Shikhar Dhawan Photograph: (Internet)
କନକ ବ୍ୟୁରୋ : ପୂର୍ବତନ ପତ୍ନୀ ଆୟୋଶା ମୁଖାର୍ଜୀଙ୍କ ବିରୋଧରେ ଏକ ବଡ଼ ଆଇନଗତ ଲଢ଼େଇ ଜିିତିଛନ୍ତି କ୍ରିକେଟର୍ ଶିଖର ଧାୱନ । ଧାୱନଙ୍କୁ ଭିନ୍ନଭିନ୍ନ ସମୟରେ ଧମକ ଚମକ ଦେଇ ଆୟେଶା ନେଇ ଯାଇଥିବା ୫.୭ କୋଟି ଟଙ୍କା ତୁରନ୍ତ ଫେରସ୍ତ କରିବାକୁ ଦିଲ୍ଲୀର ଏକ ପରିବାର ଅଦାଲତ ବୁଧବାର ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଉଭୟଙ୍କ ମଧ୍ୟରେ ହୋଇଥିବା ସମ୍ପତ୍ତି ବୁଝାମଣାକୁ ଅବୈଧ ଓ ବେଆଇନ ଘୋଷଣା କରିଛନ୍ତି ମାନ୍ୟବର ଅଦାଲତ । ଧାୱନଙ୍କ ଉପରେ ଚାପ ପକାଇ ଆୟେଶା ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିବାକୁ ବାଧ୍ୟ କରିଥିଲେ ବୋଲି ଅଦାଲତ କହିଛନ୍ତି ।
ଅଧିକ ପଢ଼ନ୍ତୁ : ସୋଫି-ଧାୱନଙ୍କ ସଙ୍ଗୀତ ଉତ୍ସବ, ଧୁମ୍ଧାମ୍ରେ ଚାଲିଛି ପ୍ରସ୍ତୁତି
ସ୍ଥାନୀୟ ପଟିଆଲା ହାଉସ୍ କୋର୍ଟର ମାନ୍ୟବର ବିଚାରପତି ଦେବେନ୍ଦର କୁମାର ତାଙ୍କ ରାୟରେ ଶୁଣାଇଛନ୍ତି ଯେ ଧାୱନ ତଞ୍ଚକତାର ଶିକାର ହୋଇଛନ୍ତି । ଆୟେଶା ଭିନ୍ନଭିନ୍ନ ସମୟରେ ତାଙ୍କୁ ଧମକ ଚମକ ଦେଇ ସମ୍ପତ୍ତି ବଣ୍ଟନ ପତ୍ରରେ ସ୍ବାକ୍ଷର କରିବାକୁ ବାଧ୍ୟ କରିଛନ୍ତି । ଧାୱନଙ୍କଠାରୁ ନେଇଥିବା ୫.୭ କୋଟି ଟଙ୍କାକୁ ବାର୍ଷିକ ୯ ପ୍ରତିଶତ ସୁଧ ସହ ଫେରାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀ କୁମାର ।
ସେହିଭଳି ଉଭୟଙ୍କ ଛାଡ଼ପତ୍ର ବୁଝାମଣା ନେଇ ଅଷ୍ଟ୍ରେଲୀୟ କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ବେଆଇନ ଘୋଷଣା କରିଛନ୍ତି । ଧାୱନ ଓ ଆୟେଶାଙ୍କ ବିବାହର ପଞ୍ଜୀକରଣ ଭାରତରେ ହୋଇଥିବାରୁ ଅଷ୍ଟ୍ରେଲୀୟ କୋର୍ଟଙ୍କର ଏହି ମାମଲାରେ ଆଇନଗତ ନିର୍ଦ୍ଦେଶ ଦେବା ଲାଗି କୌଣସି ଅଧିକାର ନାହିଁ ବୋଲି ରାୟରେ ଉଲ୍ଲେଖ କରିଛନ୍ତି ଜଷ୍ଟିସ୍ କୁମାର।
Follow Us