କନକ ବ୍ୟୁରୋ : ଭାରତୀୟ ଦ୍ରୁତ ବୋଲର୍‌ ମହମ୍ମଦ ସିରାଜଙ୍କ ବଡ଼ ବୟାନ । ଚାମ୍ପିୟନ୍ସ ଟ୍ରଫିରୁ ବାଦ ପଡ଼ିବା ନେଇ ବଡ଼ ଖୁଲାସା କଲେ ସିରାଜ । କହିଲେ ରୋହିତ ଭାଇ ମତେ ଚାମ୍ପିୟନ୍ସ ଟ୍ରଫିକୁ ନେବା ପାଇଁ ଚାହୁଁନଥିଲେ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ସିରାଜଙ୍କ ବୟାନ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି ।

Advertisment

ଚାମ୍ପିୟନ୍ସ ଟ୍ରଫି ପାଇଁ ଟିମ୍‌ ଘୋଷଣା ବେଳେ ସିରାଜଙ୍କ ଚୟନ ନ ହେବା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ । କଣ ପାଇଁ ସିରାଜଙ୍କୁ ଦଳରେ ସାମିଲ କରାଗଲା ନାହିଁ, ସେନେଇ ଚର୍ଚ୍ଚା ବଢ଼ିଥିଲା । ଏବେ ଖୋଦ୍‌ ସିରାଜ ଏନେଇ ମୁହଁ ଖୋଲିଛନ୍ତି ।

ସିରାଜ କହିଛନ୍ତି, ଯେବେ ଆପଣ ଦେଶ ପାଇଁ ଖେଳନ୍ତି ଆପଣଙ୍କର ଆତ୍ମବିଶ୍ୱାସ ବଢ଼େ । ଅନ୍ତର୍ଜାତୀୟ ଖେଳାଳି ଭାବେ ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳିବାର ଇଚ୍ଛା ରହିଥିଲା । ଟିମ୍‌ର ଭଲ ପାଇଁ ରୋହିତ ଭାଇ ସବୁବେଳେ ଚିନ୍ତା କରିଥାନ୍ତି । ସେଥିପାଇଁ ସେ ମତେ ଟିମ୍‌ରେ ସାମିଲ କଲେ ନାହିଁ । ତାଙ୍କର ବହୁତ ଅଭିଜ୍ଞତା ରହିଛି । ସେ ଜାଣିଛନ୍ତି, ଦୁବାଇରେ ପେସ୍‌ ଆଟାକ୍‌ ଏତେ କାମ କରିବ ନାହିଁ । ସେଠାରେ ସ୍ପିନର ମ୍ୟାଚ୍‌ ୱିନର୍‌ ରହିବେ । ସେଥିପାଇଁ ସେ ମତେ ଟିମ୍‌ରେ ସାମିଲ କଲେ ନାହିଁ ।

ସିରାଜ ଲମ୍ବା ସମୟ ଧରି ଭାରତୀୟ ଟିମ୍‌ର ଅଂଶ ରହିଛନ୍ତି । ଦିନିକିଆ ହେଉ କି ଟେଷ୍ଟ କି ଟି-ଟ୍ୱେଣ୍ଟି ସବୁ ଫର୍ମାଟରେ ନିଜର କମାଲ ଦେଖାଇଛନ୍ତି ସିରାଜ । କିନ୍ତୁ ଚାମ୍ପିୟନ୍ସ ଟ୍ରଫିରେ ତାଙ୍କୁ ସାମିଲ କରାନଯିବା ସମସ୍ତ କ୍ରିକେଟପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କିନ୍ତୁ ଟିମ୍‌ର ଭଲ ପାଇଁ ରୋହିତ ଏଭଳି ନିଷ୍ପତ୍ତିକୁ ସମ୍ମାନ ଜଣାଇଛନ୍ତି ସିରାଜ ।

ଚାମ୍ପିୟନ୍ସ ଟ୍ରଫି ପାଇଁ ଦଳ ଘୋଷଣା ବେଳେ ପେସ୍‌ ବୋଲର୍‌ଙ୍କ ଅପେକ୍ଷା ସ୍ପିନ୍‌ ବୋଲିଂ ଉପରେ ବେଶୀ ଗୁରୁତ୍ୱ ଦେଇଥିଲେ କ୍ୟାପ୍ଟେନ ରୋହିତ ଶର୍ମା ଓ କୋଚ୍‌ ଗୌତମ ଗମ୍ଭୀର । ଯାହାର ଫଳସ୍ୱରୂପ ଆଜି ଭାରତ ଚାମ୍ପିୟନ୍ସ ଟ୍ରଫି ଜିତିପାରିଛି । ଦୁବାଇରେ ସବୁଦଳକୁ ଚିତପଟାଙ୍ଗ କରିଥିଲେ ଭାରତୀୟ ସ୍ପିନର୍‌ । ଭାରତ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ମ୍ୟାଚ୍‌ ବି ନ ହାରି ଟ୍ରଫି ହାତେଇ ନେଇଛି ।