କନକ ବ୍ୟୁରୋ: ଆସନ୍ତା ୧୯ ତାରିଖରେ ପର୍ଥରେ ଅଷ୍ଟ୍ରେଲିଆକୁ ଭେଟିବ ଟିମ୍ ଇଣ୍ଡିଆ । ପୂର୍ବତନ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ମଧ୍ୟ ଏହି ଦିନିକିଆ ସିରିଜରେ ନଜର ଆସିବେ । ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁଥିବା ପ୍ରଥମ ଦିନିକିଆ ରୋହିତ ଶର୍ମାଙ୍କ ପାଇଁ ବହୁତ ଖାସ୍ ହେବ । କାରଣ ହିଟମ୍ୟାନ୍ କଙ୍ଗାରୁ ବିପକ୍ଷ ମ୍ୟାଚରେ ଅନେକ କିଛି ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି ।
ରବିବାର ଦିନ ରୋହିତ ଶର୍ମା ତାଙ୍କର ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ । ରୋହିତ ପର୍ଥ ପଡ଼ିଆକୁ ଓହ୍ଲାଇବା ମାତ୍ରେ ସେ ଏହି ମାଇଲଷ୍ଟୋନ୍ ଛୁଇଁଯିବେ । ଯାହା ବର୍ତ୍ତମାନ କେବଳ ଚାରି ଜଣ ଭାରତୀୟ କ୍ରିକେଟରଙ୍କ ନାଁରେ ରହିଛି । ଖାଲି ଭାରତୀୟ କ୍ରିକେଟର ନୁହେଁ ରୋହିତ ୫୦୦ ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାରେ ବିଶ୍ୱର ୧୧ ତମ ଏବଂ ଭାରତର ପଞ୍ଚମ ଖେଳାଳି ହୋଇଯିବେ ।
୫୦୦ କିମ୍ବା ତା’ଠାରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ଭାରତୀୟ ଖେଳାଳି ଭାବେ ୬୬୪ ମ୍ୟାଚ୍ ଖେଳି ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ସଚିନ ତେନ୍ଦୁଲକର । ଦ୍ବିତୀୟରେ ବିରାଟ କୋହଲି ୫୫୦ ମ୍ୟାଚ୍, ତୃତୀୟରେ ଏମଏସ ଧୋନି ୫୩୫ ମ୍ୟାଚ୍, ଚତୁର୍ଥରେ ରାହୁଲ ଦ୍ରାବିଡ ୫୦୪ ମ୍ୟାଚ୍ ଏବେ ରୋହିତ ଏହି ଗ୍ରୁପରେ ସାମିଲ ହୋଇଯିବେ ।
ଆଫ୍ରିଦଙ୍କ ରେକର୍ଡ ବି ଭାଙ୍ଗିପାରନ୍ତି ହିଟମ୍ୟାନ୍ । ଦିନିକିଆ କ୍ରିକେଟରେ ସର୍ବାଧିକ ଛକା ମାରିବାର ରେକର୍ଡ ବି ଭାଙ୍ଗିପାରନ୍ତି ରୋହିତ । ବର୍ତ୍ତମାନ ଦିନିକିଆରେ ସର୍ବାଧିକ ଛକା ମାରିବାର ରେକର୍ଡ ପୂର୍ବତନ ପାକିସ୍ତାନ ଅଧିନାୟକ ଶାହିଦ ଆଫ୍ରିଦିଙ୍କ ନାଁରେ ଅଛି, ଯିଏ ୩୫୧ ଛକା ମାରିଛନ୍ତି । ରୋହିତ ଶର୍ମା ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି, ସେ ଏପର୍ଯ୍ୟନ୍ତ ୩୪୪ ଛକା ମାରିଛନ୍ତି । ଆଉ ଆଠଟି ଛକା ସହିତ, ହିଟମ୍ୟାନଙ୍କ ଏହି ରେକର୍ଡ ଭାଙ୍ଗିବେ ।
ଖାଲି ଏତିକି ନୁହେଁ ରୋହିତ ଶର୍ମା ଏପର୍ଯ୍ୟନ୍ତ ୪୯୯ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି ଏବଂ ତିନୋଟି ଫର୍ମାଟରେ ୪୯ଟି ଶତକ ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ୫୦ଟି ଅନ୍ତର୍ଜାତୀୟ ଶତକ ହାସଲ କରିବାର ସୁବର୍ଣ୍ଣ ସୁଯୋଗ ତାଙ୍କ ପାଖରେ ଅଛି । ଏହି ରେକର୍ଡ ହାସଲ କଲେ ସେ ଅନ୍ତର୍ଜାତୀୟ କ୍ରିକେଟରେ ୫୦ କିମ୍ବା ତା’ଠାରୁ ଅଧିକ ଶତକ ହାସଲ କରିବାରେ ତୃତୀୟ ଭାରତୀୟ ଖେଳାଳି ହୋଇଯିବେ । ଏହିଭଳି ଅନେକ ରେକର୍ଡ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଭାଙ୍ଗିବାକୁ ଯାଉଛନ୍ତି ।