କନକ ବ୍ୟୁରୋ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେଉଛି । ଏହି ସିରିଜର ପ୍ରଥମ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ ପକ୍ଷରୁ ଦଳ ଘୋଷଣା କରାଯାଇଛି । ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ଜସପ୍ରୀତ ବୁମରା ଏବଂ ଋଷଭ ପନ୍ତ ଦଳକୁ ଫେରିଛନ୍ତି । ଏମାନଙ୍କ ବ୍ୟତୀତ ଦୁଲିପ ଟ୍ରଫିରେ ଭଲ ପ୍ରଦର୍ଶନ କରିଥିବା ୟଶ ଦୟାଲ ଏବଂ ଆକାଶ ଦୀପଙ୍କୁ ମଧ୍ୟ ଦଳରେ ସୁଯୋଗ ମିଳିଛି । ଦୁଇ ମ୍ୟାଚ୍ ବିଶିଷ୍ଟ ରେଡ୍ ବଲ୍ ସିରିଜର ପ୍ରଥମ ମ୍ୟାଚ୍ ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ । ଦଳର ନେତୃତ୍ବ ରୋହିତ ଶର୍ମାଙ୍କ ହାତରେ ରହିଛି । ଫର୍ମ ସହିତ କ୍ରମାଗତ ଭାବରେ ସଂଘର୍ଷ କରୁଥିବା ଶ୍ରେୟାସ ଆୟର ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ସୁଯୋଗ ପାଇ ନାହାଁନ୍ତି । ଶ୍ରୀଲଙ୍କା ବିପକ୍ଷ ଏକଦିବସୀୟ ସିରିଜରେ ତାଙ୍କର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ ଚାରିଜଣ ସ୍ପିନରଙ୍କୁ ଅନ୍ତର୍ଭୁକ୍ତ କରିଛି । ରବିଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ ଏବଂ କୁଲଦୀପ ଯାଦବଙ୍କୁ ଦଳରେ ସାମିଲ କରାଯାଇଛି । ଚେନ୍ନାଇ ପିଚ୍ ସ୍ପିନରଙ୍କ ପାଇଁ ସହାୟକ ବୋଲି ବିବେଚନା କରାଯାଉଛି । ଏଭଳି ପରିସ୍ଥିତିରେ ଜାଡେଜା ଏବଂ ଅଶ୍ୱିନ୍ ବାଂଲାଦେଶ ବ୍ୟାଟ୍ସମ୍ୟାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି ।