କ୍ରିକେଟପ୍ରେମୀଙ୍କ ପାଇଁ ଗୁଡ୍ ନ୍ୟୁଜ୍ । ଖୁବଶୀଘ୍ର ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଭାରତ-ପାକିସ୍ତାନ । ଖୁସିର କଥା ହେଉଛି ଚାମ୍ପିୟନ୍ସ ଟ୍ରଫି ପରେ ଏହି ବର୍ଷ ପୁଣି ଥରେ ସେପ୍ଟେମ୍ୱରରେ ଲଗାତାର ୩ ଥର ଭେଟ ହୋଇପାରନ୍ତି ଉଭୟ ଦଳ । ଆଉ ଏକ ଖୁସିର କଥା ହେଉଛି ଏଥର ଏସିଆ କପ୍ ଟି-ଟ୍ୱେଣ୍ଟି ଫର୍ମାଟରେ ଖେଳାଯାଇପାରେ । ଏସିଆନ୍ କ୍ରିକେଟ କାଉନସିଲ୍ ପକ୍ଷରୁ ଖୁବଶୀଘ୍ର ଏନେଇ ଘୋଷଣା ହୋଇପାରେ ।
ଭାରତ-ପାକ୍ ମୁକାବିଲା ପାଇଁ ସବୁ କ୍ରିକେଟ ଫ୍ୟାନ୍ସ ଚାତକ ଭଳି ଅନାଇ ରହିଥାନ୍ତି । ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନକୁ ମାତ ଦେବା ପରେ ପୁଣି ଥରେ ହରାଇବାର ସୁଯୋଗ ମିଳିଛି । ଏସିଆ କପ୍ ୨୦୨୫ ରେ ସାମ୍ନାସାମ୍ନି ହେବେ ଭାରତ-ପାକିସ୍ତାନ । ଗୋଟିଏ ଟୁର୍ଣ୍ଣାମେଣ୍ଟରେ ୩ଥର ଭେଟ ହୋଇପାରନ୍ତି ଉଭୟ ଟିମ୍ । ଏଥର ଶ୍ରୀଲଙ୍କା ଏବଂ ୟୁଏଇ ମିଳିତ ଭାବେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି । ତା ସହ ଟୁର୍ଣ୍ଣାମେଣ୍ଟଟି ଟି-ଟ୍ୱେଣ୍ଟି ଫର୍ମାଟରେ ଖେଳାଯିବ ବୋଲି ମଧ୍ୟ କୁହାଯାଉଛି ।
ଭାରତ-ପାକିସ୍ତାନ ସମେତ ବାଂଲାଦେଶ, ଆଫଗାନିସ୍ତାନ, ଶ୍ରୀଲଙ୍କା, ୟୁଏଇ, ଓମାନ, ହଙ୍କକଙ୍ଗ୍ ଆଦି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ । ତେବେ ୨ଟି ଗ୍ରୁପ୍ରେ ୪ଟି ଲେଖାଏଁ ଦଳ ରହିବେ । ଭାରତ ଓ ପାକିସ୍ତାନ ସମାନ ଗ୍ରୁପ୍ରେ ରହିବେ । ଗ୍ରୁପ୍ ଷ୍ଟେଜ୍ରେ ହି ସାମ୍ନାସାମ୍ନି ହେବେ ଉଭୟ ଦଳ । ଯଦି ଉଭୟ ଟିମ୍ ସୁପର୍-୪ ରାଉଣ୍ତକୁ ଯାଉଛନ୍ତି, ତେବେ ପୁଣି ଥରେ ସାମ୍ନାସାମ୍ନି ହେବେ । ଏହାଛଡ଼ା ଯଦି ଉଭୟ ଫାଇନାଲରେ ପହଞ୍ଚିଛନ୍ତି, ତା ହେଲେ ଗୋଟିଏ ଟୁର୍ଣ୍ଣାମେଣ୍ଟରେ ୩ଥର ମୁହାଁମୁହିଁ ହେବେ ।
ଆଇସିସି ଟୁର୍ଣ୍ଣାମେଣ୍ଟ ହେଉ କି ଏସିଆ କପ୍ ସବୁଥିରେ ପାକିସ୍ତାନ ଉପରେ ଭାରତର ଦବଦବା ରହିଛି । ନିକଟରେ ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନକୁ ହରାଇଛି ଭାରତ । ଆୟୋଜକ ଥିବା ସତ୍ତ୍ୱେ ପାକିସ୍ତାନର ପ୍ରଦର୍ଶନ ବେଶ୍ ନୈରାଶଜନକ ଥିଲା । ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନରୁ ହିଁ ଟୁର୍ଣ୍ଣାମେଣ୍ଟରୁ ଆଉଟ୍ ହୋଇଗଲା ପାକିସ୍ତାନ । ପ୍ରଥମଥର ପାଇଁ କୌଣସି ଆୟୋଜକ ଦଳ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ମ୍ୟାଚ୍ ଜିତିପାରିଲା ନାହିଁ ।
ତେବେ ଆଗକୁ ପୁଣି ଏସିଆ କପ୍ରେ ଭେଟ ହେବେ ଉଭୟ ଦଳ । ଯଦି ଏସିଆ କପ୍ ଫାଇନାଲକୁ ଉଭୟ ଦଳ ଯାଆନ୍ତି, ତେବେ ଦର୍ଶକ ୩ଟି ରୋମାଞ୍ଚକ ମ୍ୟାଚ୍ ଦେଖିବାର ସୌଭାଗ୍ୟ ପାଇବେ ।