କନକ ବ୍ୟୁରୋ : ବିସିସିଆଇର ରେକର୍ଡ ଆୟ । ମାଲାମାଲ୍ କଲା ଆଇପିଏଲ୍ । ବିଶ୍ବର ସବୁଠାରୁ ଲୋକପ୍ରିୟ କ୍ରିକେଟ୍ ଲିଗର ପରିଚୟ ପାଇସାରିଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲ । ପ୍ରତିବର୍ଷ ନୂଆ ନୂଆ ପ୍ରତିଭାଙ୍କୁ ଜନ୍ମ ଦେଉଛି ଏହି ଟୁର୍ଣ୍ଣାମେଣ୍ଟ । ଯୁବ ପ୍ରତିଭାଙ୍କ ପାଇଁ ଆଇପିଏଲ ଏକ ବଡ଼ ଆଶୀର୍ବାଦ ସାଜିଛି । କେବଳ ଖେଳାଳୀଙ୍କୁ ନୁହେଁ ବିସିସିଆଇକୁ ମଧ୍ୟ ମାଲାମାଲ୍ କରିଛି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ।
୨୦୨୩-୨୪ ଆର୍ଥିକ ବର୍ଷରେ ବିସିସିଆଇର ଆୟକୁ ନେଇ ପ୍ରକାଶ ପାଇଛି ଏକ ରିପୋର୍ଟ । ରିପୋର୍ଟ ଅନୁଯାୟୀ, ଏହି ଆର୍ଥିକ ବର୍ଷରେ ୯୭୪୧.୭ କୋଟି ଟଙ୍କା ଆୟ କରିଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ । ମୋଟ୍ ଆୟର ୫୯ ପ୍ରତିଶତ ଅର୍ଥାତ ୫,୭୬୧କୋଟି ଟଙ୍କା କେବଳ ଆଇପିଏଲରୁ ରୋଜଗାର କରିଛି ବିସିସିଆଇ । ସେହିପରି ଅଣ ଆଇପିଏଲ୍ ମ୍ୟାଚରୁ ୩୬୧ କୋଟି ଟଙ୍କା ପାଇଥିବା ବେଳେ ଆଇସିସି ଡିଷ୍ଟ୍ରିବ୍ୟୁସନରୁ ୧,୦୪୨ କୋଟି ଟଙ୍କା ପାଇଛି ବିସିସିଆଇ ।
ଆଖି ଲାଖିଗଲା ଭଳି ଆୟ । ବଢୁଛି ଆଇପିଏଲର ବ୍ରାଣ୍ଡ ଭାଲ୍ୟୁ । ବିଶ୍ବର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡକୁ ଆହୁରି ଧନୀ କରିଛି ଆଇପିଏଲ୍ । ୨୦୦୭ରୁ ଆରମ୍ଭ ହୋଇଥିବା ଏହି କ୍ରିକେଟ୍ ଲିଗ୍ ବିସିସିଆଇ ଆୟର ଏକ ବଡ଼ ମାଧ୍ୟମ ପାଲଟିଛି । ସୂଚନା ଅନୁଯାୟୀ, ବିସିସିଆଇ ପାଖରେ ଏବେ ରହିଛି ୩୦ହଜାର କୋଟି ଟଙ୍କାର ସଂରକ୍ଷଣ ପାଣ୍ଠି । ଏହି ଅର୍ଥରାଶି ଯୋଗୁଁ ପ୍ରତିବର୍ଷ ବିସିସିଆଇକୁ 1ହଜାର କୋଟି ଟଙ୍କାର ସୁଧ ବି ମିଳୁଛି ।
ଆଇପିଏଲର ବଡ଼ ସଫଳତା ପରେ ମହିଳା ପ୍ରିମିୟର ଲିଗ୍ ଆରମ୍ଭ କରିଥିଲା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ । ଆଇପିଏଲକୁ ବାଦ୍ ଦେଲେ, ବିସିସିଆଇ ରଣଜୀ ଟ୍ରଫି, ଦୁଲୀପ ଟ୍ରଫି, ସିକେ ନାଇଡୁ ଟ୍ରଫି ପରି ବଡ଼ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିଥାଏ । ଏହି ଘରୋଇ ଟୁର୍ଣ୍ଣାମେଣ୍ଟ ଗୁଡିକର ବ୍ୟବସାୟିକରଣ କରାଗଲେ, ବିସିସିଆଇ ଆୟରେ ଆହୁରି ଅଭିବୃଦ୍ଧି ହୋଇପାରିବ ।