କନକ ବ୍ୟୁରୋ : ଯେତେବେଳ ତୁମେ ନାଚାର, ଅସହାୟ ହୋଇଯାଅ, ଯେତେବେଳେ ତୁମ ଦ୍ୱାରା ସମସ୍ୟାର ସମାଧାନ ହୁଏନା, ସେତେବେଳେ ତୁମେ ଭଗବାନଙ୍କ ଆଶ୍ରୟ ନିଅ, ତାଙ୍କ ଶରଣକୁ ଆସ । ପ୍ରତ୍ୟେକ ବ୍ୟକ୍ତି ଏହା ହିଁ କରିଥାଏ । ଆଉ ବିରାଟ ବି ସେଇଆ ହିଁ କରିଥିଲେ । କେତେବେଳେ ମହାକାଳେଶ୍ୱର ମନ୍ଦିର ତ କେତେ ବେଳେ ରାମ ମନ୍ଦିରକୁ ଯାଇ ଭଗବାନଙ୍କ ଶରଣାପନ୍ନ ହୋଇଛନ୍ତି । ଆଉ କେତେବେଳେ ବାବା ପ୍ରେମାନନ୍ଦଙ୍କ ପାଖକୁ ଯାଇ ତାଙ୍କ ଆଶିଷ ଭିକ୍ଷା କରିଛନ୍ତି ।
ଯିଏ ଦିନେ ପୂଜାପାଠରେ ବିଶ୍ୱାସ କରୁନଥିଲେ । ଆଜି ସେ ଧାର୍ମିକ ଚେତନାରେ ବୁଡ଼ି ରହୁଛନ୍ତି । ସତସଙ୍ଗ ଶୁଣୁଛନ୍ତି । ପୂଜାପାଠ ବି କରୁଛନ୍ତି । ନିଜର ଆଗ୍ରେସନ୍କୁ ନେଇ ପରିଚିତ କିଙ୍ଗ୍ କୋହଲି ଏବେ ମନ୍ଦିର, ପୂଜାପାଠରେ ବିଶ୍ୱାସ କରୁଛନ୍ତି । ଏହା ପଛରେ ରହିଛି ତାଙ୍କ ସ୍ତ୍ରୀଙ୍କ ବଡ଼ ହାତ । କୁହନ୍ତି ନା ପ୍ରତ୍ୟେକ ସଫଳ ପୁରୁଷ ପଛରେ ଜଣେ ମହିଳାର ହାତ ରହିଥାଏ । ଠିକ୍ ସେହିପରି ବିରାଟଙ୍କ ସଫଳତା ପଛରେ ଅନୁଷ୍କାଙ୍କ ହାତ ରହିଛି ।
୧୭ ବର୍ଷ ଧରି IPLରେ ବିରାଟ କୋହଲିଙ୍କ ଭାଗ୍ୟ ଚମକି ନଥିଲା । କିନ୍ତୁ ବାବା ପ୍ରେମାନନ୍ଦ ମହାରାଜଙ୍କ ଦରବାର ଯିବା ପରେ ବିରାଟଙ୍କ ଅପେକ୍ଷାର ଅନ୍ତ ଘଟିଲା । RCBର ବିଜୟ ପରେ ବିରାଟ କୋହଲି ଭାବପ୍ରବଣ ହୋଇ ଫିଲ୍ଡରେ କାନ୍ଦୁଥିବାର ଦେଖିବାକୁ ମିଳିଥିଲା । ଏହା ପରେ ସୋସିଆଲ ମିଡିଆରେ ପ୍ରେମାନନ୍ଦ ମହାରାଜ ଟ୍ରେଣ୍ଡ କରିବାରେ ଲାଗିଲେ । କାରଣ ବିରାଟ କୋହଲି ଫାଇନାଲ ପୂର୍ବରୁ ତାଙ୍କ ଆଶୀର୍ବାଦ ନେଇଥିଲେ ।
ଟେଷ୍ଟରୁ ଅବସର ନେବାର ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ଆଇପିଏଲ୍ ମଝିରେ ବିରାଟ ପତ୍ନୀ ଅନୁଷ୍କାଙ୍କ ସହ ବୃନ୍ଦାବନ ସ୍ଥିତ ପ୍ରେମାନନ୍ଦ ମହାରାଜଙ୍କ ପାଖକୁ ଯାଇଥିଲେ । ତାଙ୍କ ସତସଙ୍ଗ ଶୁଣିବା ସହ ତାଙ୍କ ଆଶିଷ ଭିକ୍ଷା କରିଥିଲେ । ପ୍ରେମାନନ୍ଦ ବାବାଙ୍କ ଆଶୀର୍ବାଦ ପରେ ବିରାଟଙ୍କ ୧୮ ବର୍ଷର ସ୍ୱପ୍ନ ପୂରଣ ହୋଇଥିବା ନେଇ ଫ୍ୟାନ୍ସ ଦାବି କରିଛନ୍ତି । ବିରାଟଙ୍କ ସଫଳତା ପଛରେ ପ୍ରେମାନନ୍ଦ ମହାରାଜଙ୍କ ହାତ ରହିଥିବା ନେଇ ସୋସିଆଲ ମିଡିଆରେ ଟ୍ରେଣ୍ତ କରୁଛି ।