କନକ ବ୍ୟୁରୋ : ଏଣିକି ରାତାରାତି କୋଟିପତି ହେବାର ସ୍ୱପ୍ନ ହୋଇଗଲା ଚୁରମାର । ୪୯ ଟଙ୍କାରେ ଥାର୍ ଗାଡ଼ି ସାଙ୍ଗକୁ ୩ କୋଟି ଜିତିବାର ଲୋଭ ଉପରେ ସରକାର ଲଗାଇଲେ ଛାଟ । ଏଣିକି ଡିଜିଟାଲ ଜୁଆ ଖେଳିଲେ ଭୋଗିବେ ୩ ବର୍ଷ ଜେଲ୍ । ତା ସହ କୋଟିଏ ଟଙ୍କା ପର୍ଯ୍ୟନ୍ତ ଜରିମାନା ବି ଗଣିବେ । ଅନ୍ଲାଇନ୍ ଗେମ୍ରେ ଲାଗିଲା ଅଙ୍କୁଶ । ଅନଲାଇନ୍ ଗେମ୍ ମାୟାରେ ପଡ଼ି ବହୁ ଯୁବକଯୁବତୀ ଆତ୍ମହତ୍ୟା କରୁଥିବାରୁ ସରକାର ଗେମିଂ ଆପ୍ ଉପରେ ରୋକ୍ ଲଗାଇଛନ୍ତି । ଲୋକସଭାରେ ଅନ୍ଲାଇନ୍ ଗେମିଂ ବିଲ୍ ପାରିତ ହୋଇଛି । ଯେଉଁଥି ପାଇଁ ଅନ୍ଲାଇନ୍ ମନି ଗେମିଂ, ବିଜ୍ଞାପନ ଓ ଖେଳିବା ପାଇଁ ପ୍ରବର୍ତ୍ତାଇଲେ ଜରିମାନା ସହ ଜେଲ୍ ବ୍ୟବସ୍ଥା ରହିଛି ।
ଅନଲାଇନ ଗେମ୍ ଓ ବେଟିଂ ଯୋଗୁ ବହୁ ଜୀବନ ଯାଉଛି । କିଏ ବିପୁଳ ଟଙ୍କା ହରାଇ ଆତ୍ମହତ୍ୟା କରୁଛନ୍ତି ତ କାହାକୁ ଆତ୍ମହତ୍ୟା କରିବା ପାଇଁ ଏକ ପ୍ରକାର ପ୍ରବର୍ତ୍ତାଯାଉଛି । ବିଶେଷକରି ଶିଶୁ ଓ ଯୁବଗୋଷ୍ଠୀ ଏହାର ଶିକାର ହେଉଛନ୍ତି। ବହୁ ଲୋକ ଅନ ଲାଇନ ଗେମ୍ ଖେଳି ସର୍ବସ୍ୱାନ୍ତ ହେଉଥିବା ଦେଖିବାକୁ ମିଳୁଛି । ଲୋକ ମାନସିକ ଭାରସାମ୍ୟ ହରାଇ ପାଗଳ ହୋଇଯାଉଛନ୍ତି । ଏହାର ପ୍ରତିକାର ପାଇଁ କେନ୍ଦ୍ର ସରକାର ଆଣିଛନ୍ତି ଅନ୍ଲାଇନ୍ ଗେମିଂ ବିଲ୍- ୨୦୨୫ । ଲୋକସଭାରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଲ୍ ଆଗତ କରିଛନ୍ତି ।
ପ୍ରମୋସନ ଆଣ୍ଡ ରେଗୁଲେସନ ଅଫ୍ ଅନଲାଇନ ଗେମିଂ ବିଲ୍ର ଲକ୍ଷ୍ୟ ହେଉଛି-
- ବେଟିଂ ସହିତ ଜଡ଼ିତ ଅନ୍ଲାଇନ୍ ଟଙ୍କା ଖେଳକୁ ନିଷିଦ୍ଧ କରିବା
-ପ୍ରତ୍ୟେକ ଅନ୍ଲାଇନ୍ ଗେମ୍କୁ କେନ୍ଦ୍ର ସରକାର ପରିଚାଳନା କରିବେ
-ଅନ୍ଲାଇନ୍ ମନି ଗେମିଂ, ବିଜ୍ଞାପନ, ଖେଳିବା ପାଇଁ ପ୍ରବର୍ତ୍ତାଇଲେ ଜରିମାନା
- ଜରିମାନା ବ୍ୟବସ୍ଥା ମଧ୍ୟ ଅଛି
- ଇ-ସ୍ପୋର୍ଟସ ଓ ସକାରାତ୍ମକ ଖେଳକୁ ଉତ୍ସାହିତ କରିବା
- ପ୍ରଯୁକ୍ତି ବିଦ୍ୟାର ସକାରାତ୍ମକ ଉପଯୋଗ
ଏ ଦିଗରେ ଦୃଷ୍ଟି ରଖିବା ପାଇଁ ଅନଲାଇନ ଗେମିଂ ଅଥରିଟି ଗଠନ କରିବାକୁ ବିଲରେ ବ୍ୟବସ୍ଥା ରହିଛି । ଲୋକସଭା ପରେ ରାଜ୍ୟସଭାରେ ବି ପାରିତ ହୋଇଛି ଅନଲାଇନ୍ ଗେମିଂ ବିଲ୍ ୨୦୨୫ । ବାଚନିକ ଭୋଟ୍ ବଳରେ ଏହି ବିଲ୍ ପାରିତ ହୋଇଛି । ପ୍ରତିବର୍ଷ ହଜାର ହଜାର ପିଲା ଅନଲାଇନରେ ଗେମ୍ ଖେଳି ପ୍ରାଣ ହରାଉଛନ୍ତି । ଗେମ୍ରେ ସର୍ବସ୍ୱ ହରାଇବା ପରେ ଆତ୍ମହତ୍ୟା କରୁଥିବା ଖବର ଆସୁଛି । ଏହାକୁ ଦୃଷ୍ଟିରେ ରଖି ସଂସଦରେ ଅନଲାଇନ ଗେମିଂ ବିଲ୍ ନେଇ ବିଲ୍ ଆସିଥିଲା ।