ଭାରତର ବର୍ମିଂହାମ ବିଜୟରେ ନୂଆ ଦ୍ରୁତ ବୋଲର୍ ଯୋଡ଼ି ମହମ୍ମଦ ସିରାଜ ଓ ଆକାଶ ଦୀପ ନିର୍ଣ୍ଣାୟକ ଭୂମିକା ନେଇଛନ୍ତି । ସିରାଜଙ୍କ ୬ ୱିକେଟ୍ ସଫଳତା ବଳରେ ପ୍ରଥମ ପାଳିରେ ଇଂଲଣ୍ଡକୁ ଭାରତକୁ ୪୦୭ ରନ୍ରେ ଅଲ୍ଆଉଟ୍ କରି ଦେଇଥିଲା । ଦ୍ବିତୀୟ ପାଳିରେ ଆକାଶ ଦୀପଙ୍କ ୬ ୱିକେଟ୍ ସଫଳତା ବଳରେ ଏଠାରେ ପ୍ରଥମ ଥର ବିଜୟୀ ହୋଇଥିଲା । ପ୍ରଥମ ପାଳିରେ ୪ ୱିକେଟ୍ ନେଇଥିବା ଆକାଶ ଦୀପ ୧୮୭ ରନ୍ ଦେଇ ୧୦ ୱିକେଟ୍ ନେଇଥିଲେ । ଯାହା ତାଙ୍କ ଟେଷ୍ଟ୍ ଜୀବନର ଶ୍ରେଷ୍ଠ ବୋଲିଂ ଚିତ୍ର ଥିଲା । ସିରାଜ ମଧ୍ୟ ନିଜ ଖେଳ ଜୀବନର ଚତୁର୍ଥ ପାଞ୍ଚ ୱିକେଟ୍ ସଫଳତା ପାଇଥିଲେ । ଉଭୟ ମିଶି ୭୨.୪ ଓଭର ବୋଲିଂ କରି ୩୧୪ ବିନିମୟରେ ଇଂଲଣ୍ଡର ୨୦ରୁ ୧୭ ୱିକେଟ୍ କରାୟତ୍ତ କରିଥିଲେ ।
ପ୍ରଥମ ପାଳିରେ ଇଂଲଣ୍ଡର ସମସ୍ତ ୧୦ ୱିକେଟ୍ ଏହି ଦୁଇଜଣ ଅକ୍ତିଆର କରିଥିଲେ । ବୁମ୍ରାଙ୍କ ଅନୁପସ୍ଥିତିରେ ଏହି ଦୁଇ ଜଣ ହିଁ ଭାରତୀୟ ବୋଲିଂର ମଙ୍ଗ ସମ୍ଭାଳିଥିଲେ । ଏଣୁ ଲର୍ଡସରେ ଗୁରୁବାରଠାରୁ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ୍ରେ ଉଭୟଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ ବୋଲି ଆଶା କରାଯାଇଛି । ଏହି ମ୍ୟାଚ୍ରେ ବୁମ୍ରା ଫେରିବେ ବୋଲି ଅଧିନାୟକ ଶୁବମନ ଗିଲ୍ ସୂଚନା ଦେଇଛନ୍ତି । ସେଥିପାଇଁ ସିରାଜ-ଆକାଶ ଦୀପ ଓ ବୁମ୍ରା ଇଂଲଣ୍ଡକୁ ପୁଣି ଥରେ ପରୀକ୍ଷାରେ ପକାଇବେ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି ।
ସିରାଜଙ୍କ କ୍ୟାଚ୍ ସବୁଠୁ ସ୍ମରଣୀୟ: ଗିଲ୍
ବର୍ମିଂହାମ ଟେଷ୍ଟ୍ ଜିତି ଭାରତୀୟ ଖେଳାଳିମାନେ ଐତିହାସିକ ସଫଳତା ହାସଲ କରିଛନ୍ତି । ୫୮ବର୍ଷର ପରାଜୟ ଧାରା ଭାଙ୍ଗି ପ୍ରଥମ ଥର ପାଇଁ ଏହି ଷ୍ଟାଡିୟମ୍ରେ ବିଜୟର ବାନା ଉଡ଼ାଇବା ପରେ ସାରା ଜୀବନ ପାଇଁ ଅଭୁଲା ମୁହୂର୍ତ୍ତ ସାଉଣ୍ଟିଛନ୍ତି । ଅଧିନାୟକତ୍ବର ପ୍ରଥମ ବିଜୟ ପୁଣି ଏଥିରେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇବା ଅଧିନାୟକ ଶୁବମନ୍ ଗିଲ୍ଙ୍କ ପାଇଁ ସ୍ବତନ୍ତ୍ର ଅନୁଭୂତି ପାଲଟିଛି । ବ୍ୟକ୍ତିଗତ ଭାବେ ପ୍ରଥମ ପାଳିରେ ଦ୍ବିଶତକ ଏବଂ ଦ୍ବିତୀୟ ପାଳିରେ ଶତକ ସହ ମୋଟ ୪୩୦ ରନ୍ କରିଛନ୍ତି ଗିଲ୍ । ସେହିଭଳି ଯୁବ ବୋଲର ଆକାଶ ଦୀପ ୧୦ ୱିକେଟ୍ ସଫଳତା ହାସଲ କରି ଭାରତ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ତେବେ ଏସବୁ ନୁହେଁ ବରଂ ଶେଷ ଦିନରେ ରବୀନ୍ଦ୍ର ଜାଡ଼େଜାଙ୍କ ବୋଲିଂରେ ମହମ୍ମଦ ସିରାଜ ବ୍ରାଏଡନ୍ କାର୍ସଙ୍କର ଗୋଟିଏ ହାତରେ ନେଇଥିବା କ୍ୟାଚ୍ ତାଙ୍କ ପାଇଁ ବର୍ମିଂହାମ ଟେଷ୍ଟ୍ର ସବୁଠୁ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିବ ବୋଲି କହିଛନ୍ତି ଗିଲ୍ ।
ଏକ ସାକ୍ଷାତକାର ବେଳେ ୨୫ବର୍ଷୀୟ ଗିଲ୍ ନିଜ ମନର ଭାବନାକୁ ପରିପ୍ରକାଶ କରି କହିଛନ୍ତି, ଆଜି ଆମେ ଯେଉଁ ସ୍ଥିତିରେ ଅଛୁ, ସେଥିଲାଗି ଗତ ୬ରୁ ୮ ମାସ ହେବ କଠିନ ପରିଶ୍ରମ କରିଛୁ । ଦଳର ବିଜୟରେ ସବୁ ଖେଳାଳି ନିଜ ନିଜର ଯୋଗଦାନ ରଖିବା ଅଧିକ ଆନନ୍ଦଦାୟକ । ମ୍ୟାଚ୍ର ଶେଷ କ୍ୟାଚ୍ ନେବା ମୋ ଭାଗ୍ୟରେ ଥିଲା । ଏହି ବିଜୟ ନିଶ୍ଚିତ ଭାବେ ମୋ କ୍ରିକେଟ୍ ଯାତ୍ରାର ଅନ୍ୟତମ ମାଇଲ୍ଖୁଣ୍ଟ ହୋଇ ରହିବ । ଏହା ଏଭଳି ଏକ ସଫଳତା, ଯାହାକୁ ନେଇ ସାରା ଜୀବନ ମୁଁ ଉଲ୍ଲସିତ ହେବି । ଯେତେବେଳେ ଅବସର ନେବି, ଏହା ସମ୍ଭବତଃ ମୋ ଖେଳ ଜୀବନର ଅନ୍ୟତମ ସୁଖଦ ମୁହୂର୍ତ୍ତ ଭାବେ ମନେ ପକାଇବି । ମୋ ଯୁଗଳ ଶତକ ଏବଂ ଆକାଶ ଦୀପଙ୍କ ୧୦ ୱିକେଟ୍ ସବୁବେଳେ ମନେ ରହିବ । ମୋ ପାଇଁ କିନ୍ତୁ ଏହି ମ୍ୟାଚ୍ର ସବୁଠାରୁ ସ୍ମରଣୀୟ ମୁହୁର୍ତ୍ତ ସିରାଜଙ୍କ ସେହି ଅସାଧାରଣ କ୍ୟାଚ୍ ହୋଇ ରହିବ । ସମସ୍ତଙ୍କ ପାଇଁ ମୁଁ ବହୁତ ଗର୍ବିତ । ସୂଚନାଯୋଗ୍ୟ ଯେ ଇଂଲଣ୍ଡ ଦ୍ବିତୀୟ ପାଳିର ୬୩.୫ ଓଭରରେ ଜାଡ଼େଜାଙ୍କ ଫୁଲ୍ ଲେନ୍ଥ ବଲ୍କୁ ବ୍ରାଏଡନ୍ କାର୍ସ ମିଡ୍ୱିକେଟ୍କୁ ଖେଳି ସିଙ୍ଗଲ ଚୋରାଇବା ଲକ୍ଷ୍ୟରେ ଥିଲେ । ବଲ୍ କିଛି ସମୟ ଉପରେ ରହିଥିଲା । ଏହି ସୁଯୋଗରେ ସିରାଜ ନିଜ ପୂରା ଶରୀରକୁ ଲମ୍ବାଇ ଡାହାଣ ପଟକୁ ଡାଇଭ୍ ମାରି ଏହାକୁ ଗୋଟିଏ ହାତରେ କ୍ୟାଚ୍ କରି ନେଇଥିଲେ । ଯାହା ଏହି ମ୍ୟାଚ୍ର ଅନ୍ୟତମ ଶ୍ରେଷ୍ଠ କ୍ୟାଚ୍ ଥିଲା ।
ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍: ପଏଣ୍ଟ୍ ଖାତା ଖୋଲିଲା ଭାରତ
ଚଳିତ ଇଂଲଣ୍ଡ ବିପକ୍ଷ ପାଞ୍ଚଟିକିଆ ଶୃଙ୍ଖଳାରୁ ୨୦୨୫-୨୭ ଚକ୍ର ଲାଗି ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଅଭିଯାନ ଆରମ୍ଭ କରିଛି ଭାରତ । ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡଠାରୁ ହାରିଥିବା ଭାରତ କିନ୍ତୁ ଦ୍ବିତୀୟ ଟେଷ୍ଟ୍ରୁ ପଏଣ୍ଟ୍ ଖାତା ଖୋଲିଛି । ଏଜବାଷ୍ଟନ୍ ଟେଷ୍ଟ୍କୁ ୩୩୬ ରନ୍ର ବଡ଼ ବ୍ୟବଧାନରେ ଜିତିବା ପରେ ଭାରତ ୧୨ ପଏଣ୍ଟ୍ ସହ ୫୦ ପର୍ସେଣ୍ଟେଜ୍ ଅଫ୍ ପଏଣ୍ଟ୍ ବା ପିସିଟି ହାସଲ କରିଛି । ସଂପ୍ରତି ଟିମ୍ ଇଣ୍ଡିଆ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ତାଲିକାରେ ଇଂଲଣ୍ଡ ସହ ଯୁଗ୍ମ ତୃତୀୟ ସ୍ଥାନରେ ରହିଛି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ଟିକିଆ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍ ଜିତିବା ପରେ ଅଷ୍ଟ୍ରେଲିଆ ୨୪ ପଏଣ୍ଟ୍ ଏବଂ ୧୦୦ ସିପିଟି ପାଇ ପ୍ରଥମ ସ୍ଥାନରେ ରହିଛି । ଶ୍ରୀଲଙ୍କା (୧୬ ପଏଣ୍ଟ, ୬୬.୭୭ ପିସିଟି) ଦ୍ବିତୀୟରେ ଥିଲା ବେଳେ ଭାରତ ଓ ଇଂଲଣ୍ଡ ପରବର୍ତ୍ତୀ ସ୍ଥାନ ଅଳଙ୍କୃତ କରିଛନ୍ତି । ବାଂଲାଦେଶ (୪ ପଏଣ୍ଟ୍, ୧୬.୬୭ ପିସିଟି) ପଞ୍ଚମ ସ୍ଥାନରେ ଅଛି । ୱେଷ୍ଟଇଣ୍ଡିଜ୍ ଖାତା ଖୋଲି ନଥିଲା ବେଳେ ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ଅଭିଯାନ ଆରମ୍ଭ କରି ନାହାନ୍ତି ।