କନକ ବ୍ୟୁରୋ : କ୍ରିକେଟ୍ ଜଗତରେ ରାହୁଲ ଦ୍ରାବିଡ The Wall ଭାବେ ବେଶ୍ ଜଣାଶୁଣା । ଆଉ The Wallଙ୍କ ସ୍ଥାନ ନେବାକୁ ଯାଉଛନ୍ତି ଜଣେ ଭାରତର ଉଦୀୟମାନ କ୍ରିକେଟର ବୋଲି ଭବିଷ୍ୟବାଣୀ କରିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଅଲ୍ ରାଉଣ୍ଡର ମହମ୍ମଦ କୈଫ । ଭିଭିଏସ୍ ଲକ୍ଷ୍ମଣ ଏବଂ ଚେତେଶ୍ବର ପୂଜାରାଙ୍କ ପରେ ଏବେ ଜଣେ ଯୁବ କ୍ରିକେଟରଙ୍କୁ ନେଇ ଭାରି ପ୍ରଶଂସା କରିଛନ୍ତି କୈଫ… ଆସନ୍ତୁ ଜାଣିବା କେଉଁ କ୍ରିକେଟରକୁ ଦ୍ରାବିଡଙ୍କ ବିକଳ୍ପ ଭାବେ ଦେଖୁଛନ୍ତି ମହମ୍ମଦ କୈଫ ।
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଖେଳୁଥିବା ସାଇ ସୁଦର୍ଶନ ଦ୍ରାବିଡଙ୍କ ସ୍ଥାନ ନେବାକୁ ଯାଉଛନ୍ତି ବୋଲି ଭାରତୀୟ କିଂବଦନ୍ତୀ କ୍ରିକେଟର ମହମ୍ମଦ କୈଫ ଭବିଷ୍ୟବାଣୀ କରିଛନ୍ତି । କୈଫ କହିଛନ୍ତି, ସାଇ ସୁଦର୍ଶନ ଉଭୟ ସ୍ପିନ୍ ଓ ପେସ୍ ବୋଲିଂକୁ ଭଲ ଭାବରେ ଖେଳୁଛନ୍ତି । ଯାହା ପୂର୍ବରୁ ରାହୁଲ ଦ୍ରାବିଡ୍ କରୁଥିଲେ ଏବେ ତାହା ସାଇଙ୍କ ବ୍ୟାଟିଂ ଷ୍ଟାଇଲରେ ନଜର ଆସୁଛି । ଏବେ ସାଇ ସମ୍ପୂର୍ଣ୍ଣ ବ୍ୟାଟ୍ସମ୍ୟାନ୍ ପରି ମୋତେ ଅନୁଭବ ହେଉଛି ।
ଖାଲି ଏତିକି ନୁହେଁ, ଆଇପିଏଲ୍ ଭଳି ଫର୍ମାଟରେ ସାଇ ଚମତ୍କାର ପ୍ରଦର୍ଶନ କରିଥିଲେ । ଚଳିତ ଆଇପିଏଲର ସମସ୍ତ ମ୍ୟାଚରେ କମ୍ ରିସ୍କରେ ପରିପକ୍ବ ଖେଳାଳି ଭଳି ବ୍ୟାଟିଂ କରିଥିଲେ ସାଇ ସୁଦର୍ଶନ । ଏପରିକି ଏଥର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ଆଇପିଏଲରେ ଅରେଞ୍ଜ କ୍ୟାପ୍ ମଧ୍ୟ ହାସଲ କରିଛନ୍ତି ସାଇ । ମୋ ନଜରରେ ଏବେ ସାଇ ଭାରତୀୟ କ୍ରିକେଟ୍ ଟିମ୍ ପାଇଁ ଆଗାମୀ ରାହୁଲ ଦ୍ରାବିଡ୍ ହେବାକୁ ଯାଉଛନ୍ତି ।
ସେହିପରି କରୁଣ ନାୟାରଙ୍କ ପ୍ରଶଂସା ମଧ୍ୟ କରିଛନ୍ତି ମହମ୍ମଦ କୈଫ । ସେ କହିଛନ୍ତି କରୁଣ ନାୟାର ରଣଜୀରେ ବଡ଼ ଇନିଂସ ଖେଳିଛନ୍ତି ଏବଂ ଲଗାତାର ରନ୍ ସ୍କୋର କରି ସିଲେକ୍ଟରଙ୍କ ନଜରକୁ ଆସିଥିଲେ । ଟେଷ୍ଟ ମ୍ୟାଚ୍ ପାଇଁ ପୂରା ଫିଟ୍ କରୁଣ କାରଣ ସେ ସାରା ଦିନ ବ୍ୟାଟିଂ କରିପାରିବେ । ଯେଉଁ ବ୍ୟାଟସମ୍ୟାନ ଗ୍ରାଉଣ୍ଡେଡ୍ ସଟ୍ ଖେଳି ରନ ସ୍କୋର କରିପାରିବ ସେ ସାରା ଦିନ ପଡ଼ିଆରେ ଛିଡ଼ା ହୋଇପାରିବ । ସବୁଠାରୁ ବଡ଼କଥା ହେଲା ଇଂଲଣ୍ଡ ବିପକ୍ଷରେ ତାଙ୍କର ରେକର୍ଡ ସ୍କୋର୍ ୩୦୦ ରନ୍ ମଧ୍ୟ ରହିଛି ।