କନକ ବ୍ୟୁରୋ : ୧୮ ବର୍ଷର ପ୍ରତୀକ୍ଷା ପରେ ଆଇପିଏଲ୍ ଟାଇଟଲ ଜିତିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ନୂଆ ବିଜେତା ଟିମ୍‌କୁ ବେଙ୍ଗାଲୁରୁର ଚିନ୍ନସ୍ବାମୀ ଷ୍ଟାଡିୟମରେ ସମ୍ବର୍ଦ୍ଧିତ କରାଯାଇଥିଲା । ତେବେ ସମ୍ମାନ ପୂର୍ବରୁ ଏଭଳି କିଛି ଘଟିଗଲା, ଯାହା କେହି କଳ୍ପନା କରିନଥିବେ । ଷ୍ଟାଡିୟମ ବାହାରେ ଦର୍ଶକଙ୍କ ଭିଡ଼ ଏତେ ମାତ୍ରାରେ ଜମିଥିଲା ଯେ ଦଳାଚକଟା ଭଳି ପରିସ୍ଥିତି ଉପୁଜିଥିଲା । ଆଉ ଏହି ଦଳାଚକଟାରେ ୧୧ଜଣଙ୍କ ମୃତ୍ୟୁ ହୋଇଛି । ଷ୍ଟାଡିୟମ ବାହାରେ ହଜାର ହଜାର ପ୍ରଶଂସକ ନିଜ ପ୍ରିୟ ଖେଳାଳିଙ୍କ ଟିକିଏ ଝଲକ ପାଇବା ପାଇଁ ଜମାଇଥିଲେ ଭିଡ଼ । କିନ୍ତୁ କେହି ଭାବିନଥିଲେ ବି ଏମିତି ପରିସ୍ଥିତି ଉପୁଜିବ । ବିଜୟ ଉତ୍ସବ ବେଳେ ଷ୍ଟାଡିୟମ ବାହାରେ ଓ ଭିତରେ ହଠାତ୍ ଭିଡ଼ ଅଣାୟତ ହୋଇଥିଲା । 

Advertisment

ପୁଲିସ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଲାଠିଚାର୍ଜ କରିଥିଲା, ଯାହା ପରେ ଆରମ୍ଭ ହୋଇଥିଲା ଧସ୍ତାଧସ୍ତି । ଭିକ୍‌ଟ୍ରୀ ପରେଡ୍ ସନ୍ଧ୍ୟା ୫ଟା ବେଳେ ହେବାର ଥିଲା, କିନ୍ତୁ ତାହା ହୋଇପାରିଲା ନାହିଁ । ଘଟଣାସ୍ଥଳରେ ଜରୁରୀକାଳୀନ ସେବା ପହଞ୍ଚିଥିବା ବେଳେ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆୟୋଜକଙ୍କ ଅବହେଳା ଓ ଭିଡ଼ ନିୟନ୍ତ୍ରଣରେ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ପୁଲିସ ପ୍ରଶାସକ ପୂରା ଘଟଣାର ଯାଞ୍ଚ କରୁଛି । ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ସାର୍ବଜନୀନ କରାଯାଇନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଁଏ ସହାୟତା ସହାୟତା ଦେବାକୁ ଘୋଷଣା କରାୟାଇଛି ।  ଚିନ୍ନ ସ୍ବାମୀ ଷ୍ଟାଡିୟମର କ୍ଷମତା ୩୫ ହଜାର ଥିବାବେଳେ ବାହାରେ ୩ ଲକ୍ଷ ଲୋକ ଜମା ହୋଇଥିଲେ । ସେଥିପାଇଁ ଏଭଳି ଦଳଚକଟା ହେଲା ବୋଲି କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ।