କନକ ବ୍ୟୁରୋ : ଭାରତ ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍କୁ ଜିତିଛି ନ୍ୟୁଜିଲାଣ୍ଡ । ଫଳରେ ଦଳ ୧୨ ବର୍ଷ ପରେ ଭାରତ ମାଟିରେ ସିରିଜ ଜିତି ଇତିହାସ ରଚିଛି । ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ଏଭଳି କାରନାମା କରିଥିବା ବେଳେ ଭାରତର ଲଗାତାର ଟେଷ୍ଟ ସିରିଜ ଜିତିବାର ଧାରା ମଧ୍ୟ ଭାଙ୍ଗି ଯାଇଛି ।
୨୦୧୨-୧୩ରେ ଇଂଲଣ୍ଡ ଭାରତ ଗସ୍ତରେ ଦଳକୁ ଟେଷ୍ଟ ସିରିଜରେ ହରାଇଥିଲା । ଏହା ପରଠାରୁ ଭାରତୀୟ ଟିମ୍ ଘରୋଇ ମାଟିରେ ସିରିଜ ପରାଜୟର ନଜିର ନାହିଁ । ଦଳ ଲଗାତାର ୧୮ ସିରିଜରେ ବିଜେତା ହୋଇଥିଲା। ହେଲେ ଏବେ ଏଥିରେ ବ୍ରେକ୍ ଲାଗିଛି ।
ସେହିଭଳି ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଘରୋଇ ମାଟିରେ ୪ର୍ଥ ମ୍ୟାଚ୍ରେ ପରାଜିତ ହୋଇଛି । ସେ ଏବେ ଭାରତ ପାଇଁ ସବୁଠାରୁ ଅଧିକ ଟେଷ୍ଟ ମ୍ୟାଚ୍ ହାରିବା ମାମଲାରେ ସଂଯୁକ୍ତ ଭାବେ ଦ୍ୱିତୀୟ ଭାରତୀୟ ଅଧିନାୟକ ପାଲଟିଛନ୍ତି ।
ନ୍ୟୁଜିଲାଣ୍ଡ ଦଳ ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମ ଇନିଂସରେ ଦଳ ୨୫୯ ରନ୍ କରିଥିଲା । ଜବାବରେ ଟିମ୍ ଇଣ୍ଡିଆ ୧୫୬ ରନ୍ କରି ଅଲଆଉଟ୍ ହୋଇଥିଲା । ପରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସରେ ଜବରଦସ୍ତ ପ୍ରଦର୍ଶନ କରି ୨୫୫ ରନ୍ କରିବାରେ ସଫଳ ହୋଇଥିଲା । ଏମିତିରେ ଭାରତକୁ ୩୫୯ରନ୍ର ଟାର୍ଗେଟ ମିଳିଥିଲା । ହେଲେ ଯଶସ୍ୱୀ ଜୟସ୍ୱାଲଙ୍କୁ ଛାଡ଼ି ଅନ୍ୟ ବ୍ୟାଟ୍ସମ୍ୟାନ୍ ବିଫଳ ହେବାରୁ ଦଳକୁ ପରାଜିତ ହେବାକୁ ପଡ଼ିଛି । ନ୍ୟୁଜିଲାଣ୍ଡ ୨-୦ରେ ସିରିଜରେ ଆଗୁଆ ହୋଇଛି ।