କନକ ବ୍ୟୁରୋ: କ୍ରିକେଟ୍ ଇତିହାସରେ ୧୨ଟା ବଲ୍ ୧୨ଟା ଯାକ ୟର୍କର୍ ପକାଇବା ହୁଏତ ଆପଣ ପୂର୍ବରୁ କମ୍ ଦେଖିଥିବେ ଅବା ଶୁଣିଥିବେ । ହେଲେ ଆଇପିଏଲରେ ଏମିତି କିଛି ଘଟିଛି ଯାହା କ୍ରିକେଟ ପ୍ରେମୀଙ୍କୁ ତାଜୁବ୍ କରିଦେଇଛି । ଏଭଳି ଆଶ୍ଚର୍ଯ୍ୟକର ବୋଲିଂ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି ବିଶ୍ବ ଚାମ୍ପିୟନ ବାମହାତି ବୋଲର ମିଚେଲ୍ ଷ୍ଟାର୍କ ।
୨୦୧୫ ଦିନିକିଆ ବିଶ୍ବକପ୍, ୨୦୨୧ ଟି-୨୦ ବିଶ୍ବକପ୍, ୨୦୨୩ ଦିନିକିଆ ବିଶ୍ବକପ୍ ଏବଂ ୨୦୨୩ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍; ଅଷ୍ଟ୍ରେଲିଆକୁ ୪ ଥର ବିଶ୍ବ ଚାମ୍ପିୟନ କରାଇଥିବା ଦ୍ରୁତତମ ବୋଲର ମିଚେଲ୍ ଷ୍ଟାର୍କ ବୁଧବାର ରାଜସ୍ଥାନ ବିପକ୍ଷରେ ଦମଦାର ବୋଲିଂ କରିଛନ୍ତି । ଏପରିକି ଲଗାତାର ଦୁଇ ଓଭର ମାନେ ୧୨ଟା ବଲ୍ ୟର୍କର ଫିଙ୍ଗି ରାଜସ୍ଥାନ ରୟାଲ୍ସ ଜିତିବାକୁ ଥିବା ମ୍ୟାଚ୍ ହାତମୁଠାରୁ ଛଡ଼ାଇ ଆଣିଥିଲେ ଷ୍ଟାର୍କ । ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ଆଇପିଏଲର ପ୍ରଥମ ଦଳ ଭାବେ ୧୦ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖିଛି ।
ବୁଧବାର ଅରୁଣ ଜେଟଲୀ ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ । ଦିଲ୍ଲୀର ହୋମ୍ ଗ୍ରାଉଣ୍ଡରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ, ଫଳରେ ୨୦ ଓଭରରେ ଦିଲ୍ଲୀ ୧୮୮ ରନ୍ କରିବାକୁ ସକ୍ଷମ ହୋଇଥିଲା । ୧୮୯ ରନର ବିଜୟ ଲକ୍ଷ୍ୟ ପିଛା କରି ରାଜସ୍ଥାନକୁ ୧୮୮ ରନରେ ରୋକି ମ୍ୟାଚକୁ ଟାଇ କରିଦେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଦିଲ୍ଲୀ ତରଫରୁ ୨୦ତମ ଓଭର ବୋଲିଂ କରିଥିଲେ ମିଚେଲ୍ ଷ୍ଟାର୍କ ଆଉ ରାଜସ୍ଥାନକୁ ବିଜୟ ପାଇଁ ୯ ରନ୍ ଆବଶ୍ୟକ ଥିବାବେଳେ ଏଥିରେ ବ୍ରେକ୍ ଲଗାଇଥିଲେ ଷ୍ଟାର୍କ । ଯାହାଫଳରେ ମ୍ୟାଚଟି ସୁପର ଓଭର ପର୍ଯ୍ୟନ୍ତ ଯାଇଥିଲା । ପୁଣି ଦିଲ୍ଲୀ ପକ୍ଷରୁ ସୁପର ଓଭର ନେଇ ବୋଲିଂ କରିବାକୁ ଓହ୍ଲାଇଥିଲେ ଭରସାଯୋଗ୍ୟ ବୋଲର ମିଚେଲ୍ ଷ୍ଟାର୍କ, ୨୦ତମ ଓଭର ପରି ସୁପର ଓଭରର ୬ଟି ବଲ୍ ମଧ୍ୟ ୟର୍କର୍ ପକାଇଥିଲେ ସେ । ଆଉ ପ୍ରତିପକ୍ଷ ଦଳ ରାଜସ୍ଥାନ ୬ ବଲରେ ମାତ୍ର ୧୧ ରନ୍ କରିବାକୁ ସକ୍ଷମ ହୋଇଥିଲା । ଅପରପକ୍ଷେ ୧୨ ରନ୍ ବିଜୟ ଲକ୍ଷ୍ୟ ନେଇ ଦିଲ୍ଲୀ କ୍ୟାପିଟାଲ୍ସ ନିଜ ହୋମ୍ ଗ୍ରାଉଣ୍ଡରେ ମ୍ୟାଚ୍ ଜିତିନେଇଥିଲା । ଆଉ ଏହି ମ୍ୟାଚର ହିରୋ ବା ପ୍ଲେୟାର ଅଫ୍ ଦ ମ୍ୟାଚ୍ ହୋଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଦାମୀ ବୋଲର ମିଚେଲ୍ ଷ୍ଟାର୍କ ।
https://www.facebook.com/share/v/15pN3AjhMp/
ପୂର୍ବଥର ନାଇଟ୍ ରାଇଡର୍ସ ତରଫରୁ ଖେଳିଥିବା ମିଚେଲ୍ ଷ୍ଟାର୍କଙ୍କୁ ଚଳିତ ସିଜନ ଆଇପିଏଲ ନିଲାମୀରେ ରିଲିଜ୍ କରିଦେଇଥିଲା କେକେଆର । ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ୧୧ କୋଟି ୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଷ୍ଟାର୍କଙ୍କୁ ନିଜ ଦଳରେ ସାମିଲ କରିଥିଲା । ଆଉ ରାଜସ୍ଥାନ ବିପକ୍ଷରେ ଦିଲ୍ଲୀକୁ ବିଜୟ ଦେଇଥିବା ଏହି ଖେଳାଳିଙ୍କ ୧୨ଟି ଯାକ ୟର୍କର୍ ବଲର ମୂଲ୍ୟ ୧୨ କୋଟି ସହ ସମାନ ବୋଲି କହି ପ୍ରଶଂସା କରୁଛନ୍ତି କ୍ରିକେଟ୍ ପ୍ରେମୀ ।