ଆଉ ଧଳା ଜର୍ସିରେ ଦେଖିବାକୁ ମିଳିବନି କିଙ୍ଗ କୋହଲିଙ୍କ ଜଲୱା । ନା ଦେଖିବାକୁ ମିଳିବ ତାଙ୍କ ଆଗ୍ରେସନ୍, ନା ଦେଖିବାକୁ ମିଳିବ ତାଙ୍କର ଶତକୀୟ ଇନିଂସ । କିଛିଦିନର ଚର୍ଚ୍ଚା ଭିତରେ ଟେଷ୍ଟରୁ ଅବସର ନେଲେ କିଙ୍ଗ କୋହଲି । ଏନେଇ ସୋସିଆଲ ମିଡିଆ ପୋଷ୍ଟରେ ଦେଲେ ସୂଚନା । ଟେଷ୍ଟ କ୍ରିକେଟ୍ ଅଭିଜ୍ଞତାକୁ ନେଇ ବାଣ୍ଟିଲେ ଭାବବିହ୍ବଳ ଭରା ପୋଷ୍ଟ ।
ଟେଷ୍ଟ କ୍ରିକେଟକୁ ବାଏ ବାଏ କଲେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍ କିଙ୍ଗ କୋହଲି । ନାଁ ଯେମିତି ବିରାଟ କାମ ବି ତାଙ୍କର ବିରାଟ । ରେକର୍ଡ ହାସଲ କରିବାର ଭୋକ ରହିଥାଏ କିଙ୍ଗ କୋହଲିଙ୍କ ଭିତରେ । କିନ୍ତୁ ଆଜି ସେ ଭୋକ ଯେମିତି ଅଧାରେ ରହିଯାଇଛି । ନିଜର ଆଦର୍ଶ ସଚିନ୍ଙ୍କୁ ପଛରେ ପକାଇବା ସ୍ୱପ୍ନ ଯେମିତି ଅଧାରେ ରହିଗଲା ଭଳି ଲାଗୁଛି । ନିକଟେରେ ଟି-ଟ୍ୱେଣ୍ଟି ଫର୍ମାଟରୁ ଅବସର ନେଇଥିବା ବେଳେ ଏବେ ଟେଷ୍ଟ କ୍ରିକେଟକୁ ଅଲବିଦା କରିଦେଇଛନ୍ତି । କେବଳ ଦିନିକିଆରେ ହିଁ ତାଙ୍କ ଜଲୱା ଦେଖିବାକୁ ମିଳିବ ।
ଗତକାଲି ନିଜ ଇନଷ୍ଟାଗ୍ରାମ ପେଜ୍ରେ ଏକ ଭାବବିହ୍ୱଳ ଷ୍ଟୋରୀ ରଖି ଟେଷ୍ଟ କ୍ରିକେଟକୁ ବାଏ ବାଏ କରିଦେଇଛନ୍ତି କୋହଲି । ଯାହା କୋଟି କୋଟି କୋହଲି ଫ୍ୟାନ୍ସଙ୍କୁ ବଡ଼ ଝଟକା ଦେଇଛି । ପୋଷ୍ଟ ସେୟାର କରି ଲେଖିଛନ୍ତି, ଟେଷ୍ଟ କ୍ରିକେଟରେ ପ୍ରଥମ ଥର ପାଇଁ 'ବ୍ୟାଗି ବ୍ଲୁ' ଜର୍ସି ପିନ୍ଧିବାର ୧୪ ବର୍ଷ ବିତିଗଲାଣି । ସତ କହିବାକୁ ଗଲେ, ଏହି ଫର୍ମାଟ୍ ମୋତେ କେତେ ଦୂର ନେଇଯିବ ତାହା ମୁଁ କେବେ କଳ୍ପନା କରି ନଥିଲି । ଟେଷ୍ଟ କ୍ରିକେଟ ମୋର ଅନେକ ପରୀକ୍ଷା କରିଥିଲା, ମୋତେ ତିଆରି କରିଥିଲା ଏବଂ ମୋତେ ଏପରି ଶିକ୍ଷା ଦେଇଥିଲା ଯାହାକୁ ମୁଁ ଜୀବନସାରା ମୋ ସହିତ ରଖି ଆଗକୁ ବଢ଼ିବି । ଧଳା ପୋଷାକ ପିନ୍ଧି ଖେଳିବାର ଅନୁଭବ ଅତ୍ୟନ୍ତ ବ୍ୟକ୍ତିଗତ । କଠିନ ପରିଶ୍ରମ, ଲମ୍ବା ଦିନ, ଛୋଟ ମୁହୂର୍ତ୍ତ ଯାହା କେହି ଦେଖନ୍ତି ନାହିଁ କିନ୍ତୁ ସବୁଦିନ ପାଇଁ ଆପଣଙ୍କ ସହିତ ରହିଥାଏ । ଏହି ଫର୍ମାଟରୁ ଦୂରେଇ ଯିବା ମୋ ପାଇଁ ସହଜ ନୁହେଁ । କିନ୍ତୁ ଏବେ ପାଇଁ ଏହା କରିବା ହିଁ ଠିକ୍ । ମୁଁ ଏହାକୁ ମୋର ସର୍ବସ୍ୱ ଦେଇଛି ଏବଂ ଏହା ମୋତେ ଆଶାଠାରୁ ଅଧିକ ଦେଇଛି । ମୁଁ ଖେଳ ପାଇଁ, ପଡ଼ିଆରେ ମୋ ସହ ଖେଳୁଥିବା ବ୍ୟକ୍ତିତ୍ବଙ୍କ ପାଇଁ ଏବଂ ଏହି ଯାତ୍ରାରେ ମୋ ସହ ଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇ ବିଦାୟ ନେଉଛି । ମୁଁ ସର୍ବଦା ମୋ ଟେଷ୍ଟ କ୍ୟାରିୟରକୁ ଖୁସି ହୋଇ ଦେଖିବି ।
ଏମିତି ପୋଷ୍ଟ ହୁଏତ କୋଟି କୋଟି ଫ୍ୟାନ୍ସଙ୍କୁ ଦୁଃଖ ଦେଇଥାଇପାରେ । କିନ୍ତୁ କୋହଲିଙ୍କ ନିଷ୍ପତ୍ତିକୁ ପ୍ରତିଟି ଫ୍ୟାନ୍ ସମ୍ମାନ ଜଣାଇଛନ୍ତି । କିଙ୍ଗ କୋହଲିକୁ ବି ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । କୋହଲି ଟେଷ୍ଟ କ୍ୟାରିୟରରେ ହାସଲ କରିଥିବା ରେକର୍ଡକୁ କ୍ରିକେଟ ଇତିହାସରେ ସର୍ବଦା ସ୍ୱର୍ଣ୍ଣିମ ଅକ୍ଷରରେ ଲେଖାଯିବ ।
କୋହଲି ଟେଷ୍ଟରେ ୧୨୩ ମ୍ୟାଚ୍ ଖେଳିଛନ୍ତି । ୨୧୦ ଇନିଂସରେ ୯୨୩୦ ରନ ହାସଲ କରିଛନ୍ତି । ଟେଷ୍ଟରେ ତାଙ୍କ ସର୍ବାଧିକ ସ୍କୋର ୨୫୪ ଥିବା ବେଳେ ହାରାହାରି ସ୍କୋର ୪୬.୮୫ ରହିଥିଲା । ଟେଷ୍ଟରେ ୫୫.୫୭ ଷ୍ଟ୍ରାଇକ୍ ରେଟ୍ରେ ୩୦ଟି ଶତକ ଓ ୩୧ଟି ଅର୍ଦ୍ଧଶତକ ହାସଲ କରିଛନ୍ତି କିଙ୍ଗ କୋହଲି ।
ତେବେ ଏହି ରେକର୍ଡରେ ଲାଗିଯାଇଛି ବ୍ରେକ୍ । ଧଳା ଜର୍ସିରେ ଚାଲିବନି କିଙ୍ଗ କୋହଲିଙ୍କ ଜଲୱା ।