କନକ ବ୍ୟୁରୋ : ରାଜସ୍ଥାନ ରୟାଲ୍ସର ଅଧିନାୟକ ସଂଜୁ ସାମ୍‌ସନ୍‌ ଏବେ ଅନ୍ୟ କୌଣସି ଫ୍ରାଞ୍ଚାଇଜ୍ ପାଇଁ ଖେଳିବାକୁ ଯୋଜନା କରିଛନ୍ତି । ଏଥି ପାଇଁ ସେ ୨୦୨୫ ଆଇପିଏଲ୍‌ ପରେ ପରେ ରାଜସ୍ଥାନ ରୟାଲ୍ସ ମ୍ୟାନେଜ୍‌‌‌‌ମେଣ୍ଟ୍‌କୁ ଆବେଦନ କରିଥିବା ଜଣାପଡ଼ିଛି । କେଉଁ କାରଣ ପାଇଁ ସାମସନ୍‌ ଦଳ ଛାଡ଼ିବାକୁ ଆଗ୍ରହୀ ଅଛନ୍ତି ସ୍ପଷ୍ଟ ହୋଇନାହିଁ । ଗତ ଜୁନ୍‌ ମାସରେ ରାଜସ୍ଥାନ ରୟାଲ୍ସର ୨୦୨୫ ସମୀକ୍ଷା ବୈଠକରେ ଏ ପ୍ରସଙ୍ଗ ଆଲୋଚନା ହୋଇଥିଲେ ବି ଫ୍ରାଞ୍ଚାଇଜ୍ ପକ୍ଷରୁ କୌଣସି ସ୍ପଷ୍ଟ ଉତ୍ତର ଦିଆଯାଇନାହିଁ । ଫ୍ରାଞ୍ଚାଇଜ୍ ମାଲିକ ମନୋଜ ବଦାଲେ କୌଣସି ପ୍ରତିକ୍ରିୟା ରଖିବାକୁ ମନା କରି ଦେଇଛନ୍ତି । ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କୁ ତାଙ୍କ ସହ ଯୋଗା‌ଯୋଗ ଦାୟିତ୍ବ ଦିଆଯାଇଛି ଏବଂ ତାଙ୍କ ରିପୋର୍ଟ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି । ସଂଜୁଙ୍କୁ ରାଜସ୍ଥାନ ରୟାଲ୍ସ ମୁକ୍ତ କରିଦେବାକୁ ନିଷ୍ପତ୍ତି ନେଲେ ସେ ଅନ୍ୟ ଫ୍ରାଞ୍ଚାଇଜ୍ ସହ ଟ୍ରେଡ୍‌ କରିପାରିବେ କିମ୍ବା ନିଲାମକୁ ପ୍ରେରଣ କରିପାରିବେ । ଆଇପିଏଲ୍‌ ଚୁକ୍ତି ଅନୁସାରେ ଚୂଡ଼ାନ୍ତ ନିଷ୍ପତ୍ତି ଫ୍ରାଞ୍ଚାଇଜ୍ ‌ନେବେ । ଟ୍ରେଡ୍ ବ୍ୟବସ୍ଥାରେ ଦୁଇ ଫ୍ରାଞ୍ଚାଇଜ୍ ଖେଳାଳି ଅଦଳବଦଳ କିମ୍ବା ନଗଦ ଅର୍ଥ ସହ ଯୁକ୍ତି କରିପାରିବେ ।

Advertisment

ସଂଜୁ ୨୦୧୩ରୁ ୨୦୧୫ ପର୍ଯ୍ୟନ୍ତ ଆର୍‌ଆର୍‌ ପାଇଁ ଖେଳିବା ପରେ ଦିଲ୍ଲୀ ଡେୟାର୍‌ ଡେଭିଲ୍ସ ସହ ୨ ବର୍ଷ ବିତାଇ ୨୦୧୮ରେ ଫେରିଥିଲେ । ୨୦୨୧ରେ ତାଙ୍କୁ ରାଜସ୍ଥାନ ରୟାଲ୍ସ ଅଧିନାୟକ ନିଯୁକ୍ତ କରିଥିବା ବେଳେ ୨୦୨୨ରେ ଦଳ ଫାଇନାଲ୍‌ ଯୋଗ୍ୟତା ଅର୍ଜନ କରିଥିଲା । ସେହିବର୍ଷ ଅରେଞ୍ଜ ଓ ପର୍ପଲ୍ କ୍ୟାପ୍ ବିଜେତା ଦୁଇ ପ୍ରମୁଖ ଖେଳାଳି ଜୋସ୍ ବଟଲର୍ ଓ ୟୁଝବେନ୍ଦ୍ର ଚହଲଙ୍କୁ ଦଳ ୨୦୨୫ ମେଗା ନିଲାମ ପୂର୍ବରୁ ଛାଡ଼ି ଦେଇଥିଲା । ଆର୍‌ଆର୍‌ କିନ୍ତୁ ରଖିଥିବା ୬ ଖେଳାଳିଙ୍କ ମଧ୍ୟ‌ରେ ସଂଜୁ ସାମିଲ ଥିଲେ । ତାଙ୍କୁ ୧୮ କୋଟିରେ ରଖିଥିଲା ଆର୍‌ଆର୍‌ । ଏବେ କିନ୍ତୁ ଆର୍‌ଆର୍‌ ନିକଟରେ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ୨/୩ ମାସ ସମୟ ରହିଛି ।