କନକ ବ୍ୟୁରୋ: ଚଳିତ ଆଇପିଏଲର ପ୍ରଥମ କ୍ୱାଲିଫାୟାର୍ ମ୍ୟାଚ୍ ପଞ୍ଜାବ କିଙ୍ଗସକୁ ଶୋଚନୀୟ ଭାବେ ପରାସ୍ତ କରିଛି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଏପରିକି ପଞ୍ଜାବ ଦଳ ୧୪ ଓଭର ଗୋଟିଏ ବଲ୍ ଖେଳି ମାତ୍ର ୧୦୧ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଆଉ ପ୍ରତି ଜବାବରେ ଆରସିବି ମାତ୍ର ୧୦ ଓଭର ଖେଳି ୮ ୱିକେଟରେ ବିଜୟୀ ହେବା ସହ ୨୦୨୫ ଆଇପିଏଲର ପ୍ରଥମ ଫାଇନାଲିଷ୍ଟ୍ ଭାବେ ଫାଇନାଲରେ ପହଞ୍ଚିଯାଇଛି । ଅତି ଲଜ୍ଜାଜନକ ଭାବେ ପରାଜିତ ହେବା ପରେ ବି ପଞ୍ଜାବର କ୍ୟାପଟେନ୍ ଶ୍ରେୟସ୍ ଆୟରଙ୍କ କେଇ ପଦ କଥା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisment

ପ୍ରଥମ କ୍ବାଲିଫାୟାର୍ ହାରିବା ପରେ ବି ପଞ୍ଜାବ ଦଳ ପାଖରେ ଫାଇନାଲ୍ ଖେଳିବା ପାଇଁ ଆଉ ଏକ ସୁଯୋଗ ରହିଛି । ଆସନ୍ତାକାଲି ମୁମ୍ବାଇ ବିପକ୍ଷରେ କ୍ବାଲିଫାୟାର୍-୨ ଖେଳିବ ପଞ୍ଜାବ । ଏହା ପୂର୍ବରୁ ଆୟର କହିଛନ୍ତି, ଆମେ ମ୍ୟାଚ୍ ହାରିଛୁ, ଟୁର୍ଣ୍ଣାମେଣ୍ଟ ନୁହେଁ । ଯାହା ହୋଇଯାଇଛି ତାହା କେବେ ଫେରିବନି ତେଣୁ ମୁଁ ପଛକୁ ଫେରିକି ଚାହିଁବିନି । କ’ଣ ଭୁଲ୍ ହୋଇଛି ତାହାର ତର୍ଜମା କରିବୁ ଏବଂ ଆଗାମୀ ମ୍ୟାଚରେ ବିଜୟ ହାସଲ କରି ଫାଇନାଲ୍ ଖେଳିବୁ ।

https://www.facebook.com/share/v/1ErHLqe8sg/

ରୋଚକ କଥା ହେଲା, ପଞ୍ଜାବକୁ ୧୧ ବର୍ଷ ପରେ ପ୍ଲେ-ଅଫ୍ସକୁ ଆଣିଥିବା ପ୍ରଥମ କ୍ୟାପଟେନ୍ ହେଉଛନ୍ତି ଆୟର । ଆରସିବି ବିପକ୍ଷରେ ପ୍ରଥମ କ୍ବାଲିଫାୟାର୍ ହାରିବା ପରେ ଆୟର ବୋଲର କିମ୍ବା ବ୍ୟାଟ୍ସମ୍ୟାନଙ୍କୁ ଦୋଷ ଦେଇନଥିଲେ । ବରଂ ଆଗକୁ ଆମେ ବ୍ୟାଟିଂ ଉପରେ ଅଧିକ ଫୋକସ୍ କରିବୁ ବୋଲି କହିଛନ୍ତି । ୧୦୧ ରନକୁ ଡିଫେନ୍ସ କରିବା ଏ ପଡ଼ିଆରେ ମୁସ୍କିଲ୍ ତେଣୁ ବୋଲରଙ୍କୁ ଦୋଷ ଦେଇ ହେବନି । ବ୍ୟାଟିଂ ୟୁନିଟକୁ ଆଗାମୀ ମ୍ୟାଚ୍ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ ।

ସବୁଠାରୁ ବଡ଼କଥା ହେଲା ଟି-୨୦ ଆପ୍ରୋଚରେ ଖେଳିବାକୁ ବ୍ୟାଟିଂ ଲାଇନଅପକୁ ସବୁବେଳେ କହି ଆସୁଛନ୍ତି କ୍ୟାପଟେନ୍ ଆୟର । ସେଥିପାଇଁ ତ ଚଳିତ ଆଇପିଏଲ୍ ଟ୍ରଫି ପାଇଁ ପ୍ରମୁଖ ଦାବିଦାର ଭାବେ ତାଲିକାରେ ରହିଛି ପଞ୍ଜାବ । ଏବେ ଆୟରଙ୍କ ଚତୁର ରଣନୀତି ମୁମ୍ବାଇ ବିପକ୍ଷ କ୍ବାଲିଫାୟାର୍-୨ ମ୍ୟାଚରେ କେତେ ସଫଳ ହେଉଛି ତାହାକୁ ଅପେକ୍ଷା କରିଛନ୍ତି କ୍ରିକେଟ୍ ପ୍ରେମୀ ।