇ କି ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ଗମ୍ଭୀର କହିଛନ୍ତି ମୁଣ୍ତ ଉପରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ରହିଛି । ପ୍ରଥମେ ତାହା ଉପରେ ଫୋକସ୍ କରିବାକୁ ପଡ଼ିବ । ୨୦୨୭ ନଭେମ୍ବର-ଡିସେମ୍ବରରେ ଦିନିକିଆ ବିଶ୍ୱକପ୍ ରହିଛି । ଏଥିପାଇଁ ଯଥେଷ୍ଟ ସମୟ ରହିଛି । ଯଦି ସେମାନଙ୍କ ପ୍ରଦର୍ଶନ ଭଲ ରହେ, ତେବେ ବୟସ କେବଳ ସଂଖ୍ୟା ମାତ୍ର ।
ବର୍ତ୍ତମାନ ଟି-ଟ୍ୱେଣ୍ଟିରେ ସୂର୍ଯ୍ୟକୁମାର ଯାଦବ ଓ ଟେଷ୍ଟରେ ଶୁବମନ ଗିଲ କ୍ୟାପ୍ଟେନସିପ୍ ଭାର ତୁଲାଉଛନ୍ତି । ଏବେ ଯାଏଁ ରୋହିତ ଦିନିକିଆ ଦଳର କ୍ୟାପ୍ଟେନ ରହିଛନ୍ତି । ତେବେ ଆଗାମୀ ଦିନରେ ଦିନିକିଆର ମଙ୍ଗ କିଏ ଧରିବ, ତାହା ଉପରେ ରହିଛି ନଜର ।