କନକ ବ୍ୟୁରୋ: ଭାରତୀୟ କ୍ରିକେଟ ଟିମର ଅନେକ ଖେଳାଳି ଏବେ ଆଇସିସି ରାକିଂର ଏକ ନମ୍ବର ସ୍ଥାନରେ ରହି ରେକର୍ଡ କରିଛନ୍ତି । ବିଶ୍ବ କ୍ରିକେଟ୍ ଜଗତରେ ଭାରତୀୟ ଖେଳାଳି ମାନେ ନିଜର ଦବଦବା ଜାହିର କରୁଥିଲେ ମଧ୍ୟ ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟ ହେଉ କିମ୍ବା ନିର୍ଣ୍ଣାୟକ ମ୍ୟାଚ୍ , ଅନେକ ସମୟରେ ଫେଲ୍ ମାରୁଛନ୍ତି ବର୍ତ୍ତମାନର ଯୁବ ଭାରତୀୟ ଟିମ୍ ।
ନିକଟରେ ପ୍ରକାଶ ପାଇଥିବା ଆଇସିସି ରାକିଂରେ ଟିମ୍ ଇଣ୍ଡିଆ ଖେଳାଳି ଶୀର୍ଷ ସ୍ଥାନରେ ରହିଛନ୍ତି । ଯେମିତିକି ଶୁବମନ୍ ଗିଲ୍ ଦିନିକିଆରେ ଶ୍ରେଷ୍ଠ ବ୍ୟାଟର୍, ଅଭିଶେଷକ ଶର୍ମା ଟି-୨୦ରେ ଶ୍ରେଷ୍ଠ ବ୍ୟାଟର୍, ଜସପ୍ରୀତ ବୁମରାହ ନମ୍ବର ୱାନ୍ ଟେଷ୍ଟ୍ ବୋଲର୍, ରବୀନ୍ଦ୍ର ଜାଡ଼େଜା ଟେଷ୍ଟ୍ ମ୍ୟାଚରେ ଶ୍ରେଷ୍ଠ ଅଲ୍-ରାଉଣ୍ଡର୍ ଓ ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ରେ ନମ୍ବର ୱାନ୍ ଅଲ୍-ରାଉଣ୍ଡର୍ ଭାବେ ଦବଦବା ଜାହିର କରିଛନ୍ତି । ଦେଶ ପାଇଁ ଏହା ଯେତିକି ଗୌରବମୟ ସେତିକି ଫ୍ୟାନ୍ସ ମାନଙ୍କ ପାଇଁ ବି ଖୁସି । ହେଲେ ଏତେ ସବୁ ଶ୍ରେଷ୍ଠ ଖେଳାଳି ଥିବା ସତ୍ତ୍ୱେ ବି ବଡ଼ ବଡ ଟୁର୍ଣ୍ଣାମେଣ୍ଟ, ଯେମିତି କି ବିଶ୍ୱକପ୍, ଆଇସିସି ଟ୍ରଫିରେ ବାରମ୍ବାର ଭାରତ ବିଫଳ ହେଉଛି ।
ଟିମ୍ ଇଣ୍ଡିଆର ବିଫଳତାର ପଛରେ କିଛି ମୂଳ କାରଣ ହେଉଛି ବଡ଼ ମ୍ୟାଚ୍ରେ ଚାପ ନ ସହିପାରିବା । ଭାରତୀୟ ଖେଳାଳି ବ୍ୟକ୍ତିଗତ ଭାବେ ଯେତେ ଶ୍ରେଷ୍ଠ ପ୍ରଦର୍ଶନ କରନ୍ତୁନା କାହିଁକି, ଟିମ୍ ଭାବେ ଚାପରେ ଚେପା ହୋଇଯାଆନ୍ତି । ଦ୍ୱିତୀୟତଃ ନିଷ୍ପତ୍ତି ନେବାରେ ଦୀର୍ଘ ସମୟ ନେବା ବା ଦ୍ବନ୍ଦ୍ବରେ ରହିବା । ଟିମ ଚୟନରେ କ୍ରିକେଟ ବୋର୍ଡର ବ୍ୟବସ୍ଥାକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଥାଏ । ତୃତୀୟ କାରଣ ହେଉଛି, ଟୁର୍ଣ୍ଣାମେଣ୍ଟରେ ବେଳେବେଳେ ଆଗୁଆ ରଣନୀତି ଅଭାବ । ଅନ୍ୟ ଟିମ୍ ମ୍ୟାଚ ଅନୁସାରେ ଯେଉଁପରି ରଣନୀତି କରନ୍ତି, ଭାରତ ସେମିତି ଧାରା ଅନୁସରଣ କରୁନାହିଁ । ମାନସିକ ଚାପ ପାଇଁ ବି ଫେଲ୍ ମାରୁଛି ଟିମ୍ ଇଣ୍ଡିଆ ବୋଲି କ୍ରିକେଟ୍ ସମୀକ୍ଷକ କୁହନ୍ତି ।
ସେପଟେ ଅନ୍ୟ ଏକ କାରଣ ହେଉଛି, ଦୀର୍ଘ ସିଜିନରେ ଖେଳାଳିଙ୍କ ଶାରୀରିକ ଓ ମାନସିକ ଅସୁସ୍ଥତା ଟିମ୍ ଇଣ୍ଡିଆକୁ ବ୍ୟାକଫୁଟକୁ ନେଇଯାଏ । ବିପକ୍ଷ ଟିମ୍ ଭଲ ରଣନୀତି ଓ ଆନାଲିସିସ୍ ସହ ଭାରତୀୟ ଟିମକୁ ପଛରେ ପକାଇଦେଉଛି । ଏବେ ପ୍ରଶ୍ନ ଉଠୁଛି, ବ୍ୟକ୍ତିଗତ ପ୍ରଦର୍ଶନଠୁ ଦୂରରେ ରହି ଟିମ୍ ପାଇଁ ମିଳିମିଶି ଖେଳିବାକୁ ପଡ଼ିବ । ସବୁଠାରୁ ବଡ଼ କଥା ହେଲା ବଡ଼ ବଡ଼ ମ୍ୟାଚରେ ଚାପ ସହିବା ଓ ଅନୁଭବ ଅନୁସାରେ ରଣନୀତି କରିଲେ ହିଁ ଭାରତର ବିଜୟ ସୁନିଶ୍ଚିତ ହେବ ।