ଭାରତ-ଇଂଲଣ୍ତ ଚତୁର୍ଥ ଟେଷ୍ଟରେ କମାଲ କରିଛନ୍ତି ଟିମ୍‌ ଇଣ୍ତିଆର ୨ ଷ୍ଟାର ଅଲରାଉଣ୍ତର ରବିନ୍ଦ୍ର ଜାଡେଡା ଓ ୱାଶିଂଟନ ସୁନ୍ଦର । ଉଭୟଙ୍କ ଶତକୀୟ ଇନିଂସ ଯୋଗୁ ମ୍ୟାଚ୍‌ ଡ୍ର ହୋଇଥିଲା । ସୁନ୍ଦର ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି । ମ୍ୟାଚ୍‌ରେ ସୁନ୍ଦରଙ୍କ ବ୍ୟାଟ୍‌ ଗର୍ଜିଥିବା ବେଳେ ମ୍ୟାଚ୍‌ ପରେ ସିଲେକ୍ଟରଙ୍କ ଉପରେ ବର୍ଷିଛନ୍ତି ସୁନ୍ଦରଙ୍କ ବାପା । ସିଲେକ୍ଟର କମିଟିଙ୍କ ଉପରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । କହିଛନ୍ତି, ମୋ ପୁଅକୁ ଟିମ୍‌ରେ କରାଯାଉଛି ଅଣଦେଖା ।

Advertisment

ବାପାଙ୍କ ପାଇଁ ବର୍ବାଦ ହେବନି ତ ପୁଅର କ୍ୟାରିୟର । ଚୟନକର୍ତ୍ତାଙ୍କୁ ପ୍ରଶ୍ନ ସୁନ୍ଦରଙ୍କ ପାଇଁ ପଡ଼ିବନି ତ ମହଙ୍ଗା । ଇଂଲଣ୍ତ ବିପକ୍ଷ ଟତୁର୍ଥ ଟେଷ୍ଟରେ ପୁଅର ଦମଦାର ଇନିଂସ ପରେ ଚୟନକର୍ତ୍ତାଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ୱାଶିଂଟନ ସୁନ୍ଦରଙ୍କ ବାପା ଏମ୍‌ ସୁନ୍ଦର । ପୁଅକୁ ନିୟମିତ ସୁଯୋଗ ମିଳୁ ନଥିବା ନେଇ ସିଲେକ୍ଟରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ୱାଶିଂଟନ ଲଗାତାର ଭଲ ପ୍ରଦର୍ଶନ କରିଆସୁଛନ୍ତି । କିନ୍ତୁ ତାଙ୍କ ପ୍ରଦର୍ଶନକୁ ନଜର ଅନ୍ଦାଜ କରାଯାଉଛି । ଅନ୍ୟ ଖେଳାଳିଙ୍କୁ ବାରମ୍ବାର ସୁଯୋଗ ଦିଆଯାଉଛି କିନ୍ତୁ ମୋ ପୁଅକୁ ମିଳୁନାହିଁ । ସୁନ୍ଦର ୫ମ ସ୍ଥାନରେ ଲଗାତାର ବ୍ୟାଟିଂ କରିବା ଦରକାର ।

ସେ ଆହୁରି କହିଛନ୍ତି, ମୋ ପୁଅକୁ ଗୋଟିଏ-ଦୁଇଟି ମ୍ୟାଚ୍‌ରେ ବିଫଳ ପରେ ଟିମ୍‌ରୁ ବାହାର କରିଦିଆଯାଉଛି । ଯାହା ଠିକ୍‌ ନୁହେଁ । ଅନ୍ୟ ଖେଳାଳିଙ୍କୁ ବାରମ୍ବାର ସୁଯୋଗ ମିଳୁଥିଲେ ବି ମୋ ପୁଅକୁ ସବୁବେଳେ ଅଣଦେଖା କରାଯାଉଛି । ଏମିତିକି ଇଂଲଣ୍ତ ବିପକ୍ଷ ପ୍ରଥମ ଟେଷ୍ଟରେ ତାଙ୍କୁ ପ୍ଲେଇଙ୍ଗ ଇଲେଭେନ୍‌ରେ ସ୍ଥାନ ମିଳିନଥିଲା । ଚୟନକର୍ତ୍ତାଙ୍କୁ ସୁନ୍ଦରଙ୍କ ପ୍ରଦର୍ଶନକୁ ନଜର କରିବା ଦରକାର ।

୨୦୧୭ରେ ଇଣ୍ଟରନ୍ୟାସନାଲ କ୍ରିକେଟରେ ଡେବ୍ୟୁ କରିଥିବା ୱାଶିଂଟନ ସୁନ୍ଦରଙ୍କୁ ୨୦୨୧ରେ ଟେଷ୍ଟ ଡେବ୍ୟୁ କରିଥିଲେ । ସେ ଏବେ ଯାଏ ୧୨ଟି ଟେଷ୍ଟରେ ୪ଟି ଅର୍ଦ୍ଧଶତକ ଓ ଗୋଟିଏ ଶତକ ବଳରେ ୬୭୩ ରନ୍‌ ଓ ୩୨ଟି ୱିକେଟ୍‌ ନେଇଛନ୍ତି । ଟେଷ୍ଟରେ ତାଙ୍କ ଷ୍ଟ୍ରାଇକ୍‌ ରେଟ୍ ୪୪.୯ ରହିଛି ।

ଭାରତ-ଇଂଲଣ୍ତ ୫ ଟିକିଆ ଟେଷ୍ଟ ସିରିଜ୍‌ରେ ୨-୧ରେ ଆଗୁଆ ରହିଛି ଇଂଲଣ୍ତ । ଚତୁର୍ଥ ଟେଷ୍ଟରେ ଶୁବମନ ଗିଲ୍‌, ରବିନ୍ଦ୍ର ଜାଡେଜା ଓ ୱାଶିଂଟନ ସୁନ୍ଦରଙ୍କ ଶତକ ବଳରେ ମ୍ୟାଚ୍‌ ଡ୍ର ରହିଥିଲା । ଜୁଲାଇ ୩୧ରୁ ପଞ୍ଚମ ତଥା ଅନ୍ତିମ ଟେଷ୍ଟ୍ ଦ ଓଭାଲରେ ଖେଳାଯିବ । ଭାରତ ଶୃଙ୍ଖଳା ବରାବର କରିବା ପାଇଁ ଏହା ଶେଷ ସୁଯୋଗ ରହିଛି ।