କନକ ବ୍ୟୁରୋ: ବିଶ୍ୱ କ୍ରିକେଟରେ ବର୍ତ୍ତମାନ ଟିମ ଇଣ୍ଡିଆକୁ ନେଇ ଜୋରଦାର ଚର୍ଚ୍ଚା। ଏ ଚର୍ଚ୍ଚା ଏମିତି ସେମିତି ନୁହେଁ। କାନପୁରରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟକୁ ନେଇ ଏହି ଚର୍ଚ୍ଚା। କିପରି ସବୁ ପୂର୍ବାନୁମାନକୁ ଭୁଲ ପ୍ରମାଣିତ କରି ରୋହିତ ଶର୍ମା ଓ ଆଣ୍ଡ କୋ. ଟେଷ୍ଟ ମ୍ୟାଚ ଜିତିଲା, ତାକୁ ନେଇ ଆଶ୍ଚର୍ଯ୍ୟ ହୋଇଛି କ୍ରିକେଟ୍ ଜଗତ। ବର୍ଷା ଯୋଗୁଁ କାନପୁର ଟେଷ୍ଟର ପ୍ରଥମ ତିନି ଦିନ ଖେଳ ବାଧାପ୍ରାପ୍ତ ହୋଇଥିଲା। ପ୍ରଥମ ଦିନରେ ମାତ୍ର ୩୫ ଓଭର ଖେଳ ସମ୍ଭବ ହୋଇଥିଲା। ତେବେ ଦ୍ବିତୀୟ ଓ ତୃତୀୟ ଦିନର ଖେଳ ବର୍ଷା ଧୋଇ ଦେଇଥିଲା। ଚତୁର୍ଥ ଦିନରେ ବାଂଲାଦେଶ ତା’ର ପୂର୍ବଦିନର ସ୍କୋର ୧୦୭/୩ରୁ ଖେଳ ଆରମ୍ଭ କରିଥିଲା। ତେବେ ଭାରତୀୟ ବୋଲର ଭ୍ରମଣକାରୀ ଦଳକୁ ୨୩୩ ରନରେ ଅଲଆଉଟ୍ ହୋଇଥିଲା। ହାତରେ ଆଉ ଦେଢ଼ ଦିନ ଥିବାରୁ ମ୍ୟାଚ୍ ଏକପ୍ରକାର ଡ୍ର’ ହେବା ନିଶ୍ଚିତ ବୋଲି ଭାବି ନେଇଥିଲେ ସମସ୍ତେ। କିନ୍ତୁ କ୍ୟାପଟେନ୍ ରୋହିତ ଶର୍ମା ଓ କୋଚ ଗୌତମ ଗମ୍ଭୀରଙ୍କ ମନରେ କିଛି ଅଲଗା ଚାଲିଥିଲା। ପ୍ରଥମ ଇନିଂସ ବ୍ୟାଟିଂ କରିବାକୁ ଆସିବା ମାତ୍ରକେ ବାଂଲାଦେଶ ବୋଲରଙ୍କୁ ଧୁଲେଇ ଆରମ୍ଭ କରିଥିଲେ ଯଶସ୍ବୀ ଜୈସୱାଲ ଓ ରୋହିତ ଶର୍ମା। ଦେଖୁ ଦେଖୁ ଓଭରରେ ଟିମ୍ ଇଣ୍ଡିଆର ସ୍କୋର ୫୦ ଅତିକ୍ରମ କରିଯାଇଥିଲା। ରୋହିତଙ୍କ ଆଉଟ୍ ପରେ ମଧ୍ୟ ଟିମର ରନ୍ ଗତି ଥମିନଥିଲା। ଯିଏ କ୍ରିଜକୁ ଆସିଲା, ବାଂଲା ବୋଲରଙ୍କ ଉପରେ ଦୟା ଦେଖାଇ ନଥିଲେ। ଏହିପରି ଭାବେ ଭାରତ ଦ୍ରୁତ ୧୦୦, ୧୫୦, ୨୦୦ ରନ୍ କରି ଟେଷ୍ଟ କ୍ରିକେଟରେ ବିଶ୍ୱ ରେକର୍ଡ ସ୍ଥାପନ କରିଥିଲା। ଆଉ ଭାରତ ମାତ୍ର ୩୪.୪ ଓଭରରେ ୨୮୫ ରନ୍ କରି ଇନିଂସ ଘୋଷଣା କରିଥିଲା। ଭାରତର ଏହି ଇନିଂସ ପରେ ବିଶ୍ବ କ୍ରିକେଟ ଯେପରି ସଦମାକୁ ଚାଲିଯାଇଥିଲା। ଟେଷ୍ଟ କ୍ରିକେଟରେ ପୁଣି ଟି-୨୦ ବ୍ୟାଟିଂ। ହୁଏତ ଏମିତି ଦୁର୍ଦ୍ଦଶ ବ୍ୟାଟିଂ ପୂର୍ବରୁ କେବେ ଦେଖିନଥିବା କ୍ରିକେଟ ଜଗତ। ଇଂଲଣ୍ଡର ବାଜବଲ କ୍ରିକେଟକୁ ମଧ୍ୟ ପଛରେ ପକାଇ ଦେଇଛି ଭାରତର ଏହି ବ୍ୟାଟିଂ। ଏହି ବ୍ୟାଟିଂ ଭାରତ କାନପୁର ଟେଷ୍ଟକୁ ୭ ୱିକେଟରେ ଜିତି ସିରିଜ ହାତେଇ ନେଇଛି।
କାନପୁର ଟେଷ୍ଟ ଜିତି ସିରିଜ୍ ହାତେଇଲା ଟିମ ଇଣ୍ଡିଆ: ବାଂଲାଦେଶ ବିପକ୍ଷରେ ରୋହିତ ଶର୍ମାଙ୍କ ରଣନୀତିକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା
Advertisment
Follow Us