Miller Photograph: (Internet)
କନକ ବ୍ୟୁରୋ : ଚଳିତ ଟ୍ୱେଣ୍ଟି-୨୦ ବିଶ୍ୱକପ୍ର ସୁପର-୮ ମୁକାବିଲାରେ ଭାରତ ୭୬ ରନ୍ର ବଡ଼ ବ୍ୟବଧାନରେ ଦକ୍ଷିଣ ଆଫ୍ରିକାଠାରୁ ହାରିବାର ମୂଳ କାରଣ ଥିଲେ ଏହି ଦଳର ବିସ୍ଫୋରକ ବ୍ୟାଟର୍ ଡେଭିଡ୍ ମିଲର । କେବଳ ୨୦ ରନ୍ରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା ବେଳେ ମିଲରଙ୍କ ଧୂଆଁଧାର ୬୩ ରନ୍ (୩୫ ବଲ୍, ୭ ଚୌକା, ୩ ଛକା) ପାଇଁ ୧୮୭/୭ ରନ୍ର ସମ୍ମାନଜନକ ସ୍କୋର୍ କରି ନେଇଥିଲା ଦକ୍ଷିଣ ଆଫ୍ରିକା ।
ଅଧିକ ପଢ଼ନ୍ତୁ : ଜିମ୍ବାୱେ ପରୀକ୍ଷା ପାଇଁ ପିଚ୍ ଆଶ୍ବସ୍ତି, ବାମହାତୀଙ୍କ ଭିଡ଼ ପାଇଁ ଚିନ୍ତା
ଜବାବରେ ଭାରତ ମାତ୍ର ୧୧୧ ରନ୍ କରିବାକୁ ସକ୍ଷମ ହୋଇଥିଲା । ଭାରତର ଏହି ଶୋଚନୀୟ ପରାଜୟ ପରେ ମିଲରଙ୍କ ସହ ଆର୍ଜେ ପ୍ରିନ୍ସୀ ପାରିଖ ନାମକ ଜଣେ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ରିଲ୍ କରି ଭାରତୀୟ ପ୍ରଶଂସକଙ୍କ ରୋଷର ଶିକାର ହୋଇଛନ୍ତି । ନିଜ ଇନ୍ଷ୍ଟାଗ୍ରାମରେ ଏହି ରିଲ୍କୁ ପୋଷ୍ଟ କରି ପାରିଖ ଲେଖିଥିଲେ, ଡେଭିଡ୍ ମିଲର ! କି ଚମତ୍କାର ଖେଳାଳି । ଆମେ ଏବେ ବନ୍ଧୁ । ଏହି ରିଲ୍ ଓ ଲେଖା ଯୋଗୁ କିନ୍ତୁ ସେ ଭୀଷଣ ଟ୍ରୋଲ୍ର ଶିକାର ହୋଇଛନ୍ତି । ଯିଏ ଭାରତକୁ ହରାଇଲା ତା’ ସହ ରିଲ୍ କରି ତତେ ଲାଜ ଲାଗୁନି ବୋଲି କିଛି କ୍ଷୁବ୍ଧ ଭାରତୀୟ ପ୍ରଶଂସକ ତାଙ୍କୁ ଟ୍ୱିଟ୍ କରିଛନ୍ତି ।
ଆଉ କେତେକ ପ୍ରଶଂସକ ରାଗରେ ନିଆଁବାଣ ହୋଇ ମୋଟି ତଳେ ସମସ୍ତେ ମିଶିକି ଦୁଷ୍କର୍ମ କରିବୁ ଭଳି ଲଜ୍ଜାଜନକ ଲେଖା ମଧ୍ୟ ଲେଖିଛନ୍ତି । ତାଙ୍କୁ ବିଭିନ୍ନ ପ୍ରକାର ଧମକ ମିଳୁଥିବା ଆଉ ଏକ ପୋଷ୍ଟରେ ପରିଖ ଲେଖିଛନ୍ତି । ସେହିଭଳି ଆବଶ୍ୟକ ହେଲେ ଏଭଳି ଖରାପ ଲୋକଙ୍କ ବିରୋଧରେ ଅଦାଲତକୁ ଯିବେ ବୋଲି ଏଥିରେ ଲେଖିଛନ୍ତି ସେ । ପରେ ଅବଶ୍ୟ ଟ୍ରୋଲ୍କୁ ସହି ନପାରି ଉଭୟ ଫେସବୁକ୍ ଓ ଇନଷ୍ଟାଗ୍ରାମରୁ ନିଜର ସେହି ଚର୍ଚ୍ଚିତ ରିଲ୍କୁ ଡିଲିଟ୍ କରି ଦେଇଛନ୍ତି ପାରିଖ ।
Follow Us