ଏସିଆ କପ୍ ଫାଇନାଲ ପୂର୍ବରୁ ଟିମ୍ ଇଣ୍ତିଆ ପାଇଁ ବଡ଼ ଟେନସନ୍ । କ୍ରାମ୍ପ ସମସ୍ୟାରେ ଜୁଝୁଛନ୍ତି କିଛି ଖେଳାଳି । କ୍ୟାପ୍ଟେନ୍ ସୂର୍ଯ୍ୟକୁମାର ଯାଦବ ଓ କୋଚ୍ ଗୌତମ ଗମ୍ଭୀରଙ୍କ ପାଇଁ ବଢ଼ିଲା ଚିନ୍ତା । ଖେଳାଳି ଆହତ ଥିବା ନେଇ ଖୋଦ୍ କ୍ୟାପ୍ଟେନ ସ୍କାଏ ଦେଲେ ସୂଚନା । ସୁପର ୪ ର ଶେଷ ମୁକାବିଲାରେ ସାମ୍ନାସାମ୍ନି ହୋଇଥିଲେ ଭାରତ ଓ ଶ୍ରୀଲଙ୍କା । ରୋମାଞ୍ଚକ ଅନ୍ଦାଜରେ ମ୍ୟାଚ୍ ଜିତିଥିଲା ଟିମ୍ ଇଣ୍ତିଆ । ଭାରତକୁ କଡ଼ା ଟକ୍କର ଦେଇଥିଲେ ଶ୍ରୀଲଙ୍କା ଦଳ । କିନ୍ତୁ ସୁପର ଓଭର୍ରେ ଶ୍ରୀଲଙ୍କା ହାତର ମ୍ୟାଚ୍ ଛଡ଼ାଇ ନେଇଥିଲା ଟିମ୍ ଇଣ୍ତିଆ । ଏବେ ଫାଇନାଲରେ ପାକିସ୍ତାନକୁ ଧୂଳି ଚଟାଇବାର ସମୟ ଆସିଛି । ତେଣୁ ଖେଳାଳିଙ୍କ ଆହତ ସମସ୍ୟା ନିହାତି ଭାବେ ବଡ଼ ଚିନ୍ତା ପାଲଟିଛି ।
ଏସିଆ କପ୍ ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ତିଆ । କିନ୍ତୁ ଫାଇନାଲ ପୂର୍ବରୁ କୋଚ୍ ଓ କ୍ୟାପ୍ଟେନଙ୍କ ଟେନସନ୍ ବଢ଼ିଛି । ଫାଇନାଲ ମ୍ୟାଚ୍ ପୂର୍ବରୁ ଅନେକ ଖେଳାଳିଙ୍କୁ କ୍ରାମ୍ପ୍ ହେବା ଯୋଗୁ କ୍ୟାପ୍ଟେନ୍ ଏବଂ କୋଚ୍ଙ୍କ ଚିନ୍ତା ବଢ଼ିଯାଇଛି । ମ୍ୟାଚ୍ ସରିବା ପରେ ସାମ୍ୱାଦିକ ସମ୍ମିଳନୀରେ କ୍ୟାପ୍ଟେନ ସ୍କାଏ କହିଛନ୍ତି, 'ଫାଇନାଲ ମ୍ୟାଚ୍ ବିଷୟରେ ଏବେ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଶ୍ରୀଲଙ୍କା ମ୍ୟାଚ୍ ମଝିରେ ଅନେକ ଖେଳାଳିଙ୍କର କ୍ରାମ୍ପ୍ ଦେଖାଦେଇଛି । ଆମ ପାଖରେ ରିକଭରି ପାଇଁ ସମୟ ବି ଅଛି । ଫାଇନାଲରେ ବି ଆମେ ସମାନ ଅନ୍ଦାଜରେ ଫେରିବୁ । ଯେପରି ଶ୍ରୀଲଙ୍କା ସହ ପଡ଼ିଆକୁ ଓହ୍ଲାଇଥିଲୁ । ମୁଁ ଏତିକି ଚାହୁଁଛି ପ୍ରତିଟି ଖେଳାଳି ନିଜ ଲକ୍ଷ୍ୟ ସ୍ପଷ୍ଟ ରଖନ୍ତୁ ଏବଂ ତାକୁ କାର୍ଯ୍ୟକାରୀ କରନ୍ତୁ । ଡରନ୍ତୁ ନାହିଁ ।'
ଶ୍ରୀଲଙ୍କା ବିପକ୍ଷରେ ରୋମାଞ୍ଚକ ବିଜୟ ପରେ ସେ ଆହୁରି ହସି ହସି କହିଥିଲେ, 'ଏହି ମ୍ୟାଚ୍ ଫାଇନାଲ ମ୍ୟାଚ୍ ଭଳି ଲାଗୁଥିଲା । ପ୍ରଥମ ଇନିଂସ ପରେ ଦ୍ୱିତୀୟ ଇନିଂସରେ ବି ଖେଳାଳିମାନେ ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲେ । ମ୍ୟାଚ୍ ପୂର୍ବରୁ ମୁଁ ସେମାନଙ୍କୁ କହିଥିଲି ଯେ ଏହି ମ୍ୟାଚ୍କୁ ସେମିଫାଇନାଲ ଭଳି ଖେଳ । ଜିତିବା ସମସ୍ତଙ୍କୁ ଭଲ ଲାଗେ । ଯେଉଁଭଳି ଭାବରେ ଆମେ ଆରମ୍ଭ କଲୁ, ତା'ପରେ ସଞ୍ଜୁ ଏବଂ ତିଲକ ଯେପରି ବ୍ୟାଟିଂ କଲେ, ତାହା ପ୍ରଶଂସାଯୋଗ୍ୟ ।'
ତେବେ ସୂର୍ଯ୍ୟକୁମାରଙ୍କ ମନ୍ତବ୍ୟ ଫ୍ୟାନ୍ସଙ୍କୁ ଟିକେ ଦ୍ୱନ୍ଦ୍ୱରେ ପକାଇଛି । ଖେଳାଳିଙ୍କ କ୍ରାମ୍ପ ସମସ୍ୟା ଫାଇନାଲରେ ଟିମ୍ ଇଣ୍ତିଆ ପାଇଁ ଅଡୁଆ ହେବନି ତ ? ଏମିତି ଅନେକ ପ୍ରଶ୍ନ ଏବେ ଫ୍ୟାନ୍ସଙ୍କ ମନରେ ଉଠଛି । ଉଠିବା ବି ସ୍ୱାଭାବିକ । କାହିଁକି ନା ଫାଇନାଲରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ । ପହଲଗାମଠାରୁ କ୍ରିକେଟ ସବୁର ପ୍ରତିଶୋଧ ନିଆଯିବ । ଏସିଆ କପ୍ ଫାଇନାଲରେ ହେବ ଏଥର ବଡ଼ ଯୁଦ୍ଧ । ପାକିସ୍ତାନକୁ ଧୂଳିଚଟାଇ ଭାରତ ଉଡ଼ାଇବ ବିଜୟର ବାନା । ଶତ୍ରୁ ଦେଶକୁ କଡ଼ା ଜବାବ ଦେବାକୁ ପୂରା ପ୍ରସ୍ତୁତ ହୋଇସାରିଲେଣି ସୂର୍ଯ୍ୟବାହିନୀ ।