ନାନାଦି ଚର୍ଚ୍ଚା ଓ ସମାଲୋଚନା ଭିତରେ ହେଟର୍ସଙ୍କ ମୁହଁ ଏକପ୍ରକାର ଚୁପ୍‌ କରିଦେଇଛନ୍ତି ହିଟମ୍ୟାନ୍‌ ରୋହିତ ଶର୍ମା । ଦିନିକିଆରୁ ଅବସର ନେଇ ଚର୍ଚ୍ଚା ବଢୁଥିବା ବେଳେ ଫିଟନେସ୍‌ ଟେଷ୍ଟ ପାସ କରିଛନ୍ତି ରୋହିତ । ହିଟମ୍ୟାନ୍‌ ପୁରାପୂରି ଫିଟ୍‌ ଥିବା ଦେଖିବାକୁ ମିଳିଛି । ୨୦୨୭ ବିଶ୍ୱକପ୍‌ରେ ରୋହିତ କମାଲ କରିବେ ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି । ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍‌ ପୂର୍ବରୁ ରୋହିତ ଫିଟ୍‌ ରହିବା ଟିମ୍‌ ଇଣ୍ତିଆ ପାଇଁ ଶୁଭ ସଙ୍କେତ ।

Advertisment

ଏସିଆ କପ୍‌ ୨୦୨୫ ପୂର୍ବରୁ ଟିମ୍‌ ଇଣ୍ତିଆର ଖେଳାଳିଙ୍କ ଫିଟନେସ୍‌ ଯାଞ୍ଚ କରାଯାଇଛି । ନୂଆ କରି ବ୍ରୋଙ୍କୋ ଟେଷ୍ଟ ହୋଇଛି । ଏହା ସହ ୟୋ-ୟୋ ଟେଷ୍ଟ ମଧ୍ୟ କରାଯାଇଛି । ଉଭୟ ଟେଷ୍ଟରେ ରୋହିତ ପାସ କରିଥିବା ସୂଚନା ମିଳିଛି । ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ୍‌ ଖେଳିବ ଭାରତ । ଏହା ପୂର୍ବରୁ ରୋହିତଙ୍କ ଫିଟନେସ୍‌କୁ ନେଇ ଅନେକ ଚର୍ଚ୍ଚା ହେଉଥିଲା । ଏହି ସିରିଜ୍‌ ତାଙ୍କ କ୍ୟାରିୟରର ଶେଷ ସିରିଜ୍‌ ବୋଲି ମଧ୍ୟ କୁହାଯାଉଥିଲା । କିନ୍ତୁ ରୋହିତ ଏସବୁ ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ହିଟମ୍ୟାନ୍‌ ।

୨୦୨୭ରେ ଖେଳାଯିବ ଦିନିକିଆ ବିଶ୍ୱକପ୍‌ । ସେତେବେଳକୁ କ୍ୟାପ୍ଟେନ୍ ରୋହିତ ଶର୍ମାଙ୍କ ବୟସ ୪୦ ବର୍ଷରୁ ଅଧିକ ହୋଇଯାଇଥିବ । ଏହାରି ଭିତରେ ବ୍ରୋଙ୍କୋ ଟେଷ୍ଟ ପାସ କରିଛନ୍ତି ହିଟମ୍ୟାନ୍‌ । ରୋହିତଙ୍କ ପରେ ଏବେ ବିରାଟଙ୍କ ପାଳି । ବିରାଟଙ୍କ ଫିଟନେସ୍‌କୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ଚାଲିଛି । ଉଭୟ ଅଷ୍ଟ୍ରେଲିଆ ସିରିଜ୍‌ ଖେଳିବେ ବୋଲି ସୂଚନା ମଧ୍ୟ ମିଳିଛି । କିନ୍ତୁ ୨୦୨୭ ବିଶ୍ୱକପ୍‌ରେ ଉଭୟଙ୍କ ଖେଳିବାକୁ ନେଇ ଦ୍ୱନ୍ଦ୍ୱ ରହିଛି ।

ନିକଟରେ ରୋ-କୋ ଯୋଡ଼ି ଉପରେ ବିସିସିଆଇ ବଡ଼ ବୟାନ ରଖିଛି । ରୋହିତ ଓ ବିରାଟଙ୍କ ଦିନିକିଆରେ ଅବସର ଗୁଜବକୁ ଖାରଜ କରିଛି ବିସିସିଆଇ । ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ସ୍ପଷ୍ଟ କରିଛନ୍ତି, ଉଭୟ ଖେଳାଳି ଏବେ ମଧ୍ୟ ଦିନିକିଆ ଖେଳୁଛନ୍ତି ଏବଂ ଅବସର ନେବାର କୌଣସି ଯୋଜନା ନାହିଁ । ରାଜୀବ କହିଛନ୍ତି, ବିସିସିଆଇ କେବେ ଖେଳାଳିଙ୍କୁ ଅବସର ନେବାକୁ ବାଧ୍ୟ କରେ ନାହିଁ, ଏହା ଖେଳାଳିଙ୍କ ନିଜସ୍ବ ନିଷ୍ପତ୍ତି ଉପରେ ନିର୍ଭର କରେ । ତେବେ ୨୦୨୭ ବିଶ୍ୱକପ୍‌ ଦଳରେ ରୋ-କୋ ଯୋଡ଼ି ନିଜ ସ୍ଥାନ ପକ୍କା କରିପାରୁଛନ୍ତି କି ନାହିଁ, ତା ଉପରେ ସମସ୍ତଙ୍କ ନଜର ।