କନକ ବ୍ୟୁରୋ : ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଆଇପିଏଲ୍ ୨୦୨୫ରେ ନିଜର କମାଲ ଦେଖାଇଲେ ଅନେକ ଯୁବ କ୍ରିକେଟର । ଭଭୟ ବ୍ୟାଟିଂ ଓ ବୋଲିଂରେ ଦେଖାଇଲେ ଜଲୱା । ଫ୍ୟାନ୍ସ ଓ ଟିମ୍ ମେମ୍ବରଙ୍କ ପ୍ରଶଂସା ବି ସାଉଁଟିଲେ । କିଏ ବ୍ୟାଟିଂରେ ଛକା, ଚୌକା ବର୍ଷା କଲା ତ କିଏ ବୋଲିଂରେ ବଡ଼ ବଡ଼ ବ୍ୟାଟ୍ସମ୍ୟାନଙ୍କୁ ଘାଇଲା କଲା । ଏହାରି ମଧ୍ୟରେ ସରିଲା ଲିଗ୍ ପର୍ଯ୍ୟାୟ, ଆଜିଠୁ ଖେଳାଯିବ କ୍ୱାଲିଫାୟାର ୧ । ଲିଗ୍ ରାଉଣ୍ତରେ କିଛି ଖେଳାଳିଙ୍କ ପ୍ରଦର୍ଶନ ଏତେ ଉଚ୍ଚକୋଟିର ଥିଲା ଯେ ସମସ୍ତଙ୍କ ହୃଦୟ ଜିତିପାରିଥିଲେ । ଯଦି ଆଗାମୀ ଦିନରେ ବି ସେମାନଙ୍କର ପ୍ରଦର୍ଶନ ଭଲ ରହେ । ତେବେ ଖୁବଶୀଘ୍ର ତାଙ୍କୁ ଟିମ୍ ଇଣ୍ତିଆରେ ସ୍ଥାନ ମିଳିପାରେ ।
ଆସନ୍ତୁ ଜାଣିବା ସେହି ଖେଳାଳିଙ୍କ ବିଷୟରେ..
ବୈଭବ ସୂର୍ୟ୍ୟବଂଶୀ
ଛୋଟା ପ୍ୟାକେଟ୍ ବଡ଼ା ଧମାକା । ଅକ୍ସନ ଟେବୁଲରୁ ହିଁ ନିଜର ଜଲୱା ଦେଖାଇସାରିଥିଲେ ୧୩ ବର୍ଷୀୟ ବୈଭବ । ରାଜସ୍ଥାନ ରୟାଲ୍ସ ପକ୍ଷରୁ ଆଇପିଏଲରେ ଡେବ୍ୟୁ କରିଥିବା ବୈଭବ ତାଙ୍କର ବ୍ୟାଟିଂର ଜଲୱାରେ ବଡ଼ ବଡ଼ ବୋଲର୍ଙ୍କ ନିଦ ହଜାଇ ଦେଇଛନ୍ତି । ତାଙ୍କର ପ୍ରଥମ ସିଜିନ୍ରେ ହିଁ ଶତକ ହାସଲ କରି ନିଜକୁ ପ୍ରମାଣିତ କରିସାରିଛନ୍ତି । ୭ଟି ମ୍ୟାଚ୍ରେ ସେ ୨୦୬.୫୬ ଷ୍ଟ୍ରାଇକ୍ ରେଟ୍ରେ ୨୫୨ ରନ୍ ହାସଲ କରିଛନ୍ତି ବୈଭବ । ଯେଉଁଥି ପାଇଁ ତାଙ୍କୁ ଇଂଲଣ୍ତ ବିପକ୍ଷ ଟ୧୯ ସିରିଜ୍ରେ ଭାରତୀୟ ଟିମ୍ରେ ସ୍ଥାନ ମିଳିଛି ।
ଆୟୁଷ ମହାତ୍ରେ
ବୟସ ୧୬, ହେଲେ ବ୍ୟାଟିଂରେ ରହିଛି କ୍ଲାସ୍ । ଚେନ୍ନାଇ ପକ୍ଷରୁ ଡେବ୍ୟୁ କରିଥିବା ଏହି ଯୁବ ଖେଳାଳି ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ୍ ଚର୍ଚ୍ଚା ସାଉଁଟିଛନ୍ତି । ୭ଟି ମ୍ୟାଚ୍ରେ ୨୪୦ ରନ୍ ହାସଲ କରିଛନ୍ତି । ଆରସିବି ବିପକ୍ଷ ମ୍ୟାଚ୍ରେ ଅଳ୍ପକେ ଶତକରୁ ବଞ୍ଚିତ ହେଲେ ଆୟୁଷ । ତାଙ୍କୁ ବି ଇଂଲଣ୍ତ ବିପକ୍ଷ ଟ୧୯ ସିରିଜ୍ରେ ଭାରତୀୟ ଟିମ୍ରେ ସ୍ଥାନ ମିଳିଛି ।
ପ୍ରିୟାଂଶ ଆର୍ଯ୍ୟ
ଆଇପିଏଲରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ପ୍ରିୟାଂଶ ଆର୍ଯ୍ୟ । ସେ ଆଇପିଏଲ ଇତିହାସରେ ପ୍ରଥମ ଅନକ୍ୟାପଡ ଖେଳାଳି ଭାବେ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ଶତକ ହାସଲ କରିଛନ୍ତି । ଚେନ୍ନାଇ ସୁପର କିଙ୍ଗସ ଭଳି ଆଇପିଏଲର ସବୁଠାରୁ ସଫଳ ଟିମ ବିପକ୍ଷରେ ପଞ୍ଜାବ କିଙ୍ଗସ୍ ପାଇଁ ଖେଳୁଥିବା ପ୍ରିୟାଂଶ ୩୯ ବଲରେ ଶତକ ହାସଲ କରିଛନ୍ତି । ୧୪ଟି ମ୍ୟାଚ୍ରେ ସେ ୪୨୪ ରନ୍ ହାସଲ କରିଛନ୍ତି ।
ଦିଗ୍ବେଶ୍ ସିଂ ରାଠି
ଏଥର ଆଇପିଏଲ୍ରେ ଚର୍ଚ୍ଚାରେ ରହିଥିଲା ଦିଗ୍ବେଶ୍ ସିଂ ରାଠିଙ୍କ ସେଲିବ୍ରେସନ । ୱିକେଟ୍ ନେବା ପରେ ତାଙ୍କର ସେଲିବ୍ରେସନ୍ ଫ୍ୟାନ୍ସଙ୍କ ମନ ଜିତିଥିଲା । ତାଙ୍କ ସ୍ପିନ୍ରେ ଅନେକ ବଡ଼ ତାରକା ଫସିଥିଲେ । ଏଥିପାଇଁ ତାଙ୍କ ମ୍ୟାଚ୍ ଫି ମଧ୍ୟ କଟିଥିଲା । ସେ ୧୨ ମ୍ୟାଚରେ ୮.୧୮ ଇକୋନୋମିରେ ୧୪ ଓ୍ୱିକେଟ ହାସଲ କରିଛନ୍ତି । କିନ୍ତୁ ତାଙ୍କ ସେଲିବ୍ରେସନ ସବୁବେଳେ ତାଙ୍କୁ ବିବାଦକୁ ନେଇ ଯାଇଥିଲା । ତାଙ୍କ ନୋଟବୁକ ସେଲିବ୍ରେସନ ପାଇଁ ସେ ବହୁବାର ଦଣ୍ଡିତ ବି ହୋଇଛନ୍ତି । ୩୦ ଲକ୍ଷରେ ଲକ୍ଷ୍ନୌ ତାଙ୍କୁ ଟିମରେ ସାମିଲ କରିଥିବା ବେଳେ ୩ ଥର ଦଣ୍ଡିତ ହୋଇ ମୋଟ୍ ୯ ଲକ୍ଷରୁ ଅଧିକ ଟଙ୍କା ହରାଇ ସାରିଛନ୍ତି ।
ବିପରାଜ ନିଗମ
ଏମରଜିଂ ଖେଳାଳିଙ୍କ ତାଲିକାରେ ରହିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଅଲରାଉଣ୍ତର ବିପରାଜ ନିଗମ । ଉଭୟ ବୋଲିଂ ଓ ବ୍ୟାଟିଂରେ ନିଜର ଜଲୱା ଦେଖାଇଛନ୍ତି ବିପରାଜ । ତାଙ୍କ ପ୍ରଦର୍ଶନରୁ ଆଶା କରାଯାଉଛି ଯେ ଆଗାମୀ ଦିନରେ ଟିମ୍ ଇଣ୍ତିଆ ପାଇଁ ଏକ ସଫଳତମ ଅଲରାଉଣ୍ତର ସାବ୍ୟସ୍ତ ହୋଇପାରନ୍ତି । ବ୍ୟାଟିଂରେ ୧୪୨ ରନ୍ ହାସଲ କରିଥିବା ବେଳେ ବୋଲିଂରେ ୧୧ଟି ୱିକେଟ୍ ନେଇଛନ୍ତି ।
ବିଗ୍ନେଶ ପୁଥୁର
ଟେନିସ୍ ବଲ୍ କ୍ରିକେଟରୁ ହ୍ୱାଇଟ୍ ବଲ..ସବୁଠି ନିଜର ଜଲୱା ଦେଖାଇଛନ୍ତି ଏହି ଯୁବ କ୍ରିକେଟର । ମୁମ୍ବାଇ ପକ୍ଷରୁ ଡେବ୍ୟୁ କରିଥିବା ଏହି ଖେଳାଳି ନିଜ ସ୍ପିନ୍ ବଲ୍ରେ ଅନେକଙ୍କୁ ପାଣି ପିଆଇଛନ୍ତି । ବିଗ୍ନେଶ ପୁଥୁର ମୁମ୍ବାଇ-ଚେନ୍ନାଇ ମ୍ୟାଚରେ, ୩ଟି ଓ୍ୱିକେଟ୍ ନେବା ସହ କ୍ୟାପଟେନ୍ କୁଲ୍ ଧୋନୀଙ୍କର ମଧ୍ୟ ପ୍ରିୟ ପାଲଟିଯାଇଛନ୍ତି ।
ଅନିକେତ୍ ବର୍ମା
ସନରାଇଜର୍ସ ପକ୍ଷରୁ ଡେବ୍ୟୁ କରିଥିବା ଏହି ଖେଳାଳି ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ୍ ପ୍ରଶଂସା ସାଉଁଟଛନ୍ତି । ୧୪ଟି ମ୍ୟାଚ୍ରେ ୨୩୬ ରନ୍ ହାସଲ କରିଛନ୍ତି ।
ପ୍ରତିବର୍ଷ ପରି ଏବର୍ଷ ବି ଅନେକ ଭାରତୀୟ ଖେଳାଳି ନିଜର ଜଲୱା ଦେଖାଇଛନ୍ତି । ଯାହା ନିଶ୍ଚିତ କରୁଛି ଯେ ଆଗାମୀ ଦିନରେ ଟିମ୍ ଇଣ୍ତିଆର ଭବିଷ୍ୟକ ଉଜ୍ଜ୍ୱଳ ରହିବ ।