କନକ ବ୍ୟୁରୋ: ଯଶସ୍ବୀ ଜୟସ୍ବାଲ, ଶୁବମନ ଗିଲଙ୍କ ପରେ ଇଂଲଣ୍ଡ ବିପକ୍ଷରେ ଶତକ ହାସଲ କରି ଇତିହାସ ରଚିଛନ୍ତି ଋଷଭ ପନ୍ତ । ଏହି ରେକର୍ଡ ବ୍ରେକର ଶତକୀୟ ଇନିଂସ୍ ଫଳରେ ଭାଙ୍ଗିଯାଇଛି ଧୋନୀଙ୍କ ସବୁଠାରୁ ବଡ଼ ଟେଷ୍ଟ୍ ରେକର୍ଡ । ଯାହାକୁ ନେଇ ପନ୍ତଙ୍କୁ ଏବେ କିଂବଦନ୍ତୀ କ୍ରିକେଟରଙ୍କଠୁ ଆରମ୍ଭ କରି କ୍ରିକେଟ୍ ପ୍ରେମୀ ମାନେ ପ୍ରଶଂସା କରୁଛନ୍ତି ।
ଟେଷ୍ଟ କ୍ରିକେଟ ଇତିହାସରେ ଭାରତୀୟ ୱିକେଟକିପର ଏବଂ ବ୍ୟାଟର ଭାବେ ସର୍ବାଧିକ ସଂଖ୍ୟକ ଶତକ କରିବାରେ ଋଷଭ ପନ୍ତ ଏକ ନମ୍ବର ଖେଳାଳି । କାରଣ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ଭାଙ୍ଗିଦେଇଛନ୍ତି ଏହି ବାମହାତୀ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ । ପନ୍ତ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଛକା ମାରି ଶତକ ପୂରଣ କରିଥିଲେ । ସେ ୧୨ଟି ଚୌକା ଓ ୬ଟି ଛକା ମାରି ୧୩୪ ରନର ଶତକୀୟ ଇନିଂସ କରି ପାଭିଲିଅନ ଫେରିଥିଲେ ।
ଇଂଲଣ୍ଡ ବିପକ୍ଷରେ ହାସଲ କରିଥିବା ଏହି ଶତକ ଋଷଭଙ୍କ କ୍ୟାରିୟରର ସପ୍ତମ ଟେଷ୍ଟ ଶତକ ଥିଲା । ଭାରତ ପାଇଁ ୯୦ ଟେଷ୍ଟ ଖେଳିଥିବା ଧୋନୀ ୬ ଶତକ ଓ ୩୩ ଅର୍ଦ୍ଧଶତକ ସହ ୪,୮୭୬ ରନ୍ କରିଥିଲେ । ଭାରତ ପାଇଁ ଟେଷ୍ଟରେ ଧୋନୀ ଏବେ ବି ସର୍ବାଧିକ ରନ କରିଥିବା ୱିକେଟକିପର ବ୍ୟାଟର ତାଲିକରେ ଅଛନ୍ତି ।
ଖାଲି ଏତିକି ନୁହେଁ ଶତକୀୟ ଇନିଂସ ସହ ପନ୍ତ ଟେଷ୍ଟ କ୍ୟାରିୟରରେ ୩ ହଜାର ରନ୍ ମଧ୍ୟ ପୂରଣ କରିଛନ୍ତି । ପୂର୍ବରୁ ଭାରତ ପାଇଁ ସର୍ବାଧିକ ଟେଷ୍ଟ ଶତକ କରିଥିବା ୱିକେଟକିପର ବ୍ୟାଟରଙ୍କ ତାଲିକାରେ ରିଦ୍ଧିମାନ ଶାହ ୩ଟି ଶତକ କରିଥିବାବେଳେ ସୟଦ କିରମାନି ଓ ପାରୁଖ ଇଞ୍ଜିନିୟର ଦୁଇଟି ଲେଖାଏ ଶତକ ହାସଲ କରିଥିଲେ । ଟେଷ୍ଟ କ୍ରିକେଟରେ ସର୍ବାଧିକ ଛକା ମାରିବାରେ ବି ଧୋନୀଙ୍କୁ ପଛରେ ପକାଇ ତୃତୀୟ ଭାରତୀୟ କ୍ରିକେଟର ବନିଯାଇଛନ୍ତି ପନ୍ତ ।