Scotland to Play T20 World Cup Photograph: (Internet)
କନକ ବ୍ୟୁରୋ : ଆଗାମୀ ଟ୍ୱେଣ୍ଟି-୨୦ ବିଶ୍ୱକପରୁ ବାଦ ପଡ଼ିଛି ବାଂଲାଦେଶ । ବାଂଲାଦେଶ ବଦଳରେ ସ୍କଟଲାଣ୍ଡ୍ ବିଶ୍ୱକପ ଖେଳିବ । ଏ ନେଇ ଆଇସିସି ନିଷ୍ପତ୍ତି ନେଇଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ବାଂଲାଦେଶକୁ ନିଜର ବିଶ୍ୱକପ ଅଂଶଗ୍ରହଣ ସଂପର୍କରେ ନିଷ୍ପତ୍ତି ଜଣାଇବାକୁ ଆଇସିସି ୨୪ ଘଣ୍ଟା ସମୟସୀମା ପ୍ରଦାନ କରିଥିଲା । କିନ୍ତୁ ବାଂଲାଦେଶ ନିଜ ଜିଦରେ ଅଟଳ ରହିବା ସହ ଧାର୍ଯ୍ୟ ସମୟସୀମା ମଧ୍ୟରେ କୌଣସି ଔପଚାରିକ ନିଷ୍ପତ୍ତି ଜଣାଇନଥିଲା ।
ଏହା ପରେ ଆଇସିସି ବାଧ୍ୟ ହୋଇ ବାଂଲାଦେଶକୁ ବିଶ୍ୱକପରୁ ବାହାର କରିବା ସହ ସ୍କଟଲାଣ୍ଡକୁ ସାମିଲ କରିଛି । ସ୍କଟଲାଣ୍ଡ୍ ଏବେ ଗ୍ରୁପ-ସିରେ ବାଂଲାଦେଶ ବଦଳରେ ସ୍ଥାନ ପାଇବ । ଏହି ଗ୍ରୁପରେ ୱେଷ୍ଟଇଣ୍ଡିଜ୍, ଇଂଲଣ୍ଡ, ନେପାଳ ଓ ଇଟାଲି ଅଛନ୍ତି । ତେବେ ଆଇସିସି ପକ୍ଷରୁ ଏହି ନିଷ୍ପତ୍ତି ସଂପର୍କରେ ସ୍କଟଲାଣ୍ଡକୁ ଜଣାଯାଇଛି କି ନା ତାହା ସ୍ପଷ୍ଟ ହୋଇନାହିଁ ।
ଅଧିକ ପଢ଼ନ୍ତୁ : ୪୬୮ ଦିନ ପରେ ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ
ଚଳିତ ମାସ ଆରମ୍ଭରେ ଆଇପିଏଲ ଦଳ କୋଲକାତା ନାଇଟରାଇଡର୍ସରୁ ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁରୁ ରେହେମାନଙ୍କୁ ବାଦ ଦିଆଯିବା ପରେ ବାଂଲାଦେଶ ବିଶ୍ୱକପ ଖେଳିବାକୁ ଭାରତ ଆସିବ ନାହିଁ ବୋଲି ଘୋଷଣା କରିଥିଲା ଓ ଭାରତର ମ୍ୟାଚଗୁଡ଼ିକୁ ଶ୍ରୀଲଙ୍କାକୁ ସ୍ଥାନାନ୍ତରୀତ କରିବାକୁ ଆଇସିସକୁ ଅନୁରୋଧ କରିଥିଲା । ବିଶ୍ୱକପକୁ ଅଳ୍ପ ଦିନ ବାକିଥିବାରୁ ମ୍ୟାଚ ସ୍ଥାନାନ୍ତର ସମ୍ଭବ ନୁହେଁ ବୋଲି ଆଇସିସି କହିବା ସତ୍ତ୍ୱେ ବାଂଲାଦେଶ ନିଜ ନିଷ୍ପତ୍ତିରେ ଅଟଳ ଥିଲା । ଏହା ପରେ ଗତ ୨୧ ତାରିଖରେ ଆଇସିସି ପକ୍ଷରୁ ଶେଷଥର ପାଇଁ ନିଜର ନିଷ୍ପତ୍ତି ସଂପର୍କରେ ଜଣାଇବାକୁ ୨୪ ଘଣ୍ଟା ସମୟ ଦିଆଯାଇଥିଲା । ଏହା ସତ୍ତ୍ୱେ ବାଂଲାଦେଶ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲା ।
Follow Us