କନକ ବ୍ୟୁରୋ : ଭାରତ-ଇଂଲଣ୍ତ ପ୍ରଥମ ଟେଷ୍ଟରେ ଇତିହାସ ରଚିଛନ୍ତି ଋଷଭ ପନ୍ତ । ଦୁଇଟି ଇନିଂସରେ ମାରିଛନ୍ତି ଦୁଇଟି ଦମଦାର ଶତକ । ତାଙ୍କ ବ୍ୟାଟ ସମସ୍ତ ସମାଲୋଚକଙ୍କ ମୁହଁ ଚୁପ୍‌ କରିଦେଇଛି । ଦିନେ ତାଙ୍କ ବ୍ୟାଟିଂ ପାଇଁ ତାଙ୍କୁ ଷ୍ଟୁପିଡ୍‌ କୁହାଯାଉଥିବା ବେଳେ ଆଜି ତାଙ୍କ ବ୍ୟାଟିଂକୁ ସୁପର୍ବ କହି ପ୍ରଶଂସା କରାଯାଉଛି । ଆପଣ ଜାଣିପାରୁଥିବେ ଆମେ କାହା କଥା କହିବାକୁ ଚାହୁଛୁ । ଆମେ କହୁଛୁ ଲିଟିଲ୍‌ ମାଷ୍ଟର ସୁନୀଲ ଗାଭାସ୍କରଙ୍କ କଥା । ଋଷଭଙ୍କୁ ଦିନେ କମେଣ୍ଟ୍ରି ବକ୍ସରେ ବସି ସମାଲୋଚନା କରିଥିଲେ ଗାଭାସ୍କର । ଆଜି ତାଙ୍କ ତାରିଫ୍‌ କରିବାକୁ ପଛାଉ ନାହାନ୍ତି ସୁନୀଲ ।

Advertisment

ଚର୍ଚ୍ଚାରେ ଋଷଭଙ୍କ ଶତକୀୟ ସେଲିବ୍ରେସନ୍‌ । କେବଳ ଫ୍ୟାନ୍ସ ନୁହନ୍ତି ବରଂ ପୂର୍ବତନ ଭାରତୀୟ କ୍ରିକେଟରଙ୍କୁ ମଧ୍ୟ ପସନ୍ଦ ଆସିଛି ପନ୍ତଙ୍କ ୟୁନିକ୍‌ ସେଲିବ୍ରେସନ୍‌ର ଷ୍ଟାଇଲ୍‌ । ଭାରତ-ଇଂଲଣ୍ତ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶତକ ହାସଲ କରିଥିଲେ ଋଷଭ । ଆଉ ସମସ୍ତେ ତାଙ୍କ ସେଲିବ୍ରେସନ ଦେଖିବାକୁ ଅପେକ୍ଷା କରିଥିଲେ । ଏମିତିକି ଭାରତର ପୂର୍ବତନ ଷ୍ଟାର ଖେଳାଳି ସୁନୀଲ ଗାଭାସ୍କର ମଧ୍ୟ ପନ୍ତଙ୍କ ସେଲିବ୍ରେସନ ଦେଖିବା ପାଇଁ ବେଶ୍‌ ଉତ୍ସାହିତ ଥିଲେ । ସେ ଷ୍ଟାଣ୍ତରୁ ଋଷଭଙ୍କୁ ବ୍ୟାକ୍‌ଫ୍ଲିପ୍‌ ଲଗାଇବାକୁ ଇସାରା ଦେଇଥିଲେ । କିନ୍ତୁ ପନ୍ତ ଗାଭାସ୍କରଙ୍କ ଅନୁରୋଧ ରଖିନଥିଲେ । ବରଂ କହିଥିଲେ ଆଗାମୀ ଇନିଂସରେ କରିବେ ସେଲିବ୍ରେସନ୍‌ । ଯାହାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି ।

ନିକଟରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିରେ ଭାରତର ଶୋଚନୀୟ ପରାଜୟ ଘଟିଥିଲା । ଫେଲ୍‌ ମାରିଥିଲା ଟିମ୍‌ ଇଣ୍ତିଆର ବ୍ୟାଟିଂ ଅର୍ଡର । ପନ୍ତଙ୍କ ଫର୍ମକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ହୋଇଥିଲା । ଏମିତିକି ପନ୍ତ ଖରାପ ସଟ୍‌ ଖେଳି ଆଉଟ୍‌ ହୋଇଥିବା ବେଳେ କମେଣ୍ଟ୍ରି ବକ୍ସରୁ ଗାଭାସ୍କର ପନ୍ତଙ୍କୁ ସମାଲୋଚନା କରିଥିଲେ । ପନ୍ତଙ୍କୁ ଷ୍ଟୁପିଡ୍‌ କହି ସମ୍ବୋଧନ କରିଥିଲେ ଗାଭାସ୍କର । କିନ୍ତୁ ଇଂଲଣ୍ତ ସିରିଜ୍‌ରେ ପନ୍ତଙ୍କ ଧୂଆଁଦାର ବ୍ୟାଟିଂ ଚିତ୍ର ବଦଳାଇଦେଇଛି । ଗାଭାସ୍କରଙ୍କ ମୁହଁରୁ ଷ୍ଟୁପିଡ୍‌ ବଦଳରେ ସୁପର୍ବ ଶୁଣିବାକୁ ମିଳିଛି । ଏମିତିକି ପନ୍ତଙ୍କ ଦ୍ୱିତୀୟ ଶତକରେ ଗାଭାସ୍କର ତାଙ୍କୁ ଫ୍ଲିପ୍‌ ମାରି ସେଲିବ୍ରେସନ୍‌ କରିବାକୁ କହିଥିଲେ । କିନ୍ତୁ ପନ୍ତ ଆଗାମୀ ମ୍ୟାଚ୍‌ରେ ଫ୍ଲିପ୍‌ ମାରି ସେଲିବ୍ରେସନ କରିବେ ବୋଲି ଇସାରା ଦେଇଥିଲେ ।

ପନ୍ତଙ୍କ ଜୀବନ ସତରେ ବେଶ୍‌ ସଂଘର୍ଷମୟ । କେବଳ ଅନଫିଲ୍ଡ ନୁହେଁ ବରଂ ଅଫ୍‌ଫିଲ୍ଡ ବି ତାଙ୍କର ଜୀବନ ବେଶ୍‌ ସଂଘର୍ଷପୂର୍ଣ୍ଣ ରହିଥିଲା । ଭୟାନକ ସଡ଼କ ଦୁର୍ଘଟଣାରୁ ବଞ୍ଚିବା ପରେ ସେ ହାରି ଯାଇନଥିଲେ । ବରଂ ନିଜର ଦୃଢ଼ ମନୋବଳ ଓ ଇଚ୍ଛା ଶକ୍ତି ଯୋଗୁଁ ପୁଣି କ୍ରିକେଟ ଫିଲ୍ଡକୁ ଫେରିଥିଲେ । ଆଉ ତା ପରେ ସବୁଠି ଚମକିଥିଲେ ଋଷଭ । ସେ ଆଇପିଏଲ୍‌ ହେଉ ବା ଟି-ଟ୍ୱେଣ୍ଟି କି ଟେଷ୍ଟ କ୍ରିକେଟ..ସବୁଠି ପନ୍ତଙ୍କ ଜଲୱା ଦେଖିବାକୁ ମିଳିଛି । ଆଗାମୀ ଦିନରେ ମଧ୍ୟ ପନ୍ତଙ୍କ ବ୍ୟାଟ୍‌ରୁ ଏଭଳି ଶତକୀୟ ଇନିଂସ ଦେଖିବାକୁ ମିଳିବ ବୋଲି ପ୍ରତିଟି କ୍ରିକେଟ ଫ୍ୟାନ୍ସଙ୍କ ଆଶା ରହିଛି ।