କନକ ବ୍ୟୁରୋ: ଆଇପିଏଲର ସବୁଠୁ ଦାମୀ ଖେଳାଳି ଋଷଭ ପନ୍ତ, ଲିଗର ଶେଷ ମ୍ୟାଚରେ ଦମଦାର ଶତକ ମାରି ବି ଫ୍ଲପ୍ ହୋଇଛନ୍ତି । ଚଳିତ ସିଜିନରେ ପନ୍ତ ପୂରା ଫ୍ଲପ୍ ହୋଇଛନ୍ତି କହିଲେ ବି କିଛି ଭୁଲ୍ ହେବନି । କାରଣ ୨୭ କୋଟିରେ କିଣା ହୋଇଥିବା ଏହି ଦାମୀ ଖେଳାଳି ଦୀପ ଲିଭିଲା ବେଳକୁ ଜୋରରେ ଜଳିବା ଭଳି ଖେଳ ଦେଖାଇଥିଲେ । କିନ୍ତୁ ଚଳିତ ସିଜିନରେ ଲକ୍ଷ୍ନୌ ମାଲିକଙ୍କ କୋଟି କୋଟି ଟଙ୍କା ପାଣିରେ ପକାଇଦେଇଛନ୍ତି କ୍ୟାପଟେନ୍ ପନ୍ତ । ଏମିତିକି ପନ୍ତଙ୍କ ଗୋଟିଏ ରନ୍ ପିଛା ୧୦ ଲକ୍ଷ ଟଙ୍କା ପଡ଼ିଥିବା ଚର୍ଚ୍ଚା ହେଉଛି ।

Advertisment

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଆଇପିଏଲର ଚଳିତ ସିଜିନରେ ଋଷଭ ପନ୍ତ ସର୍ବମୋଟ୍ ୨୬୯ ରନ୍ ହାସଲ କରିଛନ୍ତି । ଆଉ ପନ୍ତଙ୍କ ଗୋଟିଏ ରନ୍ ପିଛାରେ ଟିମ୍ ଖର୍ଚ୍ଚ କରିଛି ୧୦ ଲକ୍ଷ ୩୦ ହଜାର ଟଙ୍କା । ଅନେକଥର ଆଇପିଏଲରେ ଅନକ୍ୟାପ୍ଡ ବା ଯୁବ ଖେଳାଳିଙ୍କୁ ବିଭିନ୍ନ ଟିମ୍ ମାତ୍ର ୨୦ରୁ ୩୦ ଲକ୍ଷ ଟଙ୍କା ଦେଇ କିଣିଥିବାର ନଜିର ରହିଛି । ହେଲେ ଚଳିତ ଆଇପିଏଲରେ ଋଷଭ ପନ୍ତଙ୍କ ଗୋଟିଏ ରନ୍ ପିଛା ଲକ୍ଷ୍ନୌ ଖର୍ଚ୍ଚ କରିଛି ୧୦ ଲକ୍ଷରୁ ଅଧିକ ଟଙ୍କା । ଯାହାକି ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିବା ଭଳି ଲକ୍ଷ୍ନୌ ସୁପରଜାଏଣ୍ଟସ୍ ପାଇଁ ସାବ୍ୟସ୍ତ ହୋଇଛି ।

ଖାଲି ଏତିକି ନୁହେଁ ଆଇପିଏଲର ସବୁଠାରୁ ଦାମୀ ଶତକ ମଧ୍ୟ ମାରିଛନ୍ତି ଋଷଭ ପନ୍ତ । ମଙ୍ଗଳବାର ଖେଳାଯାଇଥିଲା ଚଳିତ ଆଇପିଏଲ୍ ଲିଗ୍ ର ଶେଷ ମ୍ୟାଚ୍ । ବେଙ୍ଗାଲୁରୁ ବିପକ୍ଷରେ ଲକ୍ଷ୍ନୌ କ୍ୟାପଟେନ୍ ଋଷଭ ପନ୍ତ ଦମଦାର ବ୍ୟାଟିଂ କରିଥିଲେ । ମାତ୍ର ୬୧ ବଲରେ ୧୧୮ ରନ୍ ହାସଲ କରିଥିଲେ ପନ୍ତ । ଋଷଭଙ୍କ ଏହି ଶତକୀୟ ଇନିଂସକୁ ଯଦି ତାଙ୍କ ନିଲାମୀ ଟଙ୍କା ସହ ତୁଳନା କରାଯାଏ ତେବେ ତାଙ୍କ ଶତକର ମୂଲ୍ୟ ୧୨ କୋଟି ୧୫ ଲକ୍ଷ ଟଙ୍କା ହେଉଛି । ଯାହାକି ପୂରା ଆଇପିଏଲ୍ ଇତିହାସରେ ସବୁଠାରୁ ଦାମୀ ଶତକ ବନିଯାଇଛି । 

ରୋଚକ କଥା ହେଲା, ପନ୍ତ କେବଳ ଚଳିତ ଆଇପିଏଲର ସବୁଠାରୁ ଦାମୀ ଖେଳାଳି ନୁହନ୍ତି ବରଂ ଗୋଟିଏ ରନ ସ୍କୋର କରିବା ପାଇଁ ସର୍ବାଧିକ ଟଙ୍କା ନେଉଥିବା ଖେଳାଳି ବି ବନିଯାଇଛନ୍ତି । ଋଷଭ ପନ୍ତ ୨୦୨୫ ଆଇପିଏଲରେ ୧୩୩.୧୭ ଷ୍ଟ୍ରାଇକରେଟରେ ମୋଟ୍ ୨୬୯ ରନ୍ କରିଛନ୍ତି ଯାହା ତାଙ୍କର ୨୦୧୮ର ସର୍ବାଧିକ ସ୍କୋର୍ ୬୮୪ ତୁଳନାରେ ବହୁତ କମ୍ । ଏଥର ପନ୍ତ ୧୪ଟି ମ୍ୟାଚ ଖେଳି ପ୍ରତି ମ୍ୟାଚ୍ ପିଛା ମାତ୍ର ୨୪.୪୫ ଆଭରେଜରେ ରନ୍ ହାସଲ କରିଛନ୍ତି ଯାହା କ୍ରିକେଟ୍ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଶେଷ ଲିଗ୍ ମ୍ୟାଚରେ ପନ୍ତ ଶତକୀୟ ପାଳି ଖେଳିକି ବି ଲକ୍ଷ୍ନୌ ବେଙ୍ଗାଲୁରୁଠୁ ପରାସ୍ତ ହୋଇଛି । ସେଥିପାଇଁ ପନ୍ତଙ୍କୁ ଏଥର ଷ୍ଟାର୍ ପ୍ଲେୟାରଙ୍କ ଫ୍ଲପ୍ ସୋ’ କହି ସମାଲୋଚନା କରୁଛନ୍ତି ସମାଲୋଚକ ।