କନକ ବ୍ୟୁରୋ : ଭାରତୀୟ କ୍ରିକେଟରଙ୍କ ଜୀବନରେ ଝଡ଼ । ଜଣକ ପରେ ଜଣେ ନିଜ ବୈବାହିକ ଜୀବନରୁ ହେଉଛନ୍ତି ଆଉଟ୍ । କ୍ରିକେଟ ଫିଲ୍ଡରେ ଚର୍ଚ୍ଚା ସାଉଁଟୁଥିବା ଖେଳାଳି କିନ୍ତୁ ମ୍ୟାରେଜ୍ ଲାଇଫ୍ରେ ମାରୁଛନ୍ତି ଫେଲ୍ । ଗତ କିଛି ବର୍ଷରେ ଏମିତି ଅନେକ ଘଟଣା ସାମ୍ନାକୁ ଆସିଛି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ପ୍ରଥମେ ଶିଖର ଧାୱନ, ତା ପରେ ପାଣ୍ତ୍ୟା, ଚହଲ । ଆଉ ଏବେ ନଜାବଗଡ଼ର ନୱାବ ବିରେନ୍ଦ୍ର ସେହୱାଗ । ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କ ଲାଇଫରେ ଏବ ବଡ଼ ବିସ୍ଫୋରଣ । ଅଲଗା ହେବେ ସେହୱାଗ-ଆରତୀ । ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ କୁହାଯାଉଛି । ଦୁହେଁ ଦୁହିଁଙ୍କୁ ଇନଷ୍ଟାଗ୍ରାମରେ ଅନଫଲୋ କରିବା ପରେ ଏବେ ଚର୍ଚ୍ଚା ଜୋର ଧରିଛି । ବିବାହର ୨୦ ବର୍ଷ ପରେ ଅଲଗା ହେବାକୁ ଯାଉଛନ୍ତି ସେହୱାଗ ଆଉ ଆରତୀ ଅହଲାୱତ ।
ନିକଟ ଅତୀତରେ ଭାରତୀୟ ଦଳର ଅନେକ କ୍ରିକେଟର ପତ୍ନୀଙ୍କଠାରୁ ଅଲଗା ହେଉଥିବା ଖବର ସାମ୍ନାକୁ ଆସିଛି । ଯାହା ଅନେକ କ୍ରିକେଟ ଫ୍ୟାନ୍ସଙ୍କୁ ଆଶ୍ଚର୍ୟ୍ୟ ଚକିତ କରିଛି । ଶିଖର ଧାୱନଙ୍କଠାରୁ ଆରମ୍ଭ କରି ଚହଲ ପର୍ୟ୍ୟନ୍ତ ସମସ୍ତେ ନିଜ ମ୍ୟାରେଜ୍ ଲାଇଫରେ ଫେଲ୍ ମାରିଛନ୍ତି ।
କିଛି ଦିନ ତଳେ ଚହଲ ଏବଂ ଧନଶ୍ରୀ ବର୍ମାଙ୍କ ଛାଡ଼ପତ୍ର ହେବା ନେଇ ଚର୍ଚ୍ଚା ଚାଲିଥିଲା । ଉଭୟ ସାମାଜିକ ଗଣମାଧ୍ୟମରେ ପରସ୍ପରକୁ ଅନ୍ଫଲୋ ମଧ୍ୟ କରି ଦେଇଛନ୍ତି । ଏପରିକି ଧନଶ୍ରୀଙ୍କ ସହ ଥିବା ଫଟୋ ମଧ୍ୟ ଚହଲ ହଟାଇ ଦେଇଛନ୍ତି ।
ଇତି ମଧ୍ୟରେ ଆଉ ଜଣେ ଭାରତୀୟ କ୍ରିକେଟର ମନୀଷ ପାଣ୍ଡେ ଏବଂ ତାଙ୍କ ପତ୍ନୀ ଆଶ୍ରିତା ଶେଟ୍ଟୀଙ୍କ ସମ୍ପର୍କରେ ତିକ୍ତତା ନେଇ ଖବର ସାମ୍ନାକୁ ଆସିଛି । ମନୀଷ ଏବଂ ଆଶ୍ରିତା ଶେଟ୍ଟୀଙ୍କ ମଧ୍ୟରେ ମଧ୍ୟ ସବୁକିଛି ଠିକ୍ ନଥିବା କୁହାଯାଉଛି । ଦୁହେଁ ସୋସିଆଲ ମିଡିଆରୁ ପରସ୍ପରର ଫଟୋ ମଧ୍ୟ ହଟାଇ ଦେଇଛନ୍ତି । ସେହିପରି ଶିଖର ଧାୱନ ଓ ଆୟେଶା ମୁଖାର୍ଜୀଙ୍କ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶା ଷ୍ଟାନ୍କୋଭିକଙ୍କ ସମ୍ପର୍କରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡ଼ିସାରିଛି । ଟିମ୍ ଇଣ୍ତିଆର ଷ୍ଟାର ବୋଲର୍ ମହମ୍ମଦ ସାମିଙ୍କ ସ୍ତ୍ରୀ ହସିନ ଜାହାନ୍ ଛାଡ଼ପତ୍ର ଦେବା ପରେ ତାଙ୍କୁ କାଠଗଡ଼ାକୁ ଟାଣିଥିବାର ଦେଖିବାକୁ ମିଳିଥିଲା ।
ଏମିତି ଅନେକ କ୍ରିକେଟରଙ୍କ ମ୍ୟାରେଜ୍ ଲାଇଫ୍ ଅଧିକ ଦିନ ଯାଏ ତିଷ୍ଠି ପାରୁନି । ଯାହାର ପରିଣାମ ସ୍ୱରୁପ ବିବାହ ବିଚ୍ଛେଦ ଘଟଣା ବଢ଼ିବାରେ ଲାଗିଛି । ତେବେ କ୍ରିକେଟ ଫିଲ୍ଡରେ ଏତେ ସୁନାମ ଅର୍ଜନ କରିବା ପରେ ବି କାହିଁକି ମ୍ୟାରେଜ୍ ଲାଇଫ୍ରେ ଲମ୍ବା ଇନିଂସ ଖେଳିପାରୁନାହାନ୍ତି ଏମାନେ । ଏମିତି ଅନେକ ପ୍ରଶ୍ନ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।
ବିବାହ ବିଚ୍ଛେଦ ଘଟଣାକୁ ନେଇ ଏବେ ସୋସିଆଲ ମିଡିଆରେ ଟ୍ରୋଲ ମଧ୍ୟ କରାଯାଉଛି । ଛାଡ଼ପତ୍ର ଦେଇଥିବା କ୍ରିକେଟରଙ୍କୁ ନେଇ ଆଇପିଏଲରେ ଏକ ଟିମ୍ ଗଠନ ହୋଇପାରିବ ବୋଲି ମଧ୍ୟ ଫଟୋ ଭାଇରାଲ ହେଉଛି ।