କନକ ବ୍ୟୁରୋ: ୨୦୨୫ ଆଇପିଏଲରେ ଲକ୍ଷ୍ନୌର ଦଳରେ ଆଉ ନଜର ଆସିବେନି କେଏଲ ରାହୁଲ । କିଛି ଦିନ ହେବ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ଯେ ଲକ୍ଷ୍ନୌରେ କେଏଲ ରାହୁଲଙ୍କ ଭବିଷ୍ୟତ କଣ ରହିଛି । ତେବେ ଏହାକୁ ନେଇ ଏବେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଛି । କେବଳ ମୋହର ବାକି ରହିଛି । ଯଦି କେଏଲ ରାହୁଲ ଲକ୍ଷ୍ନୌ ଛାଡନ୍ତି ତେବେ ସେ ମେଗା ଅକ୍ସନରେ ସାମିଲ ହେବେ । ଆଉ ଲକ୍ଷ୍ନୌକୁ ନୂଆ କ୍ୟାପଟେନର ଆବଶ୍ୟକତା ରହିବ । 

କେଏଲ ରାହୁଲ ଲକ୍ଷ୍ନୌର ହାତ ଛାଡିବା ପରେ, ସେ ମେଗା ଅକ୍ସନରେ ସାମିଲ ହେବା ଏକ ପ୍ରକାର ସ୍ପଷ୍ଟ ହୋଇ ସାରିଛି । ଚର୍ଚ୍ଚା ହେଉଛି ଯେ କେଏଲ ରାହୁଲ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତରଫରୁ ଖେଳି ପାରନ୍ତି । ଦିନେଶ କାର୍ତ୍ତିକଙ୍କ ଅବସର ପରେ ଆରସିବିକୁ ନୂଆ ୱିକେଟ କିପର ବ୍ୟାଟ୍ସମ୍ୟାନର ଆବଶ୍ୟକତା ରହିଛି । କେବଳ ଆରସିବି ନୁହେଁ ଆଇପିଏଲର ଅନେକ ଟିମକୁ ଭାରତୀୟ ୱିକେଟ କିପର ବ୍ୟାଟ୍ସମ୍ୟାନର ଆବଶ୍ୟକତା ରହିଛି । ଯାହାକୁ ପୂରା କରିପାରିବେ କେଏଲ ରାହୁଲ । 

୨୦୨୨ରେ ଲକ୍ଷ୍ନୌ ଆଇପିଏଲରେ ଡେବ୍ୟୁ କରିବା ପରଠୁ କେଏଲ ରାହୁଲ ଏହାର କମାଣ ସମ୍ଭାଳିଆସୁଛନ୍ତି । ସେ ୨୦୨୨ ଓ ୨୦୨୩ରେ ନିଜ ଅଧିନାୟକତ୍ୱରେ ଦଳକୁ ପ୍ଲେଅଫରେ ପ୍ରବେଶ କରାଇଥିଲେ । ସେହିପରି ଆଇପିଏଲ ୨୦୨୪ ସିଜିନ ଲକ୍ଷ୍ନୌ ପାଇଁ ବହୁତ ଖରାପ ରହିଥିଲା । କାରଣ ଏହି ସିଜିନରେ ଦଳ ୭ ନମ୍ବର ସ୍ଥାନରେ ରହିଥିଲା । 

୨୦୧୩ରେ ଆରିସିବି ଦଳରୁ ଆଇପିଏଲରେ ଡେବ୍ୟୁ କରିଥିଲେ କେଏଲ ରାହୁଲ । ଏହାପରେ ୨୦୧୪ ଓ ୨୦୧୫ ସେ ହାଇଦ୍ରାବାଦ ପାଇଁ ଖେଳିଥିଲେ । ପରେ ୨୦୧୬ରେ ସେ ପୁଣି ବାଙ୍ଗାଲୋର ଫେରିଯାଇଥିଲେ । ୨୦୧୮ରୁ ୨୧ ଯାଏଁ ପଞ୍ଜାବ ଦଳରୁ ଖେଳିବା ପରେ ୨୦୨୨ରୁ ସେ ଲକ୍ଷ୍ନୌ ପାଇଁ ଖେଳି ଆସୁଥିଲେ । ୨୦୨୨ରେ କେଏଲ ରାହୁଲ ଲ କ୍ଷ୍ନୌ ପାଇଁ ୧୫ ମ୍ୟାଚ ଖେଳି ୬୧୬ ରନ କରିଥିଲେ । ୨୦୨୩ରେ ୯ ମ୍ୟାଚ ଖେଳି ୨୭୪ ଓ ୨୦୨୪ରେ ୧୪ ମ୍ୟାଚ ଖେଳି ୫୨୦ ରନ କରିଥିଲେ ।  
ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି କେଏଲ ରାହୁଲଙ୍କ ସ୍ଥାନରେ ଲକ୍ଷ୍ନୌ ସୁପର ଜାଏଣ୍ଟର ଅଧିନାୟକ କିଏ ହେବ । ଯଦି ରେକର୍ଡର ପୃଷ୍ଠାକୁ ଓଲଟାଇବା ତେବେ ଦଳରେ କେଏଲ ରାହୁଲଙ୍କ ବ୍ୟତୀତ ଏମିତି ଦୁଇ ଖେଳାଳି ଅଛନ୍ତି ଯିଏ ଅଧିନାୟକ ପଦ ପାଇଁ ଦାବିଦାର ରହିଛନ୍ତି । ସେ ହେଉଛନ୍ତି କୃଣାଳ ପାଣ୍ଡ୍ୟା ଓ ନିକୋଲାସ ପୂରଣ । ରାହୁଲଙ୍କ ଅନୁପସ୍ଥିତିରେ ଏହି ଦୁଇ ଖେଳାଳି ପୂର୍ବରୁ ଅଧିନାୟକ ଦାୟିତ୍ୱ ତୁଲାଇ ସାରିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଫ୍ରାଞ୍ଚାଇଜ ଦଳ ଭିତରୁ ଅଧିନାୟକ ବାଛିବ ନା ମେଗା ଅକ୍ସନରୁ କାହାରିକୁ ଅଧିନାୟତ ଦାୟିତ୍ୱ ଦେବ । ଏହା ଉପରେ ରହିଛି ସମସ୍ତଙ୍କ ନଜର ।