କନକ ବ୍ୟୁରୋ: ଭାରତୀୟ କ୍ରିକେଟ୍ ଫ୍ୟାନ୍ସଙ୍କୁ ଲାଗିପାରେ ବଡ଼ ଝଟକା । ରୋହିତ-ବିରାଟଙ୍କ ଅବସର ପରେ ଏବେ ଗମ୍ଭୀର ଓ ଅଗରକରଙ୍କ ଟାର୍ଗେଟରେ ଟିମ୍ ଇଣ୍ଡିଆର ଅଭିଜ୍ଞ ଫାଷ୍ଟ୍ ବୋଲର୍ ମହମ୍ମଦ ସାମି । ଏପରିକି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ସାମିଙ୍କୁ ସିଲେକ୍ସନ୍ ନକରିପାରେ ବିସିସିଆଇ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।
ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଅବସର ପରେ, ଇଂଲଣ୍ଡ ଗସ୍ତ ପାଇଁ ମହମ୍ମଦ ସାମିଙ୍କୁ ଚୟନ କରିବା ନେଇ ସମ୍ଭାବନା କମ୍ ମନେ ହେଉଛି । ଏହାର କାରଣ ତାଙ୍କର ଫିଟନେସ୍ ଏବଂ ଟେଷ୍ଟ ମ୍ୟାଚ୍ ମଧ୍ୟରେ ଲମ୍ବା ବ୍ୟବଧାନ ବୋଲି ଚର୍ଚ୍ଚା ହେଉଛି । ତେଣୁ ଇଂଲଣ୍ଡ ଗସ୍ତରେ ଯାଉଥିବା ଭାରତୀୟ ଟେଷ୍ଟ ଦଳରେ ମହମ୍ମଦ ସାମିଙ୍କ ନାଁ ଦେଖିବାକୁ ନପାଇପାରନ୍ତି କ୍ରିକେଟ୍ ପ୍ରଶଂସକମାନେ । ଚଳିତ ମାସରେ ଭାରତୀୟ ଦଳକୁ ଇଂଲଣ୍ଡ ଗସ୍ତ କରିବାକୁ ପଡିବ । ଏହି ଗସ୍ତରେ ଭାରତ ଏବଂ ଇଂଲଣ୍ଡ ଉଭୟ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବେ । ଏଥିପାଇଁ, ଭାରତୀୟ ଟେଷ୍ଟ ଦଳର ଚୟନ ତାଲିକା ଆଜି ଆସିପାରେ ।
ଇଂଲଣ୍ଡ ଗସ୍ତରେ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ବାଦ୍ ଦେଇପାରେ ବିସିସିଆଇ । ୨୦୨୩ ବିଶ୍ୱକପ୍ ପରେ ସାମିଙ୍କର ଅସ୍ତ୍ରୋପଚାର ହୋଇଥିଲା । ଏହାପରେ, ସେ ୨୦୨୫ରେ ଟିମ୍ ଇଣ୍ଡିଆକୁ ଫେରିଥିଲେ କିନ୍ତୁ ଫର୍ମରେ ନଥିବା ଦେଖିବାକୁ ପାଇଥିଲେ ଫ୍ୟାନ୍ସ । ଠିକ୍ ସେହିଭଳି ଆଇପିଏଲ ୨୦୨୫ରେ ମଧ୍ୟ କେତେବେଳେ ସନରାଇଜର୍ସ ହାଇଦ୍ରାବାଦର ପ୍ଲେଇଂ ଇଲେଭେନରେ ତ କେତେବେଳେ ବାହାରେ ବସିଥିଲେ ସାମି ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବ, ଏବେ ମହମ୍ମଦ ସାମିଙ୍କ ଫିଟନେସକୁ ନେଇ ଦ୍ବନ୍ଦ୍ବରେ ଅଛି ବିସିସିଆଇ । ବିସିସିଆଇ ଡାକ୍ତରୀ ଦଳ ରିପୋର୍ଟ ଦେଇଛି ଯେ’ ସାମି ଲମ୍ବା ସ୍ପେଲ ବୋଲିଂ କରିପାରିବେ ନାହିଁ । ସେଥିପାଇଁ ଇଂଲଣ୍ଡ ଗସ୍ତରେ ତାଙ୍କର ୫ଟି ମ୍ୟାଚ୍ ଖେଳିବାର ସମ୍ଭାବନା ମଧ୍ୟ ବହୁତ କମ୍ । ଏସବୁ କାରଣରୁ, ସାମିଙ୍କ ଟେଷ୍ଟ କ୍ୟାରିୟର ଏବେ ବିପଦରେ କହିଲେ ଭୁଲ୍ ହେବନି । ସବୁଠାରୁ ବଡ଼କଥା ହେଲା ଯେ, ମହମ୍ମଦ ସାମି ଗତ ଦୁଇ ବର୍ଷ ଧରି ଟେଷ୍ଟ କ୍ରିକେଟରୁ ବାହାରେ ଅଛନ୍ତି । ଶେଷ ଥର ପାଇଁ ସେ ଜୁନ୍ ୨୦୨୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ହୋଇଥିବା WTC ଫାଇନାଲ୍ ଟେଷ୍ଟ ମ୍ୟାଚ୍ ଥିଲା ।
ଏବେ ମହମ୍ମଦ ସାମିଙ୍କ ସ୍ଥାନ ନେବା ପାଇଁ ବିସିସିଆଇ ନଜରରେ ଅନେକ ଯୁବ ବୋଲର ଅଛନ୍ତି । ଏମାନଙ୍କ ମଧ୍ୟରେ ଅର୍ଶଦୀପ ସିଂହ ଏବଂ ଅଂଶୁଲ କାମ୍ବୋଜଙ୍କ ନାଁ ଆଗରେ ଅଛି । ସାମିଙ୍କ ସ୍ଥାନରେ ଅର୍ଶଦୀପ ସିଂହଙ୍କୁ ବାଛି ଚୟନକର୍ତ୍ତାମାନେ ଦଳକୁ ଜଣେ ବାମହାତି ପେସରର ବିକଳ୍ପ ଦେଇପାରିବେ, ଯିଏ ବଲ୍ ସ୍ୱିଙ୍ଗ୍ କରିବାରେ ମଧ୍ୟ ପାରଙ୍ଗମ । ଇଂଲଣ୍ଡର ପିଚ୍ରେ ଅର୍ଶଦୀପଙ୍କ ସ୍ୱିଙ୍ଗ୍ ବୋଲିଂ ପ୍ରଭାବଶାଳୀ ହୋଇପାରେ । ସେହିପରି ଅଂଶୁଲ କାମ୍ବୋଜ ଘରୋଇ କ୍ରିକେଟରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛନ୍ତି । ବିଶେଷକରି ଲମ୍ବା ଫର୍ମାଟରେ ସେ ଅଧିକ ପ୍ରଭାବଶାଳୀ ମଧ୍ୟ ହୋଇଛନ୍ତି । ସାମିଙ୍କ ଅନୁପସ୍ଥିତିରେ, ଜସପ୍ରିତ ବୁମରାହ ଏବଂ ମହମ୍ମଦ ସିରାଜଙ୍କ ଉପରେ ଚାପ ବଢ଼ିପାରେ । ବୁମରାହଙ୍କ ଫିଟନେସ୍ ନେଇ ପୂର୍ବରୁ ପ୍ରଶ୍ନ ଉଠିଛି । ଏହି କାରଣରୁ, ବିସିସିଆଇ ଚୟନକର୍ତ୍ତାମାନେ ଦଳରେ ଏପରି ବୋଲରଙ୍କୁ ବାଛିପାରନ୍ତି, ଯେଉଁମାନେ କେବଳ ସମ୍ପୂର୍ଣ୍ଣ ଫିଟ୍ ନୁହନ୍ତି ବରଂ ଲମ୍ବା ସ୍ପେଲ ବୋଲିଂ କରିବାର କ୍ଷମତା ମଧ୍ୟ ରଖନ୍ତି ।
ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଅବସର ପରେ, ଭାରତୀୟ ଦଳରେ ନବକଳେବର ହେବାକୁ ଯାଉଛି ବୋଲି ଚର୍ଚ୍ଚା ଜୋର ଧରିଛି । ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ଉପରେ ନୂଆ ଦଳ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ବିଶେଷ କରି ହେଡ୍ କୋଚ୍ ଗମ୍ଭୀର ଏପରି ଖେଳାଳିଙ୍କୁ ଚୟନ କରିବା ସପକ୍ଷରେ ଅଛନ୍ତି ଯେଉଁମାନେ ଟିମ୍ ସହିତ ଦୀର୍ଘ ସମୟ ଧରି ରହିବେ । ଏହି କାରଣରୁ ଯୁବଖେଳାଳିଙ୍କୁ ଗୁରୁତ୍ବ ଦିଆଯାଉଛି । ରୋହିତ ଏବଂ ବିରାଟଙ୍କ ଅବସର ବିଷୟରେ ରିପୋର୍ଟ ଆସିଛି ଯେ ଏହା ସେମାନଙ୍କ ଇଚ୍ଛା ଅନୁସାରେ ନୁହେଁ ବରଂ ଟିମ୍ ପରିଚାଳନାର ଚାପ ଯୋଗୁଁ ହୋଇଛି । ଏପରି ସ୍ଥିତିରେ, ଯଦି ମହମ୍ମଦ ସାମିଙ୍କୁ ମଧ୍ୟ ଇଂଲଣ୍ଡ ବିପକ୍ଷରେ ଚୟନ ନକରାଯାଏ, ତା’ହେଲେ ସାମିଙ୍କ ଆଗାମୀ କ୍ରିକେଟ୍ ଭବିଷ୍ୟତ ଅନ୍ଧାର କହିଲେ ଅତ୍ୟୁକ୍ତି ହେବନି ।