କନକ ବ୍ୟୁରୋ : ବଜେଟ ବଢୁଛି, ହେଲେ ବଢୁନି ଓଡ଼ିଆ ଖେଳାଳିଙ୍କ ପ୍ରତିଭା । ହାତ ଗଣତି କିଛି ଖେଳାଳିଙ୍କୁ ବାଦ ଦେଲେ ଓଡ଼ିଶାରୁ ବାହାରୁ ନାହାଁନ୍ତି ଅନ୍ତର୍ଜାତୀୟ ପ୍ରତିଭା । ହକିରେ ସୀମିତ ରହିଯାଉଛି ଓଡିଶା କ୍ରୀଡ଼ା । ଆଥଲେଟିକ୍ସ, ଫୁଟବଲ, ବାସ୍କେଟବଲ, ବ୍ୟାଡମିଣ୍ଟନ ଭଳି କ୍ରୀଡ଼ାରେ ବହୁ ପଛରେ ଓଡିଶା । ଏହାରି ଭିତରେ ଅଲିମ୍ପିକ୍ସ ଆୟୋଜନର ସ୍ୱପ୍ନ ଦେଖୁଛି ଓଡିଶା ।
ସରକାର ବଦଳିଲା, ହେଲେ ସୁଧୁରିନି ସ୍ଥିତି । ଭିତ୍ତିଭୂମି ବିକାଶ ନେଇ ପୂର୍ବ ସରକାର ବଡ଼ ବଡ଼ କଥା କହିଥିଲେ ଏବେକାର ସରକାର ବି ସ୍ୱପ୍ନ ଦେଖାଉଛନ୍ତି । ହେଲେ ବାହାରି ପାରୁନାହାନ୍ତି ଅନ୍ତର୍ଜାତୀୟ ଖେଳାଳି । ହାତ ଗଣତି କିଛି ଖେଳାଳିଙ୍କୁ ବାଦ ଦେଲେ ଏବେ ଜାତୀୟ ସ୍ତରରେ ଓଡ଼ିଶା ଖେଳାଳି କମ । କେବଳ ହକିରେ ସୀମିତ ରହିଯାଇଛି ଓଡିଶା କ୍ରୀଡା । ହକିକୁ ଛାଡ଼ିଦେଲେ ଅନ୍ୟ ଖେଳରେ ରାଜ୍ୟ ବହୁ ପଛରେ ପଡ଼ିଛି । କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ବଜେଟ ବଢ଼ିଛି । ଚଳିତ ବର୍ଷ ୧୨୧୦ କୋଟିରୁ ୧୩୧୫ କୋଟିରେ ପହଞ୍ଚିଛି ବଜେଟ ।
୨୦୧୬ରେ ରିଓ ଅଲିମ୍ପିକ୍ସରେ ସର୍ବାଧିକ ୬ ଓଡ଼ିଆ ଖେଳାଳି ଭାଗ ନେଇଥିଲେ । ଆଥଲେଟିକ୍ସରେ ଦୂତି ଚାନ୍ଦ, ଶ୍ରାବଣୀ ନନ୍ଦ ଏବଂ ମହିଳା ହକିରେ ଦୀପଗ୍ରେସ ଏକ୍କା, ନମିତା ଟପ୍ପୋ, ସୁନୀତା ଲାକ୍ରା, ଲିଲିମା ମିଞ୍ଜ ବେଶ ନାଁ କମାଇଛନ୍ତି । ୨୦୨୧ ଟୋକିଓ ଅଲିମ୍ପିକ୍ସ ଖେଳାଳିଙ୍କ ସଂଖ୍ୟା ୫କୁ ଖସିଆସିଥିଲା । ଆଉ ୨୦୨୪ ପ୍ୟାରିସ ଅଲିମିକ୍ସରେ ସାମିଲ ହୋଇଥିଲେ ମାତ୍ର ୨ ଓଡ଼ିଆ । ହକିରେ ଅମିତ ରୋହିଦାସ ଏବଂ ଜାଭଲୀନରେ କିଶୋର ଜେନା ଭାଗ ନେଇଥିଲେ । କ୍ରୀଡା ସମୀକ୍ଷକଙ୍କ କହିବା ଅନୁସାରେ, ଭିତ୍ତିଭୂମି କଲେ ହେବନି ତୃଣମୂଳସ୍ତରରୁ ପ୍ରତିଭା ବିକାଶର ଆବଶ୍ୟକତା ରହିଛି ।
ଓଡିଶା କ୍ରୀଡ଼ା ବଜେଟର ଏକ ତୃତୀୟାଂଶ ହେଉଛି ହରିୟାଣା କ୍ରୀଡା ବଜେଟ । କିନ୍ତୁ ବିଭିନ୍ନ ଖେଳରେ ଦେଶରେ ପ୍ରଭାବ ବିସ୍ତାର କରିଛନ୍ତି ହରିୟାଣା କ୍ରୀଡ଼ାବିତ । ତେଣୁ କେବଳ ବଜେଟ ନୁହେଁ ତୃଣମୂଳ ସ୍ତରରୁ ପ୍ରତିଭା ବିକାଶ ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି ।