Vijay Hazare Trophy Photograph: (Internet)
କନକ ବ୍ୟୁରୋ : ଆଇପିଏଲକୁ ଫିକା ପକାଇଦେବ ବିଜୟ ହଜାରେ ଟ୍ରଫି । କାରଣ ଏଥର ମେଗା ଇଭେଣ୍ଟ ହେବାକୁ ଯାଉଛି ଏହି ଟୁର୍ଣ୍ଣାମେଣ୍ଟ । ବଡ଼ ବଡ଼ ଷ୍ଟାର ଖେଳାଳି ଏଥର ବିଜୟ ହଜାରେ ଟ୍ରଫି ଖେଳିବେ । ଆଉ ଏଥିରେ ଦେଖିବାକୁ ମିଳିବ ଅଭିଷକ ଶର୍ମାଙ୍କ ଛକା ଚୌକା ବର୍ଷାଠାରୁ ଆରମ୍ଭ କରି ମହମ୍ମଦ ସାମିଙ୍କ ଦୁର୍ଦ୍ଦଶ ବୋଲିଂ ଦେଖିବାକୁ ମିଳିବ ।
ଭାରତୀୟ ଘରୋଇ କ୍ରିକେଟର ଦିନିକିଆ ଟୁର୍ଣ୍ଣାମେଣ୍ଟ 'ବିଜୟ ହଜାରେ ଟ୍ରଫି ୨୦୨୫-୨୬' ଏଥର ହଠାତ୍ 'ଭିଆଇପି' ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଘୋଷିତ ଦଳଗୁଡ଼ିକରେ ଏମିତି ଅନେକ ଚେହେରା ସାମିଲ ଅଛନ୍ତି, ଯେଉଁମାନେ ଟିମ୍ ଇଣ୍ଡିଆର ସୁପରଷ୍ଟାର ଭାବେ ଜଣାଶୁଣା । ଏମାନେ ସେହିଭଳି ଖେଳାଳି, ଯାହାଙ୍କୁ ଦେଖିବା ପାଇଁ କ୍ରିକେଟ୍ ପ୍ରେମୀମାନେ ଷ୍ଟାଡିୟମରେ ହଜାର ହଜାର ଟଙ୍କାର ଟିକେଟ୍ କିଣି ପହଞ୍ଚିଥାନ୍ତି ।
ଏବେ ଏହି ସୁପରଷ୍ଟାରମାନେ ବିଜୟ ହଜାରେ ଟ୍ରଫିର ଅତିକମରେ ପ୍ରଥମ ରାଉଣ୍ଡରେ ଖେଳୁଥିବାର ନଜର ଆସିବେ, କାରଣ ଏହା ପରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଘରୋଇ ସିରିଜ୍ ଥିବାରୁ ଏହି ଷ୍ଟାର୍ କ୍ରିକେଟରମାନଙ୍କୁ ଟିମ୍ ଇଣ୍ଡିଆର ଡ୍ୟୁଟି ପାଇଁ ରିଲିଜ୍ କରାଯାଇପାରେ । ଏହି ଖେଳାଳିଙ୍କ ମଧ୍ୟରେ ବିରାଟ କୋହଲି ଏବଂ ରୋହିତ ଶର୍ମା ମଧ୍ୟ ସାମିଲ ଅଛନ୍ତି, ଯାହାଙ୍କୁ ଦେଖିବା ପାଇଁ ଷ୍ଟାଡିୟମରେ ପ୍ରଶଂସକଙ୍କ ପ୍ରବଳ ଭିଡ଼ ଜମିବାର ସମ୍ଭାବନା ରହିଛି ।
ଅଧିକ ପଢ଼ନ୍ତୁ : ୨ ବର୍ଷ ବନବାସ ପରେ କିସାନଙ୍କ କମ୍ବ୍ୟାକ୍ ; ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ବର୍ଷିବ ଈଶାନଙ୍କ ବ୍ୟାଟ୍ !
ଟିମ୍ ଇଣ୍ଡିଆର ହ୍ୱାଇଟ୍ ବଲ୍ ସ୍କ୍ୱାଡ୍ରୁ ବାହାରେ ଥିବା ଧୁରନ୍ଧର ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ମଧ୍ୟ ବିଜୟ ହଜାରେ ଟ୍ରଫିରେ ଖେଳୁଛନ୍ତି । ପନ୍ତଙ୍କୁ ଦିଲ୍ଲୀର ଅଧିନାୟକ କରାଯାଇଛି, ଯେଉଁଥିପାଇଁ ସେ ସମସ୍ତ ମ୍ୟାଚ୍ ଖେଳିବା ନିଶ୍ଚିତ ବୋଲି କୁହାଯାଉଛି । ସେହିପରି ଅନ୍ୟମାନଙ୍କ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା, ଶୁବମନ ଗିଲ୍, ଇଶାନ କିଷନ, କେଏଲ ରାହୁଲ, ଋତୁରାଜ ଗାଏକ୍ୱାର୍ଡ, ଅଭିଷେକ ଶର୍ମା, ଅର୍ଶଦୀପ ସିଂ, ରିଙ୍କୁ ସିଂ, ମହମ୍ମଦ ସାମି, କରୁଣ ନାୟର, ସାର୍ଦ୍ଦୁଲ ଠାକୁର ଓ ମୟଙ୍କ ଅଗ୍ରଓ୍ୱାଲଙ୍କ ଭଳି ଖେଳାଳି ସାମିଲ ଅଛନ୍ତି ।
ଏହି ଟୁର୍ଣ୍ଣାମେଣ୍ଟରେ ଚାରୋଟି ଏଲିଟ୍ ଗ୍ରୁପ୍ ଏବଂ ଗୋଟିଏ ପ୍ଲେଟ୍ ଗ୍ରୁପ୍ ରହିଛି । ପ୍ରତ୍ୟେକ ଏଲିଟ୍ ଗ୍ରୁପରେ ୮-୮ଟି ଲେଖାଏଁ ଦଳ ରଖାଯାଇଥିବା ବେଳେ ପ୍ଲେଟ୍ ଗ୍ରୁପରେ ୬ଟି ଦଳକୁ ସ୍ଥାନ ମିଳିଛି । ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ୧୮ ଜାନୁଆରୀରେ ଖେଳାଯିବ । ଅନ୍ତର୍ଜାତୀୟ ମ୍ୟାଚ୍ ନଥିବା ସମୟରେ ଟିମ୍ ଇଣ୍ଡିଆର କ୍ରିକେଟରମାନଙ୍କ ପାଇଁ ଘରୋଇ ଟ୍ରଫି ଖେଳିବାକୁ BCCI ବାଧ୍ୟତାମୂଳକ କରିଛି । ଏହି କାରଣରୁ ଅନେକ ଷ୍ଟାର୍ କ୍ରିକେଟର ବିଜୟ ହଜାରେ ଟ୍ରଫିରେ ନଜର ଆସିବେ ।
ବିଜୟ ହଜାରେ ଟ୍ରଫି ୨୦୨୫-୨୬ର ଶୁଭାରମ୍ଭ ଆଜିଠାରୁ ଆରମ୍ଭ ହେଉଛି । ଜାନୁଆରୀ ୮ ପର୍ଯ୍ୟନ୍ତ ଗ୍ରୁପ୍ ଷ୍ଟେଜ୍ ମ୍ୟାଚ୍ ଚାଲିବ । ଜାନୁଆରୀ ୧୨ ଏବଂ ୧୩ ରେ କ୍ୱାର୍ଟର ଫାଇନାଲ୍, ସେହିପରି ଜାନୁଆରୀ ୧୫ ଏବଂ ୧୬ରେ ସେମିଫାଇନାଲ୍ ଦେଖିବାକୁ ମିଳିବ । ଏହି ବଡ଼ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ୧୮ ଜାନୁଆରୀ ୨୦୨୬ ରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ । ତଥାପି, ଟିମ୍ ଇଣ୍ଡିଆର ଦିନିକିଆ ସ୍କ୍ୱାଡରେ ଥିବା ଖେଳାଳିମାନେ କେବଳ ୮ ଜାନୁଆରୀ ପର୍ଯ୍ୟନ୍ତ ଉପଲବ୍ଧ ରହିବେ, କାରଣ ୧୧ ଜାନୁଆରୀ ୨୦୨୬ରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍ ଆରମ୍ଭ ହେଉଛି । ଏହି କାରଣରୁ ବଡ଼ ଖେଳାଳିମାନେ ନକ୍ଆଉଟ୍ ମୁକାବଲାରେ ଅଂଶଗ୍ରହଣ କରିପାରିବେ ନାହିଁ ।
Follow Us