ପୁଣି ଚର୍ଚ୍ଚାରେ ପାଣ୍ତ୍ୟା ବ୍ରଦର୍ସ । ନିଜର ବଡ଼ ହୃଦୟ ପାଇଁ ସାଉଁଟିଛନ୍ତି ଚର୍ଚ୍ଚା । ଯାହାଙ୍କ ପାଇଁ ଆଜି ସଫଳତାର ଶିଖର ଛୁଇଁଛନ୍ତି । ତାଙ୍କୁ ନ ଭୁଲି ବରଂ ଖୋଲା ହାତରେ କରିଛନ୍ତି ସାହାଯ୍ୟ । ଉଭୟ ଅନ୍ଫିଲ୍ଡ ଓ ଅଫ୍ଫିଲ୍ଡରେ ସବୁବେଳେ ଚର୍ଚ୍ଚା ସାଉଁଟିଛନ୍ତି ଏହି ଦୁଇ ଭାଇ ।
ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ତର ହାର୍ଦ୍ଦିକ ପାଣ୍ଡ୍ୟା । କେତେବେଳେ ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ତ କେତେବେଳେ ନିଜର ଷ୍ଟାଇଲ ଲୁକ୍ ଓ ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାର ବିଷୟ ପାଲଟନ୍ତି । ହାର୍ଦ୍ଦିକ ଓ ତାଙ୍କ ବଡ଼ ଭାଇ କୃଣାଲ ପାଣ୍ଡ୍ୟା IPL ୨୦୨୫ରେ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଫ୍ୟାନ୍ସଙ୍କ ହୃଦୟ ଜିତିଥିଲେ । ବର୍ତ୍ତମାନ ଉଭୟ ନିଜ ଖେଳ ପାଇଁ ନୁହେଁ ବରଂ ମାନବିକତା ପାଇଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।
ସଫଳତାର ଶିଖରରେ ପହଞ୍ଚିବା ପରେ ବି ପାଣ୍ଡ୍ୟା ବ୍ରଦର୍ସ ଭୁଲି ନାହାଁନ୍ତି ନିଜ ପିଲା ଦିନର କୋଚ ଜିତେନ୍ଦ୍ର ସିଂହଙ୍କୁ । ନିଜ ସକ୍ଷମତା ଅନୁଯାୟୀ କରିଛନ୍ତି ସାହାଯ୍ୟ । କୋଚ୍ ଜିତେନ୍ଦ୍ର ସିଂହ ଏକ ସାକ୍ଷାତକାରରେ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, କିଭଳି ଦୁଇ ଭାଇ ତାଙ୍କୁ ପ୍ରତିଟି ଅସୁବିଧା ସମୟରେ ସାହାଯ୍ୟ କରିଛନ୍ତି ଓ ତାଙ୍କ ପାଖରେ ଛିଡ଼ା ହୋଇଛନ୍ତି । ୨୦୧୮ରେ ଜିତେନ୍ଦ୍ର ସିଂହ ପ୍ରଥମ ଭଉଣୀର ବିବାହ ହୋଇଥିଲା । ସେ ସମୟରେ କୃଣାଲ ଓ ହାର୍ଦ୍ଦିକ ଆର୍ଥିକ ଭାବରେ ବହୁତ ସାହାଯ୍ୟ କରିଥିଲେ । ୨୦୨୪ରେ ଦ୍ବିତୀୟ ଭଉଣୀ ବାହାଘରରେ ବି ଅନେକ ଉପହାର ଦେଇଥିଲେ ।
ଜିତେନ୍ଦ୍ର ଆହୁରି କହିଛନ୍ତି, ହାର୍ଦ୍ଦିକ ନିଜ ପ୍ରଥମ ସିରିଜି ତଥା ୨୦୧୫-୧୬ରେ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ ତାଙ୍କୁ ଏକ କାର ଗିଫ୍ଟ ଦେଇଥିଲେ । ଆର୍ଥିକ ଦୃଷ୍ଟିକୋଣରୁ ସେତେ ସୁଦୃଢ ବି ହୋଇନଥିଲେ । ତଥାପି ଗୁରୁଙ୍କୁ କାର ଉପହାର ଦେଇଥିଲେ । ତାଙ୍କ କୋଚ୍ କିଭଳି ଭଲରେ ଯିବା ଆସିବା କରିପାରିବେ ସେଥିପାଇଁ ୫ରୁ ୬ଲକ୍ଷ ଟଙ୍କାର କାର କିଣିଦେଇଥିଲେ ।
କେବଳ ସେତିକି ନୁହେଁ ଜିତେନ୍ଦ୍ର ନିଜ ମାଆଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବା ହାର୍ଦ୍ଦିକଙ୍କୁ ଜଣାଇଥିଲେ । ହାର୍ଦ୍ଦିକ କହିଥିଲେ ଆପଣ ଆପଣ ଟଙ୍କା କଥା ଚିନ୍ତା କରନ୍ତୁନି, ମାଆଙ୍କର ଯତ୍ନ ନିଅନ୍ତୁ । ଏହାଛଡ଼ା ୨୦୧୭ ଏବଂ ୨୦୧୯ରେ ମୁମ୍ବାଇ ଆଇପିଏଲ ଜିତିବା ପରେ ହାର୍ଦ୍ଦିକ ଏବଂ କୃଣାଲ ଉଭୟ ଜିତେନ୍ଦ୍ରଙ୍କୁ ଆର୍ଥିକ ସାହାଯ୍ୟ କରିଥିଲେ । ୨୦୨୫ରେ ଆରସିବି ଆଇପିଏଲ ଜିତିଥିଲା । ସେତେବେଳେ କୃଣାଲ ଜିତେନ୍ଦ୍ର ସିଂହଙ୍କୁ ଏକ କାର କିଣିବା ପାଇଁ ୧୯ ଲକ୍ଷ ଟଙ୍କା ଦେଇଥିଲେ । ପାଣ୍ଡ୍ୟା ବ୍ରଦର୍ସଙ୍କ ନିଜ ଗୁରୁଙ୍କୁ ଏଯାଏଁ ପ୍ରାୟ ୭୦-୮୦ ଲକ୍ଷ ଟଙ୍କା ସହାୟତା କରିସାରିଛନ୍ତି । କୋଚ୍ଙ୍କ ପ୍ରତି ଉଭୟଙ୍କ ଭଲ ପାଇବା ନିହାତି ଭାବେ ପ୍ରଶଂସା ଯୋଗ୍ୟ ।