କନକ ବ୍ୟୁରୋ : ବଢୁଛି କ୍ରିକେଟର ୟଶ ଦୟାଲଙ୍କ ଅଡୁଆ । ଯୌନ ନିର୍ଯାତନା ମାମଲାରେ ହୋଇପାରେ ୧୦ ବର୍ଷ ଜେଲ ଦଣ୍ତ । ମିଳିନପାରେ ଜାମିନ । ଭାରତୀୟ ନ୍ୟାୟ ସଂହିତା ଧାରା ୬୯ ଅନୁଯାୟୀ ଥାନାରେ ମାମଲା ରୁଜୁ କରାଯାଇଛି । ପୀଡ଼ିତାଙ୍କ ବୟାନ ପରେ ଏବେ ୟଶ ଦୟାଲଙ୍କ ପାଇଁ ଅଡୁଆ ବଢିଯାଇଛି । ପୀଡ଼ିତାଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଆର୍ଥିକ, ମାନସିକ ଓ ଶାରିରୀକ ନିର୍ଯାତନା ଦେଇଥିବା ନେଇ ମାମଲା ରୁଜୁ ହୋଇଛି । ପୀଡ଼ିତାଙ୍କ ପାଖରେ ଏନେଇ ସମସ୍ତ ପ୍ରମାଣ ରହିଥିବା କୁହାଯାଉଛି । ଯାହାକୁ ନେଇ ପୁଲିସ ଛାନଭିନ୍‌ ଆରମ୍ଭ କରିଛି ।

Advertisment

ବିବାହର ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିଥିବା ନେଇ ଯୁବତୀ ଜଣକ ଥାନାରେ ଏତଲା ଦେଇଛନ୍ତି । ପୀଡ଼ିତା ଲଗାଇଥିବା ଆରୋପ ଅନୁଯାୟୀ ହ୍ୱାଟ୍ସଆପ୍‌ ଚାଟ୍‌, ସ୍କ୍ରିନସଟ୍‌, ଭିଡିଓ କଲ୍‌ ଓ ଫଟୋ ଆଦି ପ୍ରମାଣ ସ୍ୱରୁପ ପୁଲିସ ନିକଟରେ ଦାଖଲ କରିଛନ୍ତି । ଆଗାମୀ ଦିନରେ ପୀଡ଼ିତାଙ୍କ ମେଡିକାଲ ଯାଞ୍ଚ କରାଯିବ । ଯଦି ୟଶଙ୍କ ଉପରେ ଲାଗିଥିବା ସମସ୍ତ ଆରୋପ ସତ ପ୍ରମାଣିତ ହୁଏ, ତେବେ ୟଶ ଦୟାଲଙ୍କୁ ୧୦ ବର୍ଷ ପାଇଁ ଜେଲ ଦଣ୍ତ ମିଳିପାରେ । ଅଭିଯୋଗ ଅନୁଯାୟୀ ଲାଗିଥିବା ଧାରାରେ ତାଙ୍କୁ ଜାମିନ ବି ମିଳିନପାରେ ।

ଯୁବତୀ ଜଣକ ଅଭିଯୋଗ କରିଛନ୍ତି ଯେ, ୟଶ ଦୟାଲ ତାଙ୍କ ବ୍ୟତୀତ ଆହୁରି ଅନେକ ଯୁବତୀଙ୍କ ସହ ସଂପର୍କରେ ଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସଂପର୍କ ରଖି ଆସିଥିଲେ । ଏମିତି ୫ ବର୍ଷ ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ । ୟଶଙ୍କ ବିରୁଦ୍ଧରେ ଯଥେଷ୍ଟ ଡିଜିଟାଲ ପ୍ରମାଣ ଅଛି, ଯେଉଁଥିରେ ଚାଟ, ସ୍କ୍ରିନସଟ ଏବଂ ଭିଡିଓ କଲର ରେକର୍ଡିଂ ଅନ୍ତର୍ଭୁକ୍ତ । ପ୍ରମାଣଗୁଡ଼ିକ ତାଙ୍କର ଅଭିଯୋଗକୁ ସମ୍ପୂର୍ଣ୍ଣ ସତ ପ୍ରମାଣିତ କରିପାରିବ ଏବଂ ତଦନ୍ତରେ ନିଣ୍ଣାୟକ ଭୂମିକା ଗ୍ରହଣ କରିପାରିବ ।

ସୂଚନା ମୁତାବକ ଯୁବତୀ ଜଣକ ଜୁନ ୧୪ରେ ମହିଳା ହେଲ୍ପଲାଇନ ନମ୍ବର ୧୮୧ କୁ ଫୋନ କରିଥିଲେ, କିନ୍ତୁ ସ୍ଥାନୀୟ ପୋଲିସ ଷ୍ଟେସନରେ ତାଙ୍କ ମାମଲା ଆଗକୁ ବଢ଼ିପାରିନଥିଲା । ଏହି ସମ୍ପୂର୍ଣ୍ଣ ମାମଲାରେ, ଭାରତୀୟ ନ୍ୟାୟ ସଂହିତାର ଧାରା ୬୯ ଅନୁଯାୟୀ ୟଶ ଦୟାଲଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଛି । ଏହି ଧାରା ମିଥ୍ୟା ପ୍ରତିଶ୍ରୁତି ଉପରେ ଆଧାରିତ ଯୌନ ଶୋଷଣ ଏବଂ ଠକେଇକୁ ଅପରାଧ ବର୍ଗରେ ରଖେ । ଯଦି ଅଭିଯୋଗ ପ୍ରମାଣିତ ହୁଏ, ତେବେ ୧୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡର ବ୍ୟବସ୍ଥା ଅଛି ।