କନକ ବ୍ୟୁରୋ : ଟିମ୍ ଇଣ୍ତିଆର ଷ୍ଟାର ଖେଳାଳି କିନ୍ତୁ ରଣଜୀରେ ମାରିଲେ ଫେଲ । ଶେଷରେ ରଣଜୀ ଦଳରେ ମିଳିଲାନି ଖେଳିବାର ସୁଯୋଗ । ଦୀର୍ଘ ବର୍ଷ ପରେ ରଣଜୀକୁ ଫେରିଥିବା ଏହି ଷ୍ଟାର ଖେଳାଳିଙ୍କୁ ଦଳରେ କାହିଁକି ସାମିଲ କରାଗଲାନାହିଁ । ସେ ନେଇ ଏବେ ସୋସିଆଲ ମିଡିଆରେ ଅନେକ ପ୍ରଶ୍ନ ସୃଷ୍ଟି ହେବାରେ ଲାଗିଛି । ଏହା ପଛରେ ଏକ ବଡ଼ କାରଣ ମଧ୍ୟ ରହିଛି ।
ମେଘାଳୟ ବିପକ୍ଷ ରଣଜୀ ମ୍ୟାଚ୍ ପାଇଁ ମୁମ୍ବାଇ ଦଳ ଘୋଷଣା ସରିଛି । ଏଥିରେ ସାମିଲ ନାହାନ୍ତି ଅନେକ ଷ୍ଟାର ଖେଳାଳି । ଜମ୍ମୁ କାଶ୍ମୀର ବିପକ୍ଷ ମ୍ୟାଚ୍ରେ ଅନେକ ଷ୍ଟାର ଖେଳାଳି ଟିମ୍କୁ ଫେରିଥିବା ବେଳେ କିନ୍ତୁ ମେଘାଳୟ ବିପକ୍ଷରେ ସେମାନଙ୍କୁ ବାଦ ଦିଆଯାଇଛି । ଯେପରିକି ଟିମ୍ ଇଣ୍ତିଆର ଅଧିନାୟକ ତଥା ହିଟମ୍ୟାନ୍ ରୋହିତ ଶର୍ମାଙ୍କୁ ମୁମ୍ବାଇ ରଣଜୀ ଦଳରେ ସାମିଲ କରାଯାଇନାହିଁ ।
ଏହାଛଡ଼ା ଶ୍ରେୟସ ଆୟର ଏବଂ ଜଶସ୍ୱୀ ଜୟସ୍ୱାଲଙ୍କୁ ମୁମ୍ବାଇ ରଣଜୀ ଦଳରେ ସାମିଲ କରାଯାଇନାହିଁ । ତେବେ ଅନ୍ତର୍ଜାତୀୟ କ୍ରିକେଟରେ ନିଜର କରିସ୍ମା ଦେଖାଉଥିବା ଏହି ଖେଳାଳି କାହିଁକି ରଣଜୀ ଦଳରୁ ବାଦ ପଡ଼ିଲେ, ସେନେଇ ଅନେକ ପ୍ରଶ୍ନ ଠିଆ ହୋଇଛି ।
ବାସ୍ତବରେ ଆଉ କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି ଚାମ୍ପିୟନ୍ସ ଟ୍ରଫି । ସେଥିପାଇଁ ଏହି ଷ୍ଟାର ଖେଳାଳିଙ୍କୁ ନିଜ ରଣଜୀ ଟିମ୍ରୁ ବାଦ ଦିଆଯାଇଛି । ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଇଂଲଣ୍ତ ବିପକ୍ଷରେ ୩ ଟିକିଆ ଦିନିକିଆ ସିରିଜ୍ ମଧ୍ୟ ଖେଳାଯିବ । ଏଥିପାଇଁ ପ୍ରାକ୍ଟିସ୍ ମଧ୍ୟ ଆରମ୍ଭ ହୋଇସାରିଛି । ଯେହେତୁ ଇଂଲଣ୍ତ ସିରିଜ୍ରେ ଏହି ଷ୍ଟାର ଖେଳାଳି ସାମିଲ ଥିବାରୁ ଏମାନଙ୍କୁ ମୁମ୍ବାଇ ରଣଜୀ ଦଳରୁ ବାଦ ଦିଆଯାଇଛି ।
ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ରେ ରୋହିତଙ୍କ ଖରାପ ପ୍ରଦର୍ଶନ ପରେ ତାଙ୍କୁ ରଣଜୀ ଖେଳିବାକୁ କୁହାଯାଇଥିଲା । କିନ୍ତୁ ଘରୋଇ କ୍ରିକେଟରେ ମଧ୍ୟ କିଛି କମାଲ କରିପାରିନଥିଲେ ହିଟମ୍ୟାନ୍ ରୋହିତ ଶର୍ମା । ସେପଟେ ଶ୍ରେୟସ ଆୟରଙ୍କ ବ୍ୟାଟ୍ ବି ଚାଲିନଥିଲା । ଜୟସ୍ୱାଲ ମଧ୍ୟ କିଛି ପ୍ରଭାବ ପକାଇ ପାରିନଥିଲେ ।
ମୁଣ୍ତ ଉପରେ ଚାମ୍ପିୟନ୍ସ ଟ୍ରଫି ଥିବା ବେଳେ ଏହି ୩ ଷ୍ଟାର କ୍ରିକେଟରଙ୍କ ପ୍ରଦର୍ଶନ ଉପରେ ଟିମ୍ର ବିଜୟଧାରା ନିର୍ଭର କରୁଛି । ଫ୍ୟାନ୍ସ ମଧ୍ୟ ଏମାନଙ୍କ ବ୍ୟାଟ୍ରୁ ଶତକୀୟ ଇନିଂସ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି ।