କନକ ବ୍ୟୁରୋ: ଖାଲି ସମୀରେ ନୁହେଁ ଏସିଆ କପରେ ବି ଲାଗି ରହିଛି ଭାରତ-ପାକିସ୍ତାନ ବିବାଦ । ସୁପର-୪ର ହାଇଭୋଲ୍ଟେଜ୍ ମ୍ୟାଚରେ ଦୁଇ ପାକିସ୍ତାନୀ କ୍ରିକେଟର୍ ସାହିବଜାଦା ଫରହାନ ଓ ହାରିସ୍ ରୌଫ କରିଥିବା ଅଶାଳୀନ ଇଙ୍ଗିତ ବିରୋଧରେ ବିସିସିଆଇର କଡ଼ା ଆଭିମୁଖ୍ୟ । ଆଇସିସି ନିକଟରେ ବିସିସିଆଇ ଫେରାଦ ହେବା ପରେ ଏବେ ଯେ କୌଣସି ମୁହୂର୍ତ୍ତରେ ବି ପାକ୍ ଖେଳାଳିଙ୍କ ବିରୋଧରେ ହୋଇପାରେ ଆକ୍ସନ୍ । ଯାହାକୁ ନେଇ ପୁଣି ଥରେ ବିସିସିଆଇ ଓ ପିସିବି କଳି ବଢ଼ିଥିବା ଦେଖିବାକୁ ମିଳିଛି ।

Advertisment

ଗତ ରବିବାର ଖେଳାଯାଇଥିବା ଭାରତ ବିପକ୍ଷ ସୁପର-୪ ମ୍ୟାଚ୍ ବେଳେ ଫରହାନ ଅର୍ଦ୍ଧଶତକ ପୂରଣ କରିବା ପରେ ଏକେ-୪୭ ବନ୍ଧୁକ ଫୁଟାଇବା ଭଙ୍ଗୀରେ ସେଲିବ୍ରେସନ କରିଥିଲେ । ସେହିଭଳି ସୀମାରେଖା ପାଖରେ ଫିଲ୍ଡିଂ କରୁଥିବା ବେଳେ ରୌଫ ଭାରତର ରାଫେଲ ଜାହାଜ ମାରି ଖସାଇବା ଭଳି ଅଙ୍ଗଭଙ୍ଗୀ କରି ଭାରତୀୟ ପ୍ରଶଂସକଙ୍କୁ କଟାକ୍ଷ କରିଥିଲେ । ଦୁଇ ଭାରତୀୟ ଓପନର୍ ଅଭିଷେକ ଶର୍ମା ଓ ଶୁବମନ୍ ଗିଲ୍ ବ୍ୟାଟିଂ କରୁଥିଲା ବେଳେ ମଧ୍ୟ ପାକିସ୍ତାନ ଖେଳାଳି ସେମାନଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିଥିଲେ । ରୌଫ ୱିକେଟ୍ ନେଲାବେଳେ ବି ଏଭଳି ବିବାଦୀୟ ସେଲିବ୍ରେସନ୍ କରିଥିଲେ । ଏତେ ସବୁ ପରେ ବି ମୁହଁଫୁଟାଣି ମାରି ପ୍ରେସମିଟରେ ଫରହାନ୍ ନିଜ ସେଲିବ୍ରେସନ୍ ଠିକ୍ ବୋଲି ପ୍ରମାଣିତ କରିବାକୁ ଯାଇ ଯିଏ ଯାହା ଭାବୁ ମୋର କିଛି ଯାଏ ଆସେ ନାହିଁ ବୋଲି କହିଥିଲେ ।

ବଡ଼କଥା ହେଉଛି ପହଲଗାମ ଆତଙ୍କୀ ହମଲା ଓ ପରେ ଭାରତର ଅପରେସନ୍ ସିନ୍ଦୂରକୁ ଆଧାର କରି ଦୁଇ ପାକ୍ ଖେଳାଳି ପଡ଼ିଆ ଭିତରୁ ରାଜନୈତିକ ସନ୍ଦେଶ ଦେଇଥିବା ସ୍ପଷ୍ଟ ଜଣାପଡୁଥିଲା । ଏସବୁକୁ ଆଖି ଆଗରେ ରଖି ବିସିସିଆଇ ଗତ ବୁଧବାର ଆଇସିସିକୁ ଇ-ମେଲ୍ ଯୋଗେ ଅଭିଯୋଗ କରିଛି । ଉଭୟ ଆଇସିସି ଆଚରଣ ନିୟମ ଉଲ୍ଲଙ୍ଘନ କରିଥିବା ବିସିସିଆଇ ଅଭିଯୋଗ କରିଛି । ଆଇସିସି ମଧ୍ୟ ସେମାନଙ୍କୁ ନୋଟିସ୍ ଜାରି କରିଛି । ଫରହାନ ଓ ରୌଫ ଯଦି ଲିଖିତ ଭାବେ ଏହି ଅଭିଯୋଗକୁ ଖଣ୍ଡନ କରନ୍ତି, ତାହେଲେ ସେହି ମ୍ୟାଚର ଦ୍ଵିତୀୟ ରେଫରି ରିକି ରିଚାର୍ଡସନ୍ ମାମଲାର ଆନୁଷ୍ଠାନିକ ଶୁଣାଣି କରି ଦଣ୍ଡବିଧାନ କରିପାରିବେ ।

ସେପଟେ ପିସିବି ମଧ୍ୟ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବିରୋଧରେ ଆଇସିସି ପାଖରେ ପାଲଟା ଅଭିଯୋଗ କରିଛି । ପିସିବିର ଅଭିଯୋଗ ଅନୁସାରେ ପୁରସ୍କାର ବିତରଣୀ ଉତ୍ସବ ବେଳେ ସୂର୍ଯ୍ୟକୁମାର ରାଜନୈତିକ ସନ୍ଦେଶ ଦେଇ ଆଇସିସି ଆଚରଣ ସଂହିତା ଉଲ୍ଲଙ୍ଘନ କରିଛନ୍ତି ବୋଲି ପିସିବି କହିଛି । ଏପଟେ ଆଇସିସି ନୋଟିସର ଯବାବ ଦେଇ ସାରିଛନ୍ତି ସୂର୍ଯ୍ୟକୁମାର । ସେପଟେ ସାହିବଜାଦା ଓ ରୌଫଙ୍କୁ ନେଇ ଯେ କୌଣସି ମୁହୂର୍ତ୍ତରେ ଆକ୍ସନ ନେଇପାରେ ଆଇସିସି ବୋଲି କ୍ରୀଡ଼ା ସମୀକ୍ଷକ କହିଛନ୍ତି ।