Virat Kohli Photograph: (Kanak News)
କନକ ବ୍ୟୁରୋ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ନଂ୧ ମାନ୍ୟତା ପ୍ରଦାନ କରିଛି । ଦୀର୍ଘ ୪ ବର୍ଷ ପରେ ବିରାଟ ଏହି ନଂ୧ ସ୍ଥାନ ଫେରିପାଇଛନ୍ତି । ବୁଧବାର ପ୍ରକାଶିତ ସଦ୍ୟତମ ମାନ୍ୟତା ତାଲିକାରେ ବିରାଟ ୭୮୫ ଅଙ୍କ ସହ ନଂ୧ ସ୍ଥାନରେ ଅଛନ୍ତି । ଏହାପରେ ଭାରତୀୟ କ୍ରିକେଟପ୍ରେମୀ ଓ ବିରାଟଙ୍କ ପ୍ରସଂଶକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା । କିନ୍ତୁ ଏହି ଖୁସି ଅଧିକ ଦିନ ନ ରହିବା ପରି ଲାଗୁଛି । ତାଙ୍କର ଏହି ନଂ୧ ଆସନ ଏବେ ବିପଦରେ । ଏହି ବିପଦର କାରଣ ହେଉଛନ୍ତି ନ୍ୟୁଜିଲାଣ୍ଡର ତାରକା ବ୍ୟାଟ୍ସମ୍ୟାନ ଡାରିଲ ମିଚେଲ୍ । ସେ ଏବେ ଯେପରି ଖେଳୁଛନ୍ତି, ଲାଗୁଛି ସେ ଖୁବଶୀଘ୍ର ବିରାଟଙ୍କୁ ଟପି ନଂ୧ ଆସନ ଅକ୍ତିଆର କରିବେ ।
ସଦ୍ୟତମ ଆଇସିସି ମାନ୍ୟତାରେ ବିରାଟଙ୍କୁ ୭୮୫ ଅଙ୍କ ପ୍ରଦାନ କରାଯାଇଥିବାବେଳେ ମିଚେଲଙ୍କୁ ୭୮୪ ଅଙ୍କ ପ୍ରଦାନ କରାଯାଇଛି । ଅର୍ଥାତ ବିରାଟଙ୍କଠାରୁ ମିଚେଲ ମାତ୍ର ଗୋଟିଏ ଅଙ୍କ ପଛରେ ରହିଛନ୍ତି । ବୁଧବାର ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ମ୍ୟାଚ ପୂର୍ବରୁ ଆଇସିସିର ତାଲିକା ପ୍ରକାଶ ପାଇଥିଲା । କିନ୍ତୁ ଏହି ମ୍ୟାଚରେ ବିରାଟ ମାତ୍ର ୨୩ ରନ କରି ଆଉଟ ହୋଇଥିବାବେଳେ ମିଚେଲ ଅପରାଜିତ ୧୩୧ ରନର ମ୍ୟାଚ ବିଜୟୀ ପାଳି ଖେଳିଥିଲେ । ଏହି ପାଳି ପରେ ତାଙ୍କର ଅଙ୍କ ଆହୁରି ବଢିବାର ସମ୍ଭାବନା ଅଛି । ଯଦି ୩ୟ ଦିନିକିଆରେ ବିରାଟ ଏକ ବଡ଼ ପାଳି ନ ଖେଳନ୍ତି, ତାଙ୍କର ନଂ୧ ଆସନ ହାତରୁ ଖସିଯିବା ନିଶ୍ଚିତ ।
ଅଧିକ ପଢ଼ନ୍ତୁ : ନ୍ୟୁଜିଲାଣ୍ଡ ବିପକ୍ଷରେ ସର୍ବାଧିକ ବ୍ୟକ୍ତିଗତ ରନ : ସଚିନଙ୍କ କିର୍ତ୍ତିମାନ ଭାଙ୍ଗିଲେ ବିରାଟ
ଗତକାଲି ରାଜକୋଟ ଦିନିକିଆକୁ ନ୍ୟୁଜିଲାଣ୍ଡ ୭ ୱିକେଟ୍ରେ ଜିତି ନେଇଛି । ଫଳରେ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ୧-୧ ସ୍ତରକୁ ଚାଲି ଆସିଛି । ସେଥିପାଇଁ ମଧ୍ୟ ଇନ୍ଦୋରରେ ୧୮ ତାରିଖ ଦିନ ଖେଳଯିବାକୁ ଥିବା ତୃତୀୟ ତଥା ଶେଷ ଦିନିକିଆ ଶୃଙ୍ଖଳା ନିର୍ଣ୍ଣାୟକ ପାଲଟି ଯାଇଛି । ସେହିଭଳି କେଏଲ୍ ରାହୁଲଙ୍କ ପ୍ରତୀକ୍ଷିତ ଶତକକୁ କିୱି ବ୍ୟାଟର୍ ଡାରିଲ ମିଚେଲ ଫିକା କରି ଦେଇଛନ୍ତି । ବୁଧବାର ଭାରତୀୟ କ୍ରିକେଟ୍ ଦଳ ରାହୁଲଙ୍କ ଲଢ଼ୁଆ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୮୪ ରନ୍ କରିଥିଲା । ଜବାବରେ ମାତ୍ର ୪୬ ରନ୍ରେ ଉଭୟ ଓପନର୍ଙ୍କୁ ହରାଇ ନ୍ୟୁଜିଲାଣ୍ଡ ସଂଘର୍ଷ କରିଥିଲା । ହେଲେ ନିର୍ଭରଯୋଗ୍ୟ ମିଚେଲ (୧୩୧*) ଓ ୱିଲ ୟଙ୍ଗ (୮୭) ତୃତୀୟ ୱିକେଟ୍ରେ ୧୬୨ ରନ୍ର ଭାଗୀଦାର ଗଢ଼ି ଭାରତ ହାତରୁ ଏକପ୍ରକାର ମ୍ୟାଚ୍ ଛାଡ଼ାଇ ନେଇଥିଲେ । ୟଙ୍ଗଙ୍କୁ ୩୮ତମ ଓଭରରେ ଆଉଟ୍ କରି ସ୍ପିନର୍ କୁଲଦୀପ ଯାଦବ ସେମାନଙ୍କୁ ଅଲଗା କରିଥିଲେ । ତେବେ ମିଚେଲ ଅବିଭାଜିତ ଚତୁର୍ଥ ୱିକେଟ୍ରେ ଗ୍ଲେନ୍ ଫିଲିପ୍ସ (୩୨*)ଙ୍କ ସହ ମିଶି ୭୮ ରନ୍ ସଂଗ୍ରହ କରି ନିଜ ଦଳକୁ ୧୫ ବଲ୍ ପୂର୍ବରୁ ମହତ୍ତ୍ବପୂର୍ଣ୍ଣ ବିଜୟ ଉପହାର ଦେବା ସହ ଶୃଙ୍ଖଳାକୁ ଜୀବନ୍ତ ରଖିଥିଲେ ।
Follow Us